ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପୁଣି ହାରିଲେ ବିଜୟ। ପରାଜୟକୁ ନେଇ ସବୁଠି ଚର୍ଚ୍ଚା। କେଉଁଠି ରହିଲା ଭୁଲ୍ ତାକୁ ନେଇ ଚାଲିଛି କାରଣ ଖୋଜା।

ଲଗାତର ଚତୁର୍ଥ ଥର ପାଇଁ ରାଜନୀତି ଯୁଦ୍ଧରେ ପରାଜିତ ହେଲେ ବରିଷ୍ଠ ନେତା ବିଜୟ ମହାପାତ୍ର। ଥରେ ମହାକାଳପଡ଼ାରୁ ଏବଂ ତିନି ଥର ପାଟକୁରା ବିଧାନସଭାରୁ ପରାଜିତ ହେବା ପରେ ଏବେ କାରଣ ଖୋଜା ଚାଲିଛି। ଶେଷ ଲଢ଼େଇ କୁହାଯାଉଥିବା ୨୦୧୯ ନିର୍ବାଚନରେ ବିଜୟ କାହିଁକି ପରାଜିତ ହେଲେ ତାକୁ ନେଇ ପୋଷ୍ଟମର୍ଟମ ଚାଲିଛି।

ବିଜେଡିର ରଣନୀତି ଆଗରେ ବିଜେପି ଫିକା ପଡ଼ିଗଲା କି? ବିଜୟଙ୍କୁ ପାଟକୁରାବାସୀ ଗ୍ରହଣ କଲେନି ନା ବିଜେପିରୁ ବିଜୟଙ୍କୁ ସହଯୋଗ ମିଳିଲାନି? ଏହି ତମାମ ପ୍ରଶ୍ନକୁ ନେଇ ରାଜନୀତି କରିଡ଼ରରେ ଚର୍ଚ୍ଚା ବଢ଼ିଛି। ପାଟକୁରାରେ ବିଜୟଙ୍କ ପରାଜୟ ପଛରେ ଦାୟୀ କିଏ ତାକୁ ନେଇ ସବୁଠି ତର୍ଜମା ଚାଲିଛି।

‘‘ପାଟକୁରାରେ ବାତାବରଣ ଭିନ୍ନ ଥିଲା। ହେଲେ ରେଜଲ୍ଟ ଭିନ୍ନ ହେଲା। ଏପରି କାହିଁକି ହେଲା ତାର ତର୍ଜମା କରାଯିବ। ପୂରା ଶାସନ କଳ ପାଟକୁରାରେ ଲାଗିଲା। ପରାଜୟକୁ ମୁଁ ସ୍ୱୀକାର କରୁଛି’’, କହିଛନ୍ତି ବିଜୟ ମହାପାତ୍ର।

ବିଜେପିର ନଥିଲା କି ଷ୍ଟ୍ରାଟେଜି?

ପାଟକୁରାରେ ବିଜୟ ମହାପାତ୍ରଙ୍କ ପାଇଁ ବିଜେପି ସେମିତି ଆଖିଦୃଶିଆ ଷ୍ଟ୍ରାଟେଜି କରିପାରି ନଥିବା କୁହାଯାଉଛି। ପାଟକୁରା ନିର୍ବାଚନ ପାଇଁ ବିଜେପି ହାତରେ ସମୟ ଢେର ରହିଥିଲେ ମଧ୍ୟ ତାହାକୁ ଠିକ୍ ଢଙ୍ଗରେ ସୁଦୁପଯୋଗ କରିପାରିଲେ ନାହିଁ ବିଜେପି ନେତା।

କେନ୍ଦ୍ରାପଡ଼ା ଲୋକସଭା ସମେତ ପାଟକୁରା ବିଧାନସଭା ଭୋଟ ଏପ୍ରିଲ ୨୯ ତାରିଖରେ ହେବ ବୋଲି ନିର୍ବାଚନ କମିଶନ ତାରିଖ ନିର୍ଦ୍ଧାରଣ କରିଥିଲେ। କିନ୍ତୁ ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ହଠାତ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲାଙ୍କ ଦେହାନ୍ତ ହୋଇଗଲା। ଫଳରେ ନିର୍ବାଚନ ସ୍ଥଗିତ ରହିଥିଲା। ପରେ ମେ’ ୧୯ରେ ପାଟକୁରାରେ ଭୋଟ ହେବ ବୋଲି ନିର୍ବାଚନ କମିଶନ ତାରିଖ ଘୋଷଣା କଲେ।

ସେତେବେଳେ ବେଦପ୍ରକାଶଙ୍କ ଜାଗାରେ ବିଜେଡିରୁ କିଏ ପ୍ରାର୍ଥୀ ହେବେ ତାହା ଜଣାପଡ଼ି ନଥିଲା। ବିଜେପି ଚାହିଁଥିଲେ ଏହି ସମୟ ଭିତରେ ପାଟକୁରାରେ ନିଜର ସ୍ୱତନ୍ତ୍ର ଷ୍ଟ୍ରାଟେଜି ତିଆରି କରି ଭୋଟରଙ୍କ ପାଖକୁ ଯାଇପାରିଥାନ୍ତେ। ହେଲେ ସେମିତି କିଛି ହୋଇ ନଥିବା କୁହାଯାଉଛି।

ଫନି ବାତ୍ୟା ପାଇଁ ମେ’ ୧୯ରେ ହେବାକୁ ଥିବା ନିର୍ବାଚନ ଜୁଲାଇ ୨୦କୁ ଘୁଞ୍ଚିଲା। ବେଦପ୍ରକାଶଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରୱାଲାଙ୍କୁ ପ୍ରାର୍ଥୀ କରି ବିଜେଡି ପାଟକୁରାରେ କମର କଷିବା ଆରମ୍ଭ କଲା। ନିର୍ବାଚନର ପ୍ରାୟ ମାସେ ପୂର୍ବରୁ ବିଜେଡିର ନେତା ମନ୍ତ୍ରୀ ପାଟକୁରାରେ ଡେରା ପକାଇ ଭୋଟରଙ୍କୁ ଭେଟିଲେ। ହେଲେ ବିଜେପି ହାତରେ ସମୟ ଥିଲେ ମଧ୍ୟ ବିଜେଡି ଭଳି ଏହି ଜାତୀୟ ଦଳ ଠିକ୍ ଭାବେ ଷ୍ଟ୍ରାଟେଜି ତିଆରି କରି ଲୋକଙ୍କ ପାଖକୁ ଯାଇପାରି ନଥିବା ଚର୍ଚ୍ଚା ହେଉଛି।

କୁଆଡ଼େ ଗଲେ ବିଜେପି ନେତା?

ପାଟକୁରା ଆସନ ଜିତିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ବରିଷ୍ଠ ନେତା, ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ। ନବୀନଙ୍କ ଆଦେଶରେ ପାଟକୁରାର ଗାଁ ଗାଁରେ ନେତା ଡେରା ପକାଇଲେ। ଅସନ୍ତୁଷ୍ଟଙ୍କୁ ମନାଇଲେ ଏବଂ ନବୀନଙ୍କ ଯୋଜନା ବିଷୟରେ କହି ଭୋଟରଙ୍କ ମନ ଜିଣିବାକୁ ଚେଷ୍ଟା କଲେ। ପାଳି କରି ବିଜେଡି ନେତାମାନେ ଗାଁ ଗାଁ ବୁଲିଲେ।

ହେଲେ ବିଜେପିର ସେମିତି ରଣନୀତି ନଥିଲା। ବିଜେଡି ଭଳି ବିଜେପି ବରିଷ୍ଠ ନେତା କେଭି ସିଂହଦେଓ, ମନମୋହନ ସାମଲ ଏବଂ ଭୃଗୁ ବକ୍ସିପାତ୍ରଙ୍କୁ ଟିମ୍ ଲିଡର କରି ପାଟକୁରା ପଠାଇଥିଲା। କିନ୍ତୁ ସେମାନେ ବିଜେଡିର ପ୍ରଚାର ଆଗରେ ଫିକା ପଡ଼ି ଯାଇଥିବା ଚର୍ଚ୍ଚା ହେଉଛି।

ବିଜେପି ପାଖରେ ୨୩ ଜଣ ବିଧାୟକ ଅଛନ୍ତି। କିନ୍ତୁ ବିଜେଡି ଭଳି ଜଣେ ବି ବିଜେପି ବିଧାୟକ ପାଟକୁରାରେ ଆସି ରହି ନାହାନ୍ତି। ଯିଏ ବି ଆସିଥିଲେ ସେମାନେ ଘଣ୍ଟେ ଦୁଇଘଣ୍ଟା ରହି ଭୁବନେଶ୍ୱର ଫେରି ଆସିଥିବା ଆଲୋଚନା ହେଉଛି। ବିଜେଡି ନେତାଙ୍କ ପ୍ରଚାର ଆଗରେ ବିଜେପି ପ୍ରଚାର ଫିକା ପଡ଼ି ଯାଇଥିବା କୁହାଯାଉଛି।

ଦିଲ୍ଲୀ ନେତାଙ୍କ ଦେଖା ମିଳିଲାନି

ବିଜୟ ରାଜ୍ୟ ରାଜନୀତିର ଜଣାଶୁଣା ଚେହେରା। ପାଟକୁରାରେ ଏଥର ତାଙ୍କର ଶେଷ ଲଢ଼େଇ ହୋଇଥିବାରୁ ବିଜେପି ଏହାକୁ ଗୁରୁତର ଭାବେ ଗ୍ରହଣ କରିବା କଥା। କିନ୍ତୁ ଦଳ ଏହି ନିର୍ବାଚନକୁ ହାଲୁକା ଭାବେ ନେଇଥିବା କୁହାଯାଉଛି। ଦିଲ୍ଲୀ ନେତା ପାଟକୁରା ନଆସିବା ଘଟଣା ସ୍ପଷ୍ଟ କରୁଛି ଯେ ପାଟକୁରାକୁ ଗୁରୁତ୍ୱ ଦେଇ ନଥିଲା ବିଜେପି।

କଥା କଥାକେ କେନ୍ଦ୍ରରୁ ବିଜେପି ନେତା ଓଡ଼ିଶା ଆସୁଥିଲେ। ହେଲେ ପାଟକୁରା ପ୍ରଚାରରେ ଜଣେ ବି କେନ୍ଦ୍ର ନେତା ସାମିଲ ନହେବା ରାଜନୀତି ପଣ୍ଡିତଙ୍କୁ ଚକିତ କରିଛି। ୨୦୧୮ରେ ହୋଇଥିବା ବିଜେପୁର ଉପ-ନିର୍ବାଚନରେ ମାଳ ମାଳ ନେତା ଦିଲ୍ଲୀରୁ ଆସିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ ନେତାମାନେ କ୍ୟାମ୍ପ କରି ରହିଥିଲେ। ହେଲେ ପାଟକୁରାରେ ତାହା ଦେଖିବାକୁ ମିଳି ନଥିଲା। ବିଜେପି କ’ଣ ବିଜୟଙ୍କ ପାଇଁ ବିଜୟ ଚାହୁଁ ନଥିଲା କି ବୋଲି ଏବେ ଫଳାଫଳ ପରେ ସାଧାରଣରେ ଆଲୋଚନା ହେଉଛି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଏବଂ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଯଦିଓ ପାଟକୁରାରେ ନିର୍ବାଚନ ପ୍ରଚାର କରିଥିଲେ ତାହା ବିଜୟଙ୍କ ବିଜୟରେ ସହାୟକ ହୋଇପାରିନି।

ନବୀନଙ୍କ ସେହି ୭ ଘଣ୍ଟା

ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲାଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ନବୀନ ପଟ୍ଟନାୟକ। ମତଦାନର ଠିକ୍ ଦୁଇ ଦିନ ପୂର୍ବରୁ ହାଇଟେକ୍‌ ବସ୍‌ରେ ପାଟକୁରା ନିର୍ବାଚନମଣ୍ତଳୀର ଡେରାବିଶ, ଗରଦପୁର ଏବଂ ମାର୍ଶାଘାଇ ବ୍ଲକର ବିଭିନ୍ନ ଗାଁ ବୁଲି ପ୍ରଚାର କରିଥିଲେ। ପ୍ରାୟ ୭ ଘଣ୍ଟା ଧରି ନବୀନ ମାରାଥନ ପ୍ରଚାର କରିଥିଲେ।

ନବୀନ କହିଥିଲେ, ‘‘ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତୁ। ମୁଁ ପାଟକୁରା ଦାୟିତ୍ୱ ନେବି।’’

ନବୀନଙ୍କ ଏହି ପଦିଏ କଥା ପାଟକୁରା ଭୋଟରଙ୍କ ମନ ଜିଣିଥିବା କୁହାଯାଉଛି।

ବିଜୟଙ୍କ ଭାଗ୍ୟ ସାଥ୍ ଦେଉନି

ଗତ ୧୯ ବର୍ଷ ହେଲା କ୍ଷମତାଠାରୁ ଦୂରରେ ଥିବା ବିଜୟ ମହାପାତ୍ରଙ୍କ ପାଇଁ ଚଳିତ ନିର୍ବାଚନ ଶେଷ ଲଢ଼େଇ ବୋଲି କୁହାଯାଉଥିଲା। ବିଜେଡିରୁ ବିଦା ହେବା ପରେ ରାଜନୀତିରେ ଅନେକ ପରୀକ୍ଷା ଦେଇଥିବା ବିଜୟ ସବୁଠି ବିଫଳ ହୋଇ ଆସିଥିବାରୁ ଏଥର ବାଜି ମାରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ବିଜୟଙ୍କ ଭାଗ୍ୟ ସାଥ୍ ଦେଲାନି।

ବିଜେଡିରୁ ବିଦା ହେବା ପରେ ବିଜୟ ଓଜିପି ନାଁରେ ରାଜନୀତିକ ଦଳ ଗଠନ କରି ରାଜନୀତିରେ ପରୀକ୍ଷା ଦେଇଥିଲେ। ହେଲେ ସେ ପରୀକ୍ଷାରେ ପାସ୍‌ କରିପାରି ନଥିଲେ ବିଜୟ। ୨୦୦୪ରେ ବିଜୟ ପାଟକୁରାରୁ ଓଜିପି ଟିକେଟରେ ନିର୍ବାଚନ ଲଢ଼ିଥିଲେ ମଧ୍ୟ ତାଙ୍କୁ ପରାଜିତ ହେବାକୁ ପଡ଼ିଥିଲା।

ଓଜିପିରେ ଭାଗ୍ୟ ପରୀକ୍ଷା ପରିବା ପରେ ବିଜୟ ଏନସିପରେ ସାମିଲ ହୋଇ ରାଜ୍ୟ ଅଧ୍ୟକ୍ଷ ହୋଇଥିଲେ। କିନ୍ତୁ ତାଙ୍କ ଭାଗ୍ୟ ସାଥ୍ ଦେଲାନି। ଯେଉଁ ବିଜେଡିଠାରୁ ପ୍ରତିଶୋଧ ନେବାବୁ ବିଜୟ ଚାହୁଁଥିଲେ ସେହି ଦଳ ସହ ଏନସିପି ୨୦୦୪ରେ ଆସନ ବୁଝାମଣା କରିଥିଲା। ଫଳରେ ବିଜୟ ଏନସିପି ଛାଡ଼ିଥିଲେ।

୨୦୦୯ରେ ବିଜେଡିଠାରୁ ଦୂରେଇ ଥିବା ବିଜେପିରେ ସାମିଲ ହୋଇଥିଲେ ବିଜୟ। ବିଜେପି ଟିକେଟରେ ବିଜୟ ପୁଣି ପାଟକୁରାରୁ ୨୦୦୯ ନିର୍ବାଚନ ଲଢ଼ିଥିଲେ। ହେଲେ ପରାଜିତ ହୋଇଥିଲେ। ୨୦୧୪ରେ ମହାକାଳପଡ଼ାରୁ ନିର୍ବାଚନ ଲଢ଼ି ପରାଜିତ ହେବା ପରେ ବିଜୟ ୨୦୧୯ରେ ପୁଣି ପୁରୁଣା ମଇଦାନ ପାଟକୁରା ଫେରିଥିଲେ।

ଯେଉଁ ଆସନରୁ ବିଜୟ ପ୍ରଥମେ ବିଧାନସଭାକୁ ଯାଇଥିଲେ ସେହି ଆସନରେ ଏବେ ବିଜୟ ଶେଷ ଲଢ଼େଇ ଲଢ଼ିଥିଲେ। ହେଲେ ଶେଷ ମୁହୂର୍ତ୍ତରେ ପାଟକୁରାରେ ମଧ୍ୟ ବିଜୟଙ୍କ ଭାଗ୍ୟ ସାଥ୍ ଦେଇନି।

Comment