ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀମନ୍ଦିରକୁ ପାନ ଓ ଗୁଟଖା ମନା। ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ଅଗଷ୍ଟ ପହିଲାରୁ ଏହି କଟକଣା ଲାଗୁ ହେବ। ଧରାପଡ଼ିଲେ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ପାନ ଓ ଗୁଟଖା ପ୍ରବେଶ ନିଷିଦ୍ଧ ନେଇ ଶ୍ରୀମନ୍ଦିର ଭିତରେ ଓ ବାହାରେ ସୂଚନା ଫଳକ ଲାଗିବ।

ସେବାୟତ ଏବଂ ଭକ୍ତ କେହି ବି ପାନ ଖାଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ‘‘ଶ୍ରୀମନ୍ଦିରରେ ସଂସ୍କାର ଆଣିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ଉଦ୍ୟମ କରୁଛନ୍ତି। ଏଣୁ ଶ୍ରୀମନ୍ଦିରକୁ ପାନ, ଗୁଟଖା ବାରଣ ପାଇଁ ନିଷ୍ପତ୍ତି ହୋଇଛି। ଉଭୟ ସେବାୟତ ଏବଂ ଭକ୍ତଙ୍କ ଉପରେ ଏହି କଟକଣା ଲଗାଇବାକୁ ନିଷ୍ପତ୍ତି ହୋଇଛି।’’

ଚଳିତ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରାଯାଇଥିବାରୁ ପରିଚାଳନା କମିଟି ବୈଠକରେ ରାଜ୍ୟ ସରକାର, ସେବାୟତ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧନ୍ୟବାଦ ଦିଆଯାଇଥିଲା। ଏହାସହ ଶ୍ରୀମନ୍ଦିରକୁ ଫୁଲରେ ସଜ୍ଜିତ କରିଥିବା ଦିଲ୍ଲୀର କେ କେ ଶର୍ମାଙ୍କୁ ସମ୍ମାନିତ କରିବା ପାଇଁ ନିଷ୍ପତ୍ତି ହୋଇଛି।

ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି, ‘‘ସ୍ନାନ ପୂର୍ଣ୍ଣିମା ଓ ନୀଳାଦ୍ରି ବିଜେ ମଧ୍ୟରେ ଯେଉଁ ବିଶୃଙ୍ଖଳା ଦେଖାଦେଇଥିଲା ତାର ସମୀକ୍ଷା ପାଇଁ ସବ୍‌କମିଟି ଗଠନ କରାଯାଇଛି। ବିଶୃଙ୍ଖଳା କରିଥିବା ୨୫ ସେବାୟତଙ୍କୁ ଚିହ୍ନଟ କରାଯାଇଛି।’’

ଶ୍ରୀମନ୍ଦିର ପୂଜକ ଅନ୍ୟ ମନ୍ଦିରରେ ପୂଜା କରୁଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ମୁଖ୍ୟ ପ୍ରଶାସକ କହିଛନ୍ତି ଯେ ଅଭିଯୋଗ ଉପରେ ବିଚାର କରାଯାଉଛି। ପଦକ୍ଷେପ ନିଆଯିବ।

Comment