ଓଡ଼ିଶାଲାଇଭ ବ୍ୟୁରୋ

ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ। ତାଙ୍କ ପାଖରେ ସଂଖ୍ୟା ଗରିଷ୍ଠତା ରହିଛି ବୋଲି ସେ ଦୃଢ଼ତାର ସହ କହିଛନ୍ତି। ଏହାସହିତ କଂଗ୍ରେସ- ଜେଡିଏସ ଦ୍ୱାରା  ପ୍ରସ୍ତୁତ ଅର୍ଥବିଲକୁ ଯଥାରୀତି ଗୃହରେ ଉପସ୍ଥାପନା କରିବେ ବୋଲି ମଧ୍ୟ କହିଛନ୍ତି।

ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବା ପରେ ପ୍ରଥମେ ଅର୍ଥବିଲକୁ ଗୃହୀତ କରିବା ତାଙ୍କର ପ୍ରଥମ କାମ ବୋଲି ସେ କହିଛନ୍ତି।

ଆସ୍ଥାଭୋଟରେ ବିଜେପି ବିଜୟୀ ହେବା ଏକ ପ୍ରକାର ସୁନିଶ୍ଚିତ ହୋଇଛି। କାରଣ ବିଜେପିର ନିଜ ବିଧାୟକ ସଂଖ୍ୟା ୧୦୫ ଥିଲାବେଳେ ଜଣେ ସ୍ୱାଧୀନ ବିଧାୟକ ସମର୍ଥନ କରୁଛନ୍ତି।

ଏଚଡି କୁମାରସ୍ୱାମୀ ସରକାର ଭାଙ୍ଗିବା ପରେ ବିଏସ ୟେଦିୟୁରପ୍ପା ଶୁକ୍ରବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ନୂତନ ସରକାରକୁ ବହୁମତ ଦେଖାଇବା ପୂର୍ବରୁ କର୍ଣ୍ଣାଟକ ବିଧାନସଭାର ଅଧ୍ୟକ୍ଷ କେ.ଆର ରମେଶ କୁମାର ରବିବାର ୧୪ ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ବୋଲି ଘୋଷଣା କରିଥିଲେ। ବାଚସ୍ପତିଙ୍କ ଏହି ନିଷ୍ପତ୍ତି ପରେ କର୍ଣ୍ଣାଟକ ବିଧାନସଭାରେ ଏବେ ୨୦୭ ବିଧାୟକ ଅଛନ୍ତି।

ଅର୍ଥାତ ୟେଦିୟୁରପ୍ପାଙ୍କୁ ବହୁମତ ଦେଖାଇବାକୁ ହେଲେ ୧୦୪ ଜଣ ବିଧାୟକଙ୍କ ସମର୍ଥନ ଦରକାର। ଏବେ ବିଜେପି ନିକଟରେ ୧୦୫ ଜଣ ବିଧାୟକ ଅଛନ୍ତି। ଏତଦ ବ୍ୟତୀତ ଜଣେ ସ୍ୱାଧୀନ ବିଧାୟକ ମଧ୍ୟ ଦଳ ପଛରେ  ଅଛନ୍ତି।

Comment