ଓଡ଼ିଶାଲାଇଭ୍‌ ବ୍ୟୁରୋ

ଧୋନି କ୍ରିକେଟ୍‌ରୁ ଅବସର ନ ନେବା ପଛରେ ବିରାଟ କୋହଲିଙ୍କ ହାତ।

୨୦୧୯ ବିଶ୍ୱକପ୍‌ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ହାରି ଭାରତର ତୃତୀୟ ଥର ବିଶ୍ୱକପ ଜିତିବାର ସ୍ୱପ୍ନ ଧୂଳିସାତ୍‌ ହୋଇଥିଲା। ବିଶ୍ୱକପରୁ ବାହାର ହେବା ପରେ ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ତଥା କ୍ୟାପ୍ଟେନ୍‌ କୁଲ ମହେନ୍ଦ୍ର ସିଂହ ଧୋନି କ୍ରିକେଟ୍‌ରୁ ଅବସର ନେବା କଥା ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଥିଲା। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କ୍ରିକେଟ୍‌ର ସନ୍ୟାସ ନେବା କଥା ଧୋନି ଘୋଷଣା କରିନାହାନ୍ତି। ତେବେ ଆପଣ ଜାଣିଛନ୍ତି କି, ଧୋନି କ୍ରିକେଟ୍‌ରୁ ଅବସର ନ ନେବା ପଛରେ ବିରାଟ କୋହଲିଙ୍କ ହାତ ଥିଲା।

ବର୍ତ୍ତମାନ ଏ କଥା ସାମ୍ନାକୁ ଆସିଛି ଯେ, ୨୦୨୦ ଆଇସିସି ଟି-୨୦ ବିଶ୍ୱକପ ଯାଏଁ କ୍ରିକେଟ୍‌ରୁ ଅବସର ନ ନେବା ପାଇଁ ଅଧିନାୟକ ବିରାଟ କୋହଲି ମହେନ୍ଦ୍ର ସିଂହ ଧୋନିଙ୍କୁ ଅନୁରୋଧ କରି କହିଥିଲେ। ଧୋନି ଏହି କଥା ମାନିଯାଇଥିବା ଶୁଣିବାକୁ ମିଳୁଛି। ଜାତୀୟ ଖବରକାଗଜ ଡିଏନ୍‌ଏ ମୂତାବିକ, କ୍ରିକେଟ୍‌ରୁ ଅବସର ନେବାରେ କୋହଲି ଧୋନିଙ୍କୁ ରୋକିଥିଲେ।

ଅନ୍ୟପକ୍ଷରେ ଟିମ୍‌ ଇଣ୍ଡିଆ ମ୍ୟାନେଜମେଣ୍ଟ ରିଷଭ ପନ୍ତଙ୍କୁ ୱିକେଟ୍‌ କିପର ଭାବେ ଆଗାମୀ ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତ କରାଉଛି। ମ୍ୟାନେଜମେଣ୍ଟର କହିବା କଥା, ଯଦି ଏହା ମଧ୍ୟରେ ଧୋନି କ୍ରିକେଟରୁ ଅବସର ନିଅନ୍ତି ଏବଂ ରିଷଭ ପନ୍ତ ଆହତ ହୋଇଯାନ୍ତି, ତେବେ ଟିମ୍‌ ଇଣ୍ଡିଆର ବିଶ୍ୱକପ୍‌ ଜିତିବାର ସ୍ୱପ୍ନରେ ବାଧା ସୃଷ୍ଟି ହେବ।

୨୦୧୯ କ୍ରିକେଟ୍‌ ବିଶ୍ୱକପରେ ଟିମ୍‌ ଇଣ୍ଡିଆରେ ୪ଟି ୱିକେଟ୍‌ କିପର ଥିଲେ। ମହେନ୍ଦ୍ର ସିଂହ ଧୋନି, ରିଷଭ ପନ୍ତ, ଦିନେଶ କାର୍ତ୍ତିକ ଏବଂ କେଲ୍‌ ରାହୁଲ। ତେବେ ଟିମ୍‌ ମ୍ୟାନେଜ୍‌ମେଣ୍ଟ ଭବିଷ୍ୟତରେ ଧୋନିଙ୍କ ପରେ ରିଷଭ ପନ୍ତଙ୍କୁ ୱିକେଟ କିପର ଭାର ଦେବାକୁ ଚିନ୍ତା କରୁଛି। ଏହି କାରଣରୁ ବୋଧେ ଟିମ୍‌ ଇଣ୍ଡିଆର ୱେଷ୍ଟଇଣ୍ଡିଜ୍ ଟୁର୍‌ରେ ଏକମାତ୍ର ୱିକେଟ କିପର ଭାବେ ପନ୍ତଙ୍କୁ ଚୟନ କରାଯାଇଛି।

Comment