ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଏଚ୍‌ ଡି କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବି କର୍ଣ୍ଣାଟକରେ ରାଜନୀତିକ ଅସ୍ଥିରତା ଥମିନି। ଗତ ଦୁଇ ଦିନ ତଳେ ୩ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିବା ବାଚସ୍ପତି କେ ଆର୍ ରମେଶ କୁମାର ଆଜି ଆଉ ୧୧ ଜଣଙ୍କୁ ଯୋଗ୍ୟ ଘୋଷଣା କରିଛନ୍ତି। ଫଳରେ କର୍ଣ୍ଣାଟକ ନାକଟରେ ନୂଆ ମୋଡ଼ ଆସିଛି। ଅଯୋଗ୍ୟ ଘୋଷଣା ହୋଇଥିବା ବିଧାୟକଙ୍କ ମଧ୍ୟରେ କଂଗ୍ରେସର ୧୧ ଜଣ ଥିବା ବେଳେ ଜେଡିଏସ୍‌ର ୩ ଜଣ ଅଛନ୍ତି।

ଦଳ ବଦଳ ଆଇନ ଅନୁସାରେ ବାଚସ୍ପତି ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ଫଳରେ ସେମାନେ ୨୦୨୩ ମଧ୍ୟରେ ହେବାକୁ ଥିବା ନିର୍ବାଚନ ଲଢ଼ି ପାରିବେ ନାହିଁ।

କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିଜେପି ନେତା ବି ଏସ୍‌ ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସୋମବାର ଦିନ ୟେଦ୍ୟୁରପ୍ପା କର୍ଣ୍ଣାଟକ ବିଧାନେସଭାରେ ଆସ୍ଥା ଭୋଟର ସମ୍ମୁଖିନ ହେବେ। ସରକାର ଗଠନ ପାଇଁ ସେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ।

କର୍ଣ୍ଣାଟକ ବିଧାନସଭାରେ ମୋଟ ୨୨୨ ବିଧାୟକଙ୍କ ମଧ୍ୟରୁ ୧୪ ଜଣ ଅଯୋଗ୍ୟ ଘୋଷିତ ହେବା ପରେ ମୋଟ ବିଧାୟକଙ୍କ ସଂଖ୍ୟା ୨୦୮କୁ ଖସି ଆସିଛି। ବିଜେପିକୁ ସରକାର ଗଠନ ପାଇଁ ୧୦୪ ବିଧାୟକଙ୍କ ସମର୍ଥକ ଦରକାର। ଏବେ ବିଜେପି ପାଖରେ ୧୦୫ ବିଧାୟକ ଅଛନ୍ତି। ଦୁଇ ଜଣ ସ୍ୱାଧୀନ ବିଧାୟକ ମଧ୍ୟ ବିଜେପିକୁ ସମର୍ଥନ କରୁଛନ୍ତି।

ଏହି ୧୪ ଜଣ ବିଧାୟକ କୁମାରସ୍ୱାମୀଙ୍କ ସରକାରରୁ ଇସ୍ତଫା ଦେଇଥିଲେ। କୁମାରସ୍ୱାମୀ ସରକାର ଆସ୍ଥା ଭୋଟର ସମ୍ମୁଖିନ ହୋଇଥିବା ବେଳେ ଏହି ୧୪ ବିଧାୟକ ବିଧାନସଭାରେ ଅନୁପସ୍ଥିତ ଥିଲେ।

Comment