ଓଡ଼ିଶାଲାଇଭ ବ୍ୟୁରୋ

ନବରଙ୍ଗପୁର ଜିଲ୍ଲାରେ ବାରମ୍ବାର ବିଦ୍ୟୁତକାଟ ଦିନକୁ ଦିନ ଚିନ୍ତା ବଢ଼ଉଛି। ଅଘୋଷିତ ବିଦ୍ୟୁତକାଟକୁ ନେଇ ଯେତେ ଅଭିଯୋଗ କଲେବି ବିଭାଗର ନିଘା ନାହିଁ। ବିଦ୍ୟୁତକାଟ ଓ ଲୋଭୋଲ୍ଟେଜ଼ ଲାଗି ବିଦ୍ୟୁତ ସଂଯୋଗରେ ଥିବା ବିଦ୍ୟୁତ ଉପକରଣଗୁଡିକ ନଷ୍ଟ ହେଉଛି।

ଏହି ସମସ୍ୟାରେ ଅସ୍ତବ୍ୟସ୍ତ ସାଧାରଣ ଲୋକ। ସୌଭାଗ୍ୟ ଯୋଜନାରେ ପ୍ରତ୍ୟେକ ଘରକୁ ବିଦ୍ୟୁତ ସଂଯୋଗୀକରଣ ପରେ ବିଦ୍ୟୁତକାଟ ବହୁତ ବଢୁଛି । ଖରା ଦିନ ପରି ବର୍ଷା ଦିନରେ ମଧ୍ୟ ସେହି ଅବସ୍ଥା। ବିଦ୍ୟୁତକାଟ ଲାଗି ଜିଲ୍ଲାରେ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ବହୁ ଅସୁବିଧା ହେଉଛି।

ରୋଗୀ ହନ୍ତସନ୍ତ ହେଉଛନ୍ତି। ସମସ୍ଥ ସରକାରୀ ବେସରକାରୀ କାର୍ଯ୍ୟାଳୟ , ବ୍ୟାଙ୍କରେ ଏବେ ଅଧିକାଂଶ କାର୍ଯ୍ୟ କମ୍ପ୍ୟୁଟରୀକରଣ ହୋଇଥିବାରୁ ବିଦ୍ୟୁତ ଠିକରେ ରହୁନଥିବାରୁ ସମସ୍ତ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି।

ହାଇକୋର୍ଟ ବିଚାରପତି କୃଷ୍ଣ ରାମ ମହାପାତ୍ର ନବରଙ୍ଗପୁର ଗ୍ରସ୍ତରେ ଆସିଥିବା ବେଳେ ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘର ସଦସ୍ୟମାନେ ତାଙ୍କୁ ଭେଟି ଜିଲ୍ଲାର ବିଦ୍ୟୁତ ସମସ୍ୟା ବିଷୟରେ ଜଣାଇଥିଲେ ଏବଂ ସମାଧାନ ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉନଥିବା ଜଣାଇଥିଲେ।

ସେପଟେ ବିଦ୍ୟୁତ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଟ୍ରାନ୍ସଫର୍ମରଗୁଡିକ ଲଗାଇବା ପାଇଁ ଟେଣ୍ଡର ଡକାଯାଇ ଠିକାଦାର ମାନେ କାମ ପାଇଥିଲେ ମଧ୍ୟ ବର୍ଷ ବର୍ଷ ବିତିଯାଉଛି ହେଲେ ଟ୍ରାନ୍ସଫର୍ମର ବସିପାରୁନାହିଁ। ଟ୍ରାନ୍ସଫର୍ମର ବସିଲେ ସଂଯୋଗୀକରଣ ହୋଇପାରୁନାହିଁ। ଜିଲ୍ଲାପରିଷଦ ବୈଠକରେ ନିର୍ବାହୀ ଯନ୍ତ୍ରୀ କହିଥିଲେ ଯେ ଟ୍ରାନ୍ସଫର୍ମରଗୁଡିକ ବସିଲେ ଲୋଭୋଲ୍ଟେଜ଼ ସମସ୍ୟା ଦୂର ହେବ। ହେଲେ ତାହା ଆଜି ଯାଏଁ ହୋଇ ପାରିନାହିଁ।

Comment