ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବିଗତ ଦିନର ନମ୍ବର ୱାନ ନାୟିକା ମୀନା କୁମାରୀଙ୍କୁ ଟ୍ରିପଲ ତଲାକର ଦୁଃଖ ଭୋଗିବାକୁ ପଡ଼ିଥିଲା। ଟ୍ରାଜେଡି କୁଇନ ଭାବେ ଖ୍ୟାତ ଏହି ଅଭିନେତ୍ରୀଙ୍କ ଜୀବନ ଟ୍ରାଜେଡିରେ ଭରିଯାଇଥିଲା।

ତିନି ତଲାକ୍ ପ୍ରଥାକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ। ଫଳରେ ହଜାରେ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଅମାନବୀୟ ପ୍ରଥାର ଲୋପ ଘଟିଛି। ତେବେ ଏହି ପ୍ରଥା କିପରି ମହିଳାଙ୍କ ସମ୍ମାନହାନି କରୁଥିଲା ଏବଂ ଜୀବନକୁ ଦୁଃଖରେ ଭରି ଦେଉଥିଲା, ତାହାର ଅନେକ ନଜିର ରହିଛି। ଧର୍ମ ନାଁରେ ଏହି ପ୍ରଥା ଏପରି କାୟାବିସ୍ତାର କରିଥିଲା, ଏହା କବଳରୁ ସମାଜର ପ୍ରତିଷ୍ଠିତ ବ୍ୟକ୍ତିମାନେ ମଧ୍ୟ ବର୍ତ୍ତି ପାରି ନଥିଲେ।

ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ, ବଲିଉଡ୍ ଫିଲ୍ମଷ୍ଟାର ମଧ୍ୟ ଏହି ପ୍ରଥାର ଶିକାର ହୋଇଥିଲେ। ଟ୍ରିପଲ ତଲାକର ଦୁଃଖ ଭୋଗିବାକୁ ପଡିଥିଲା ବିଗତ ଦିନର ନମ୍ବର ୱାନ ନାୟିକା ମୀନା କୁମାରୀଙ୍କୁ। ଟ୍ରାଜେଡି କୁଇନ ଭାବେ ଖ୍ୟାତ ଏହି ଅଭିନେତ୍ରୀଙ୍କ ଜୀବନ ଟ୍ରାଜେଡିରେ ଭରିଯାଇଥିଲା। ପରଦା ଉପରେ ନିଖୁଣ ଅଭିନୟ କରି ସେ ଅଗଣିତ ଦର୍ଶକଙ୍କୁ କନ୍ଦାଇଛନ୍ତି, ହେଲେ ଏହି ତିନି ତଲାକ୍ ପରମ୍ପରା ତାଙ୍କୁ ବାସ୍ତବ ଜୀବନରେ ବହୁତ କନ୍ଦାଇଛି। ନଜର ପକାଇବା ତାଙ୍କର ଦୁଃଖ କାହାଣୀ ଉପରେ।

୧୯୫୨ ମସିହା। ମାତ୍ର ୧୮ ବର୍ଷ ବୟସରେ ଫିଲ୍ମ ନିର୍ଦ୍ଦେଶକ କମାଲ ଅମରୋହିଙ୍କୁ ପ୍ରେମ-ବିବାହ କରିଥିଲେ ମୀନା କୁମାରୀ। ବେଶ୍‌ ହସଖୁସିରେ ଚାଲିଥିଲା ତାଙ୍କ ସଂସାର। ହେଲେ ଏହି ଖୁସି ବେଶୀ ଦିନ ରହିନଥିଲା। ମୀନାକୁମାରୀ ମା’ ହେବାକୁ ଚାହୁଁଥିଲେ, ମାତ୍ର ସ୍ୱାମୀ କମାଲ ଅମରୋହି ଏଥି​‌ରେ ରାଜି ହୋଇନଥିଲେ। ଏହାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଆରମ୍ଭ ହେଲା।

ଦୁହେଁ ନିଜ ନିଜ ଜିଦରେ ଅଟଳ ରହିଲେ। ଦିନେ ଏହାକୁ ନେଇ ଜୋରଦାର ଝଗଡ଼ା ହେବାରୁ କମାଲ ଅମରୋହି ରାଗିଯାଇ କହିଥିଲେ, ତଲାକ୍ – ତଲାକ୍ – ତଲାକ୍। ତିନି ଥର ଏହି ତଲାକ୍ ଶବ୍ଦକୁ ଉଚ୍ଚାରଣ କରିବା ପରେ ଦୁହିଁଙ୍କ ଭିତରେ ତଲାକ୍ ହୋଇଯାଇଥିଲା।

ରାଗରେ ସିନା କମାଲ ଅମରୋହି ତଲାକ୍ କହିଦେଲେ, ହେଲେ ପରେ ଏ ନେଇ ସେ ଭୀଷଣ ଅନୁତାପ କଲେ। ମୀନା କୁମାରୀ ଓ କମାଲ ଅମରୋହିଙ୍କ ମଧ୍ୟରେ ଭଲପାଇବା ଅତୁଟ ଥିଲା। ପଶ୍ଚାତାପ ପରେ ପୁଣି ଥରେ ବିବାହ କରିବା ପାଇଁ ଦୁହେଁ ସ୍ଥିର କଲେ।

ହଲାଲା ନିକାହ କରିଥିଲେ ମୀନା କୁମାରୀ

ମାତ୍ର ଇସଲାମ ଧର୍ମଗୁରୁମାନେ ଏହାର ବିରୋଧ କଲେ। ସେମାନେ କହିଲେ, ତଲାକ୍ ହେବା ପରେ  ଯଦି ପୁଣି ଥରେ ବିବାହ ହେବ, ତେବେ ଛାଡ଼ପତ୍ର ଦେଇଥିବା ପତ୍ନୀଙ୍କୁ ହଲାଲା ନିକାହ କରିବାକୁ ହେବ।

ହଲାଲ ନିକାହ ଅର୍ଥ ହେଉଛି, ମହିଳା ଜଣକ ଆଉ ଜଣେ ପୁରୁଷଙ୍କୁ ବିବାହ କରି ତାଙ୍କ ସହ ସ୍ୱୀମୀ-ସ୍ତ୍ରୀର ସଂପର୍କ ରଖିବ। ଏହାପରେ ସେଠାରୁ ତଲାକ୍ ପାଇବା ପରେ ପୁଣି ଥରେ ପୂର୍ବ ସ୍ୱାମୀଙ୍କୁ ବିବାହ କରିପାରିବ।

ଏହା ଜଣେ ମହିଳାଙ୍କ ପାଇଁ ସବୁଠୁ ବଡ଼ ଅପମାନଜନକ ବ୍ୟବସ୍ଥା। ହେଲେ ମୀନା କୁମାରୀଙ୍କ ନିକଟରେ ଏହି ଧାର୍ମିକ ପ୍ରଥାକୁ ମାନିବା ଛଡ଼ା ଅନ୍ୟ କିଛି ଉପାୟ ନଥିଲା। ଶେଷରେ କମାଲ ଅମରୋହିଙ୍କ ବନ୍ଧୁ ଅମାନ୍ ଉଲ୍ଲା ଖାନଙ୍କୁ (ଜୀନତ ଅମନଙ୍କ ବାପା) ହଲାଲା ନିକାହ କରିଥିଲେ ମୀନା କୁମାରୀ। ପରେ ଅମାନ୍ ଉଲ୍ଲାଙ୍କଠାରୁ ତଲାକ୍ ନେଇ ପୁଣି ଥରେ ବିବାହ କରିଥିଲେ କମାଲ ଅମରୋହିଙ୍କୁ।

ମାତ୍ର ଏହି ଘଟଣା, ମୀନା କୁମାରୀ ଓରଫ୍ ମହଜବିଁ ବାନୋଙ୍କୁ ଏତେ କଷ୍ଟ ଦେଇଥିଲା ଯେ ସେ ପୂରା ଭାଙ୍ଗି ପଡିଥିଲେ। ଥରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଥିଲେ, “ଧର୍ମ ନାଁରେ ମୋତେ ମୋ ଶରୀରକୁ ପରପୁରୁଷ ନିକଟରେ ସମର୍ପିବାକୁ ପଡ଼ିଲା, ତେବେ ମୁଁ ଆଉ ଜଣେ ଦେହଜୀବୀ ମଧ୍ୟରେ କ’ଣ ଫରକ ରହିଲା?”

ମୀନା କୁମାରୀଙ୍କ ଏହି ଦୁଇପଦ କଥାରୁ ତାଙ୍କ ଦୁଃଖ କେତେ ଗଭୀର ଥିଲା, ତାହା ଅନୁମାନ କରିହୁଏ। ଏହି ଦୁଃଖକୁ ଭୁଲିବା ପାଇଁ ସେ ମଦ ପିଇବା ଆରମ୍ଭ କଲେ। କୁହାଯାଏ, ଅତ୍ୟଧିକ ମଦ୍ୟପାନ ହିଁ ତାଙ୍କ ମୃତ୍ୟୁର କାରଣ ହୋଇଥିଲା।

ମାତ୍ର ୩୯ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା।

Comment