ଓଡ଼ିଶାଲାଇଭ୍ ବ୍ୟୁରୋ

ନିଖୋଜ ପୂର୍ବରୁ ସାମ୍ନାକୁ ଆସିଲା କାଫେ କଫି ଡେ’ ପ୍ରତିଷ୍ଠାତା ସିଦ୍ଧାର୍ଥଙ୍କ ଶେଷ ଚିଠି।

‘’୩୭ ବର୍ଷ ହେଲା କଠିନ ପରିଶ୍ରମ କରି କମ୍ପାନିକୁ ଆଗକୁ ନେବାକୁ ଚାହୁଁଥିଲି। କାଫେ କଫି ଡେ’ ଏବଂ ଏହା ସହ ସଂଯୁକ୍ତ ଟେକ୍ନୋଲୋଜି କମ୍ପାନିରେ ପ୍ରାୟ ୫୦ ହଜାର ଲୋକ ନିଯୁକ୍ତି ପାଇଥିଲେ। କମ୍ପାନିକୁ ଆଗକୁ ନେବା ପାଇଁ ବହୁତ ଚେଷ୍ଟା କରିଥିଲି। ହେଲେ କମ୍ପାନିକୁ ଏକ ଲାଭଖୋର ବ୍ୟବସାୟ ପ୍ରତିଷ୍ଠାନରେ ପରିଣତ କରିବାରେ ଫେଲ୍ ମାରିଗଲି’’, ଏହା ହେଉଛି ସିସିଡିର ପ୍ରତିଷ୍ଠାତା ବି ଜି ସିଦ୍ଧାର୍ଥଙ୍କ ଶେଷ ଚିଠି।

ଏହି ଆବେଗଭରା ଚିଠି ସେ କଫି ଡେ’ ପରିବାର ଏବଂ କମ୍ପାନିର ବୋର୍ଡ ଅଫ୍ ଡିରେକ୍ଟର୍ସଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି। ନିଖୋଜ ହେବା ପୂର୍ବରୁ ବି ଜି ସିର୍ଦ୍ଧାର୍ଥଙ୍କ ଏହା ଶେଷ ଚିଠି ବୋଲି କୁହାଯାଉଛି।

କାଫେ କଫି ଡେ’ର ପ୍ରତିଷ୍ଠାତା ବି ଜି ସିଦ୍ଧାର୍ଥ ସୋମବାର ସନ୍ଧ୍ୟାରୁ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ମାଙ୍ଗାଲୋର ବ୍ରିଜ ଉପରେ ସୋମବାର ସନ୍ଧ୍ୟାରେ ତାଙ୍କୁ ଦେଖିବାକୁ ମିଳିଥିଲା। ତା’ପରଠୁ ସିଦ୍ଧାର୍ଥଙ୍କର କିଛି ଖୋଜ ଖବର ମିଳୁନି।

ସିଦ୍ଧାର୍ଥଙ୍କୁ ଖୋଜିବା ପାଇଁ ପୂରା ପୋଲିସ ବାହିନୀ ଏବଂ ତଟରକ୍ଷୀ ବାହିନୀ ଲାଗିପଡ଼ିଛନ୍ତି। ଏହି ଖୋଜାଖୋଜି ବେଳେ ବି ଜି ସିଦ୍ଧାର୍ଥ ଲେଖିଥିବା ଚିଠି ସାମ୍ନାକୁ ଆସିଛି।

ଚିଠିରେ ସିଦ୍ଧାର୍ଥ ଲେଖିଛନ୍ତି, ‘‘ସିସିଡିକୁ ପ୍ରତିଷ୍ଠିତ କରିବା ପାଇଁ ମୁଁ ମୋ’ ଜୀବନର ସବୁ ସମୟ ଦେଇଛି। ମୋ’ ଉପରେ ଯେଉଁ ଲୋକମାନେ ଭରସା କରିଥିଲେ ସେମାନଙ୍କୁ ନିରାଶ କରିଥିବାରୁ ମୁଁ କ୍ଷମା ମାଗୁଛି। ମୁଁ କିଛିଦିନ ହେଲା ବହୁତ ଚାପରେ ରହିଥିଲି। ହେଲେ ଏହି ଚାପ ଆଗରେ ମୁଁ ହାର ମାନିଛି। କମ୍ପାନି ପାଇଁ ମୁଁ ଜଣେ ଘରୋଇ ନିବେଶକାରୀଙ୍କଠାରୁ କିଛି ଟଙ୍କା ଆଣିଥିଲି। କିନ୍ତୁ ଠିକ୍ ସମୟରେ ପରିଶୋଧ କରି ନପାରିବାରୁ ସେ ମୋ’ ଉପରେ ଚାପ ପକାଉଥିଲେ। ଏପରିକି କମ୍ପାନି ସେୟାର କିଣିବାକୁ ମତେ ବାଧ୍ୟ କରିଥିଲେ।’’

ଖାଲି ସେତିକି ନୁହେଁ, ୬ ମାସ ତଳେ ଜଣେ ବନ୍ଧୁଙ୍କଠାରୁ କିଛି ଟଙ୍କା ଧାର ଆଣିଥିଲି। ଏସବୁ ଟଙ୍କା ବ୍ୟବସାୟରେ ନିବେଶ କରିଥିଲି। ବନ୍ଧୁଙ୍କ ସମେତ ଅନ୍ୟ କରଜଦାତାମାନେ ଟଙ୍କା ଫେରାଇବା ପାଇଁ ଚାପ ପକାଉଥିବା ସିଦ୍ଧାର୍ଥ ଚିଠିରେ ଲେଖିଛନ୍ତି।

ଏହି ଚିଠିରେ ସିଦ୍ଧାର୍ଥ ଇନକମ୍ ଟ୍ୟାକ୍ସର ପୂର୍ବତନ ଡିଜି ତାଙ୍କୁ କେମିତି ହଇରାଣ କରିଥିଲେ ତାର ମଧ୍ୟ ଖୁଲାସା କରିଛନ୍ତି।

ଚିଠିରେ ସିଦ୍ଧାର୍ଥ ଲେଖିଛନ୍ତି ଯେ ମାଇଣ୍ଟ୍ରି କମ୍ପାନିର ସେୟାର ଏବଂ କଫି ଡେ କମ୍ପାନିର ସେୟାର ଉପରେ ତତ୍କାଳୀନ ଇନକମ୍ ଟ୍ୟାକ୍ସର ମହାନିର୍ଦ୍ଦେଶକ ରୋକ୍ ଲଗାଇଥିଲେ। ଫଳରେ ସେ ହାରାଶ ହୋଇଥିଲେ। ତତ୍କାଳୀନ ଇନକମ୍ ଟ୍ୟାକ୍ସ ମହାନିର୍ଦ୍ଦେଶକ ତାଙ୍କ ସହ ଅନ୍ୟାୟ କରିଥିବା ସିଦ୍ଧାର୍ଥ ଚିଠିରେ କହିଛନ୍ତି।

ନୂଆ ମ୍ୟାନେଜମେଣ୍ଟ ଗଠନ କରି କମ୍ପାନିକୁ ଆଗକୁ ନେବା ପାଇଁ ସିଦ୍ଧାର୍ଥ କମ୍ପାନିର ବୋର୍ଡ ଅଫ୍ ଡିରେକ୍ଟରସ୍ ଏବଂ ସିସିଡି ପରିବାରର ସଦସ୍ୟଙ୍କୁ ନିବେଦନ କରିଛନ୍ତି।

‘‘ଯାହା ବି କିଛି ଭୁଲ୍ ହୋଇଛି ସେଥିପାଇଁ ମୁଁ ଦାୟୀ। କମ୍ପାନିର ଯାହା ବି କିଛି ଟ୍ରାଞ୍ଜାକ୍ସନ ହୋଇଛି ତାହା ସେସବୁ ମୋ’ ଜାଣତରେ ହିଁ ହୋଇଛି। ମୁଁ ଯାହା ବି ନେଣଦେଣ କରିଥିଲି ସେ ସମ୍ପର୍କରେ ମୋ’ ଟିମ୍ ଏବଂ ଅଡିଟର୍ସମାନେ କିଛି ଜାଣି ନଥିଲେ। ଏଥିପାଇଁ ଆଇନ ମତେ ହିଁ ଦାୟୀ କରିବ’’, ଚିଠିରେ ଲେଖିଛନ୍ତି ସିସିଡି ପ୍ରତିଷ୍ଠାତା।

ସିସିଡି ପ୍ରତିଷ୍ଠାତାଙ୍କ ଏହି ଆବେଗଭରା ଶେଷ ଚିଠିକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ସିଦ୍ଧାର୍ଥଙ୍କ ଏହି ଶେଷ ଚିଠି ଏବେ ବିଭିନ୍ନ ମହଲରେ ଆଶଙ୍କା ସୃଷ୍ଟି କରିଛି। ଚିଠି ମିଳିବା ପରେ ସିଦ୍ଧାର୍ଥଙ୍କ ନିଖୋଜ ଏବେ ରହସ୍ୟଘେରରେ ରହିଛି।

Comment