ଓଡ଼ିଶାଲାଇଭ ବ୍ୟୁରୋ

୨୦୧୭ ମସିହାରେ ଉନ୍ନାଓରେ ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତାଙ୍କୁ ଦୁର୍ଘଟଣା କରି ଜୀବନରୁ ମାରି ଦେବାକୁ ଷଡ଼ଯନ୍ତ୍ର କରାଯାଇଥିବା ଅଭିଯୋଗ ହୋଇଛି।

ବହୁଚର୍ଚ୍ଚିତ ଉତ୍ତରପ୍ରଦେଶ ଉନ୍ନାଓ ଗଣଦୁଷ୍କର୍ମ ମାମଲା ପୁଣିଥରେ ଚର୍ଚ୍ଚାକୁ ଆସିଛି। ଗଣବଳାତ୍କାରର ଶିକାର ହୋଇଥିବା ପୀଡ଼ିତା ଏବେ ଗାଡ଼ି ଦୁର୍ଘଟଣାର ଶିକାର ହୋଇଛନ୍ତି। ଏହି ଦୁର୍ଘଟଣାରେ ପୀଡ଼ିତାଙ୍କ ମା’ ଏବଂ ଖୁଡ଼ିଙ୍କ ମୃତ୍ୟୁ ଘଟିଛି। ଗୁରୁତର ଭାବେ ଆହତ ହୋଇଥିବା ପୀଡ଼ିତା ଏବେ ମେଡିକାଲରେ ଚିକିତ୍ସା ହେଉଛନ୍ତି। ମେଡିକାଲ ଯାଇ ପୀଡ଼ିତାଙ୍କୁ ଭେଟିଛନ୍ତି ଦିଲ୍ଲୀ ମହିଳା କମିଶନ ସ୍ୱାତୀ ମେଲଓ୍ୱାଲ।

ମେଡିକାଲରେ ପୀଡ଼ିତା ଓ ତାଙ୍କ ପରବାର ଲାଗି ଉତ୍ତରପ୍ରଦେଶ ପୋଲିସ ସୁରକ୍ଷା ବ୍ୟବସ୍ଥା ବଢ଼ାଇଛି। ପୀଡ଼ିତାଙ୍କ ପରିବାର ଲୋକ ଦୁର୍ଘଟଣାର ସିବିଆଇ ଯାଞ୍ଚ କରିବାକୁ ଦାବି କରିଛନ୍ତି।

ଏଥିସହ ପୀଡ଼ିତାଙ୍କ ପରିବାର ଲୋକ ଦୁର୍ଘଟଣା ପାଇଁ ସ୍ଥାନୀୟ ବିଜେପି ବିଧାୟକ କୁଳଦୀପ ସେଙ୍ଗରଙ୍କୁ ଦାୟୀ କରିଛନ୍ତି। ବିଧାୟକଙ୍କ ତାଙ୍କ ପୀଡ଼ିତାଙ୍କ ହତ୍ୟା ଧମକ ଦେଇଥିବା ପରିବାର ଲୋକ କହିଛନ୍ତି। ବାରମ୍ବାର ତାଙ୍କ ହତ୍ୟା ପାଇଁ ଷଡ଼ଯନ୍ତ୍ର ହେଉଥିବା ପରିବାର ଲୋକ କହିଛନ୍ତି।

ଏହି ଦୁଷ୍କର୍ମ ମାମଲାରେ ୟୁପିର ବିଜେପି ବିଧାୟକ କୁଲଦୀପ ସେଙ୍ଗର ଅଭିଯୁକ୍ତ ଅଛନ୍ତି। ପୂର୍ବରୁ ସେ ଏହି ମାମଲାରେ ଗିରଫ ହୋଇସାରିଛନ୍ତି। ଅନ୍ୟପକ୍ଷରେ ଘଟଣାକୁ ନେଇ ୩ ଜଣଙ୍କୁ ଗିରଫ କରିବା ସହିତ ଯାଞ୍ଚ କମିଟି ଗଠିତ ହୋଇଥିବା ୟୁପି ଡଜିପି ଓପି ସିଂହ କହିଛନ୍ତି।

କେମିତି ହେଲା ଦୁର୍ଘଟଣା?

ରବିବାର ପୀଡ଼ିତା ନିଜର ମା’, ଖୁଡ଼ିଙ୍କ ସହିତ ଜେଲରେ ବନ୍ଦୀଥିବା କକାଙ୍କୁ ଭେଟିବାକୁ କାରରେ ରାୟବରେଲୀ ଯାଉଥିଲେ। ଏହି ସମୟରେ ସୁଲତାନପୁର ଖେଡ଼ା ଗାଁ ନିକଟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ତାଙ୍କ କାର୍‌କୁ ଧକ୍କା ଦେଇଥିଲା ।

ଉନ୍ନାଓ ଗଣଦୁଷ୍କର୍ମ ମାମଲା

୨୦୧୭ ମସିହାରେ ଜଣେ ଯୁବତୀ ଚାକିରି ଆଶା ନେଇ ବାଙ୍ଗରମଉ ବିଧାୟକ କୁଲଦୀପ ସେଙ୍ଗରଙ୍କ ବାସଭବନକୁ ଯାଇଥିଲେ। ହେଲେ ସେଠାରେ ବିଧାୟକ ଏବଂ ତାଙ୍କ ଭାଇ ଯୁବତୀଙ୍କୁ ଜୋର୍ ଜବରଦସ୍ତ ବଳାତ୍କାର କରିଥିଲେ। ଏ ସମ୍ପର୍କରେ ମୁହଁ ଖୋଲିଲେ ମାରିଦେବା ପାଇଁ ଧମକ ଦିଆଯାଇଥିଲା।

ଏହାକୁ ନେଇ ସାରା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଅଭିଯୁକ୍ତ ବିଧାୟକଙ୍କୁ ଗିରଫ କରିବା ପାଇଁ ଦାବି ହେଲା। ହେଲେ ଉତ୍ତରପ୍ରଦେଶ ସରକାର ପ୍ରମାଣ ନଥିବା କହି ଏଡ଼ାଇଗଲେ। ଜୋରଦାର ବିରୋଧ ହେବାକୁ ଉତ୍ତରପ୍ରଦେଶ ସରକାର ସିବିଆଇ ତଦନ୍ତ ଆଦେଶ ଦେଇଥିଲେ।

Comment