ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ରସଗୋଲା ଲଢ଼େଇରେ ବଡ଼ ବିଜୟ ହାସଲ କରିଛି ଓଡ଼ିଶା। ‘ଓଡ଼ିଶା ରସଗୋଲା’କୁ ମିଳିଲା ଜିଆଇ ଟ୍ୟାଗ୍‌। ଜିଆଇ ଟ୍ୟାଗ୍‌ ମିଳିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ଏହାକୁ ସ୍ୱାଗତ କରିଛନ୍ତି। ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହା ଖୁସି ଖବର ବୋଲି କହିଛନ୍ତି ଧର୍ମେନ୍ଦ୍ର।

‘‘ପୃଥିବୀର କୋଣ ଅନୁକୋଣରେ ରହୁଥିବା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଖୁସି ଖବର। ‘ଓଡ଼ିଶା ରସଗୋଲା’କୁ ଜିଆଇ ଟ୍ୟାଗ ମିଳିଥିବାରୁ ପ୍ରତ୍ୟେକ ଓଡ଼ିଆ ଖୁସି ହେବା ଦରକାର। ଓଡ଼ିଶା ରସଗୋଲା ହେଉଛି ସ୍ୱତନ୍ତ୍ର। ଓଡ଼ିଶାର ସଂସ୍କୃତି ଏବଂ ପରମ୍ପରା ସହ ରସଗୋଲା ଯୋଡ଼ି ହୋଇ ରହିଛି। କାହିଁ କେଉଁ ପ୍ରାଚୀନ କାଳରୁ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ରସଗୋଲା ଭୋଗ ହୋଇ ଆସୁଛି। ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ ମିଳିବାକୁ ନେଇ ସବୁ ଓଡ଼ିଆ ଗର୍ବ କରିବା ଉଚିତ’’, ଟୁଇଟ୍ କରି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ରସଗୋଲାର ଉତ୍ପତ୍ତିକୁ ନେଇ ୨୦୧୫ରୁ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଭିତରେ ଲଢ଼େଇ ଚାଲିଥିଲା। ୨୦୧୭ରେ ବାଂଲା ରସଗୁଲ୍ଲାକୁ ଜିଆଇ ଟ୍ୟାଗ ମିଳିବା ପରେ ଆଜି ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍‌ ମିଳିଛି।

Comment