ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ପପୁଲାର ଓଲିଉଡ ମୁଭି ‘ସୁନାପଞ୍ଜୁରି’ର ଏକ ସୁପରହିଟ୍ ଗୀତ ହେଲା ‘ପୁଚୁକି ଗାଲି ଫେସନବାଲି, ଚାଲି ତୋ ବମ୍ବେ ଦିଲ୍ଲୀ, ମୋ ବୋପାଲୋ…’। ଏହାର ଗାୟକ ହେଲେ ସୋନୁ ନିଗମ୍। ସୋନୁ ବଲିଉଡର ଜଣେ ପ୍ରଖ୍ୟାତ କଣ୍ଠଶିଳ୍ପୀ। ଆସନ୍ତୁ ତାଙ୍କ ବିଷୟରେ ଆସିବା ଅଧିକ ଜାଣିବା…
ସୋନୁ ନିଗମ ୪ବର୍ଷ ବୟସରୁ ଷ୍ଟେଜ୍ ସୋ’ କରିବା ଆରମ୍ଭ କରିଥିଲେ। ୧୯୭୩ ମସିହା ଜୁଲାଇ ୩୦ ତାରିଖରେ ହରିଆଣାର ଫରିଦାବାଦଠାରେ ଜନ୍ମ ହୁଏ ସୋନୁ ନିଗମଙ୍କର। ପିଲାଟି ଦିନରୁ ସୋନୁଙ୍କର ସଙ୍ଗୀତ ପ୍ରତି ଥିଲା ପ୍ରବଳ ଆକର୍ଷଣ। ସେ ମାତ୍ର ଚାରିବର୍ଷ ବୟସରେ ପିତା ଅଗମ ନିଗମଙ୍କ ସହିତ ଷ୍ଟେଜ୍ ସୋ’ରେ ଗାଇବା ଆରମ୍ଭ କରିଥିଲେ। ଖାଲି ସେତିକି ନୁହେଁ ବାହାଘରମାନଙ୍କରେ ବି ଗୀତ ଗାଉଥିଲେ ଶିଶୁ ସୋନୁ।
ସୋନୁ ନିଗମ ମହମ୍ମଦ ରଫିଙ୍କ ଗୀତ ହିଁ ଗାଉଥିଲେ। ଗାୟକ ହେବା ନିଶାରେ ସୋନୁ ବାପାଙ୍କ ସହିତ ୧୯ ବର୍ଷ ବୟସରେ ମୁମ୍ବାଇ ଆସିଥିଲେ। ଏଠାରେ ସେ ପ୍ରଖ୍ୟାତ ସଙ୍ଗୀତକାର ଉତ୍ସାଦ ଗୁଲାମ ମୁସ୍ତଫା ଖାନଙ୍କଠାରୁ ବିଧିବଦ୍ଧ ଭାବେ ସଙ୍ଗୀତର ପ୍ରଶିକ୍ଷଣ ନେଇଥିଲେ।
ମୁମ୍ବାଇରେ ବି ପେଟ ପୋଷିବାଲାଗି ସୋନୁ ନିଗମଙ୍କୁ ଷ୍ଟେଜ୍ ସୋ’ରେ ଗୀତ ଗାଇବାକୁ ପଡ଼ିଲା। ଟି ସିରିଜ୍ ସୋନୁ ନିଗମଙ୍କ କଣ୍ଠରେ ମହମ୍ମଦ ରଫିଙ୍କ ଗୀତ କ୍ୟାସେଟ୍ ‘ରଫି କି ୟାଦେଁ’ ଲଞ୍ଚ୍ କରିବା ପରେ ଲୋକେ ତାଙ୍କୁ ଚିହ୍ନିଲେ।
ସୋନୁ ନିଗମ୍ ପ୍ରଚ୍ଛଦପଟ୍ଟ ଗାୟକ ଭାବେ ଫିଲ୍ମ ‘ଜନମ୍’ରେ ଡେବ୍ୟୁ କରିଥିଲେ। କିନ୍ତୁ ଏହି ସିନେମା ରିଲିଜ୍ ହୋଇପାରିଲାନି। ଏହାପରେ ସେ କେତେକ ବି,ସି ଗ୍ରେଡ୍ ଫିଲ୍ମର ବି କଣ୍ଠଦାନ କରିଥିଲେ। ୧୯୯୫ରେ ସୋନୁ ନିଗମ୍ ଟେଲିଭିଜନ୍ ସୋ’ ସାରେଗାମା ହୋଷ୍ଟ କରି ଚର୍ଚ୍ଚାକୁ ଆସିଥିଲେ।
ସେହି ସମୟରେ ଟି ସିରିଜ୍ର ମାଲିକ ଗୁଲଶନ୍ କୁମାର ସୋନୁଙ୍କୁ ତାଙ୍କ ପ୍ରଯୋଜିତ ସିନେମା ‘ବେୱଫା ସନମ୍’ର ‘ଆଚ୍ଛା ସିଲହା ଦିଆ ତୁନେ…’ ଗୀତରେ କଣ୍ଠଦାନ କରିବାର ସୁଯୋଗ ଦେଇଥିଲେ। ଏହି ଗୀତ ସୁପରହିଟ୍ ହେବା ପରେ ସୋନୁ ନିଗମ୍ ଆଉ ପଛକୁ ଫେରି ଚାହିଁ ନାହାନ୍ତି।
ତା’ପରେ ପରେ ସୋନୁ ନିଗମଙ୍କୁ ଅଧିକ ଲୋକପ୍ରିୟ କରିଥିଲା ଅନୁ ମଲିକଙ୍କ ସ୍ୱର ସଂଯୋଜିତ ‘ବର୍ଡର୍’ ଫିଲ୍ମର ‘ସନ୍ଦେଶେ ଆତେ ହେଁ…’ ଓ ନଦୀମ-ଶ୍ରବଣଙ୍କ ସଙ୍ଗୀତ ନିର୍ଦ୍ଦେଶିତ ‘ପରଦେଶ୍’ ଫିଲ୍ମ ‘ୟେ ଦିଲ୍ ଦିୱାନା…’ ଗୀତ।
ହେଲେ ଆପଣ କ’ଣ ଜାଣନ୍ତି ସୋନୁ ନିଗମଙ୍କ ହାତରୁ ଖସିଯାଇଥିଲା ଏକ ଅଲ୍ଟାଇମ୍ ହିଟ୍ ଗୀତ। ସେହି ଗୀତଟି ହେଲା ‘୧୯୪୨- ଏ ଲଭ୍ଷ୍ଟୋରି’ ଫିଲ୍ମର ‘ଏକ ଲଡ୍କି କୋ ଦେଖା ତୋ ଐସା ଲଗା…’। ଏହି ଗୀତ କମ୍ପୋଜ୍ କରିବା ବେଳେ ସଙ୍ଗୀତ ନିର୍ଦ୍ଦେଶକ ରାହୁଲ ଦେବ ବର୍ମନ ସୋନୁ ନିଗମଙ୍କ କଣ୍ଠରେ ତାହା ରେକର୍ଡ କରିବେ ବୋଲି ସ୍ଥିର କରିଥିଲେ। କିନ୍ତୁ ସୋନୁଙ୍କ ଦୁର୍ଭାଗ୍ୟ, ସେହି ସୁପରହିଟ୍ ଗୀତଟି କୁମାର ଶାନୁଙ୍କ କଣ୍ଠରେ ରେକର୍ଡ କରାଯାଇଥିଲା।
କଣ୍ଠଶିଳ୍ପୀ ଭାବେ ସୋନୁ ନିଗମ୍ ଥରେ ରାଷ୍ଟ୍ରୀୟ ପୁରସ୍କାର ହାସଲ କରିଛନ୍ତି। ସେ ‘କଲ୍ ହୋ ନା ହୋ’ ସିନେମାର ଟାଇଟଲ୍ ଗୀତ ପାଇଁ ଏହି ପୁରସ୍କାର ଲାଭ କରିଛନ୍ତି।
ସୋନୁ ନିଗମ୍ ଜଣେ ସଙ୍ଗୀତ ନିର୍ଦ୍ଦେଶକ ମଧ୍ୟ। ସେ ପ୍ରଥମେ ସନ୍ନି ଦେଓଲଙ୍କ ‘ସାହିବ ସିଂ- ଦି ଗ୍ରେଟ୍’ର ଟାଇଟଲ୍ ଗୀତ କମ୍ପୋଜ୍ କରିଥିଲେ। ଏତଦ ବ୍ୟତୀତ ସୁପର୍ ସେ ‘ଜଲ୍’, ‘ଦ ମ୍ୟୁଜିକ୍ ରୁମ୍’ ଓ ‘କ୍ରେଜି ଦିଲ୍’ ଆଦି ସିନେମାର ମଧ୍ୟ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।
ସୋନୁ ନିଗମ୍ ଜଣେ ଅଭିନେତା ମଧ୍ୟ। ଶିଶୁ କଳାକାର ଭାବେ ସେ ‘କାମ୍ଚୋର୍’, ‘ବେତାବ୍’, ‘ହମ୍ସେ ହେ ଜମାନା’, ‘ତକବୀର୍’, ‘କ୍ରିଷ୍ଣା କ୍ରିଷ୍ଣା’, ‘ପ୍ୟାରା ଦୁଷ୍ମନ୍’ ଆଦି ଫିଲ୍ମରେ ଅଭିନୟ କରିଛନ୍ତି। ନାୟକ ଭାବେ ସୋନୁ ‘ଜାନି ଦୁଷ୍ମନ: ଏକ ଅନୋଖି କାହାନୀ’, ‘କାଶ୍ ଆପ୍ ହମାରେ ହୋତେ’, ଓ ‘ଲଭ ଇନ୍ ନେପାଲ୍’ ଆଦି ଫିଲ୍ମରେ ନଜର ଆସିଛନ୍ତି।
ସୋନୁ ନିଗମ୍ଙ୍କୁ ଏବେ ବି ବଲିଉଡର ହାଇଏଷ୍ଟ୍ ଗ୍ରେଡ୍ ସିଙ୍ଗର୍ ବୋଲି କୁହାଯାଏ। ସେ ପ୍ରତି ଗୀତ ପାଇଁ ୯ରୁ ୧୦ ଲକ୍ଷ ଟଙ୍କା ନିଅନ୍ତି।