ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ରାଜ୍ୟସଭାରେ ତିନି ତଲାକ୍‌ ବିଲ୍ ପାସ୍‌ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି ସବୁ ଦଳର ସାଂସଦମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ମୋଦି କହିଛନ୍ତି ଯେ ତିନି ତଲାକ୍‌ ବିଲ୍‌କୁ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ବିଭିନ୍ନ ରାଜନୀତିକ ଦଳର ସାଂସଦ ସମର୍ଥନ ଦେଇଥିବାରୁ ଇତିହାସ ଏହାକୁ ମନେରଖିବ।

‘‘ତିନି ତଲାକ୍‌ ବିଲ୍ ପାସ୍‌ ହୋଇଥିବାରୁ ମହିଳା ସଶକ୍ତିକରଣ କ୍ଷେତ୍ର ଆହୁରି ସୁଦୃଢ଼ ହେବ। ପରମ୍ପରା ନାଁରେ ଦେଶର କୋଟି କୋଟି ମା’ ଭାଉଣୀଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରାଯାଇ ଆସୁଥିଲା। ମୁସଲମାନ ମହିଳାମାନଙ୍କୁ ସେମାନଙ୍କ ଅଧିକାର ଦେବାରେ ଆମ ସରକାର ସଫଳ ହୋଇଥିବାରୁ ମୁଁ ଗର୍ବ ଅନୁଭବ କରୁଛି’’, କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଗତ ୨୬ ତାରିଖରେ ଲୋକସଭାରେ ତିନି ତଲାକ୍‌ ବିଲ୍ ପାସ୍‌ ହେବା ପରେ ରାଜ୍ୟସଭାରେ ଆଜି ପାସ୍‌ ହୋଇଛି। ଏହି ବିଲ୍‌ ଉପରେ ରାଜ୍ୟସଭାରେ ଆଜି ଦିନ ସାରା ଚର୍ଚ୍ଚା ଲାଗି ରହିଥିଲା। ଆଲୋଚନା ପରେ ରାଜ୍ୟସଭାରେ ଭୋଟିଂ ହୋଇଥିଲା। ବିଲ୍ ସପକ୍ଷରେ ୯୯ ସାଂସଦ ଭୋଟ ଦେଇଥିବା ବେଳେ ବିପକ୍ଷରେ ୮୪ ସାଂସଦ ଭୋଟ ଦେଇଥିଲେ।

ରାଜ୍ୟସଭାରେ ଏହି ବିଲ୍ ପାସ୍‌ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ। ଏହି ବିଲ୍‌ରେ ତିନି ତଲାକ୍‌ ପ୍ରଥାକୁ ବେଆଇନ ଦର୍ଶାଯାଇଛି। ତିନି ତଲାକ୍‌ ଅଭିଯୋଗ ଆସିଲେ ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲ ଦଣ୍ଡ ହୋଇପାରେ ବୋଲି ବିଲ୍‌ରେ ନିୟମ ରହିଛି।

Comment