ଓଡ଼ିଶାଲାଇଭ୍ ବ୍ୟୁରୋ

ତିନି ତଲାକ୍‌ କାହାଣୀର ଚିତ୍ର ହୃଦୟ ବିଦାରକ। କେଉଁ ସ୍ତ୍ରୀକୁ ତା’ ସ୍ୱାମୀ ଲଫାପାରେ ତଲାକ୍ ଦେଇଥିଲା ତ ଆଉ କିଏ ମେସେଜ ଓ ଫୋନରେ ଦେଇଥିଲା ତଲାକ୍‌।

ମେସେଜରେ ଆସିଥିଲା ତଲାକ୍‌

ନାଁ ସାୟରା ବାନୋ। ଘର ଉତ୍ତରାଖଣ୍ଡର କାଶୀପୁରରେ। ୨୦୦୧ରେ ବିବାହ କରିଥିବା ସାୟରାଙ୍କୁ ତାଙ୍କ ସ୍ୱାମୀ ୨୦୧୫ରେ ତଲାକ୍‌ ଦେଇଥିଲେ। ସ୍ୱାମୀଙ୍କ ମୁହଁରୁ ତଲାକ୍‌ ଶବ୍ଦ ଶୁଣି ସାୟରା ସିଧା ତାଙ୍କ ବାପ ଘରକୁ ଚାଲି ଆସିଥିଲେ। ତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ରହିଛନ୍ତି।

ପିଲାମାନଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବା ସାୟରାଙ୍କ ପକ୍ଷେ ସମ୍ଭବ ହେଲାନି। ଶେଷରେ ଦିଲ୍ଲୀ ଆସି ସାୟରା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ନିଜ ହକ୍‌ ପାଇଁ ଲଢ଼େଇ କରିଥିଲେ।

ମୁସ୍‌ଲିମ୍ ସଂପ୍ରଦାୟରେ ପ୍ରଚଳିତ ହୋଇ ଆସୁଥିବା ଏହି କୁତ୍ସିତ ପ୍ରଥାକୁ ବନ୍ଦ କରିବାକୁ କୋର୍ଟରେ ଆବେଦନ କରିଥିଲେ। ମୁସ୍‌ଲିମ୍‌ ସଂପ୍ରଦାୟରେ ପ୍ରଚଳିତ ଥିବା ଏକାଧିକ ବିବାହ ପ୍ରଥାକୁ ମଧ୍ୟ ବେଆଇନ ଦର୍ଶାଇବାକୁ ସେ କୋର୍ଟରେ ଆବେଦନ କରିଥିଲେ।

ଲଫାପାରେ ତଲାକ୍‌ ପାଇଥିଲେ ଗୁଲସନ

ତିନି ତଲାକ୍‌ ବିରୋଧରେ ଲଢ଼େଇ ଲଢ଼ିଥିବା ଆଉ ଜଣେ ମହିଳା ହେଉଛନ୍ତି ଗୁଲସନ ପରବିନ୍‌। ଚାରି ବର୍ଷ ତଳେ ସ୍ୱାମୀଙ୍କଠାରୁ ତଲାକ୍‌ ପାଇବା ପରେ ସେ କୋର୍ଟର ଆଶ୍ରୟ ନେଇଥିଲେ। ତିନି ତଲାକ୍‌ ବିଲ୍ ପାସ୍‌ ହେବା ପରେ ବି ଗୁଲସନ ଖୁସି ହୋଇପାରି ନାହାନ୍ତି। କାରଣ ତାଙ୍କ ସ୍ୱାମୀ ଆଉ ଜଣଙ୍କୁ ବିବାହ କରି ସାରିଛନ୍ତି।

୨୦୧୫ରେ ଉତ୍ତରପ୍ରଦେଶର ଗୁଲସନଙ୍କୁ ତାଙ୍କ ସ୍ୱାମୀ ତଲାକ୍‌ ଦେଇଥିଲେ। ଲଫାପାରେ ତିନି ଥର ତଲାକ୍‌ ଲେଖି ପଠାଇବା ପରେ ଗୁଲସନ ତାଙ୍କ ପିଲାକୁ ଧରି କେମିତି ଚଳିବେ ଚିନ୍ତାରେ ପଡ଼ିଥିଲେ। ଶେଷରେ ନିଜ ହକ୍‌ ପାଇଁ ସେ ଓକିଲଙ୍କ ସହ ପରାମର୍ଶ କରିଥିଲେ। ଦିଲ୍ଲୀ ଆସି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

‘‘ମୋ ପାଖରେ କୌଣସି ସାର୍ଟିଫିକେଟ ନାହିଁ। ଫଳରେ ମୁଁ ଚାକିରି କରିପାରୁ ନାହିଁ। ମୋ ସାର୍ଟିଫିକେଟ ଶାଶୂଘରେ ରହିଯାଇଛି। ମୁଁ ଦୁଇଟି ମାମଲା ଲଢୁଛି। ଘରୋଇ ହିଂସା ବିରୋଧରେ ତଳ କୋର୍ଟରେ ମାମଲା ଚାଲିଥିବା ବେଳେ ସୁପ୍ରିମକୋର୍ଟରେ ତିନି ତଲାକ୍‌ ବିରୋଧରେ ଲଢ଼େଇ କରୁଥିଲି। ଘରୋଇ ହିଂସା ମାମଲାରେ ମତେ ମାସିକ ୬ ହଜାର ଟଙ୍କା ଭତ୍ତା ମିଳୁଛି। ଏଥିରେ ମୁଁ ଏବଂ ମୋ’ ପୁଅ ଚଳିବା କଷ୍ଟକର ହୋଇଯାଉଛି’’, କହିଛନ୍ତି ଗୁଲସନ।

ସାଧା କାଗଜରେ ତଲାକ୍‌, ଉଜୁଡ଼ିଗଲା ସମ୍ପର୍କ

ଗୋଟିଏ ସାଧା କାଗଜରେ ସ୍ୱାମୀ ତିନି ତଲାକ୍‌ ଲେଖିଦେବାରୁ ସ୍ୱାମୀ-ସ୍ତ୍ରୀଙ୍କ ପବିତ୍ର ସମ୍ପର୍କ ଉଜୁଗଡ଼ିଗଲା। ଏହି କାହାଣୀ ହେଉଛି ଉତ୍ତରପ୍ରଦେଶ ସାହାରନପୁରର ଆତିୟା ସାବରୀଙ୍କର।

୨୦୧୨ରେ ଆତିୟାଙ୍କର ବାହାଘର ହୋଇଥିଲା। ବାହାଘର ପରେ ଦୁଇଟି ଝିଅଙ୍କର ମା’ ମଧ୍ୟ ହୋଇ ସାରିଥିଲେ ଆତିୟା। ହେଲେ ଆତିୟା ପୁଅ ବଦଳରେ ଦୁଇଟି ଝିଅ ଜନ୍ମ ଦେଇଥିବାରୁ ଶାଶୂଘର ଲୋକ ତାଙ୍କୁ ନିର୍ଯାତନା ଦେଇ ଆସୁଥିଲେ। ଶେଷରେ ସାଧା କାଗଜରେ ସ୍ୱାମୀ ଆତିୟାଙ୍କୁ ତଲାକ୍‌ ଦେଇଥିଲେ।

ଫୋନରେ ସ୍ୱାମୀ କହିଥିଲେ ତଲାକ୍‌

କଲିକତାର ହାୱାଡ଼ା ନିକଟରେ ରହୁଥିବା ଇସରତ୍ ଜହାଁଙ୍କ ତଲାକ୍‌ କାହାଣୀ କିଛି କମ୍ ନୁହେଁ। ଦୁବାଇରୁ ତାଙ୍କ ସ୍ୱାମୀ ଫୋନରେ ତଲାକ୍‌ କହିବା ପରେ ଇସରଥ୍ ଶାଶୂ ଘରୁ ଚାଲି ଆସିଥିଲେ।

୨୦୧୧ ମସିହାର ଘଟଣା। ଇସରତ୍‌ଙ୍କୁ ଯେତେବେଳେ ୧୪ ବର୍ଷ ବୟସ ହୋଇଥିଲା ସେତେବେଳେ ତାଙ୍କର ବାହାଘର ହୋଇଥିଲା। ଇସରତ୍‌ ଦୁଇଟି ଛୁଆର ମା’ ମଧ୍ୟ ହୋଇ ସାରିଥିଲେ। ଇସରତ୍‌ଙ୍କ ସ୍ୱାମୀ ଦୁବାଇରେ ରହୁଥିଲେ। ପାରିବାରିକ କନ୍ଦଳକୁ ନେଇ ଦୁବାଇରେ ଥିବା ସ୍ୱାମୀ ଇସରତ୍‌ଙ୍କୁ ଫୋନରେ ତଲାକ୍‌ ଦେଇଥିଲେ।

ଖାଲି ସେତିକି ନୁହେଁ, ଦୁଇ ଛୁଆଙ୍କ ମଧ୍ୟରୁ ଜଣଙ୍କୁ ଶାଶୂ ଘର ଲୋକ ରଖିଥିଲେ। ତାଙ୍କ ସ୍ୱାମୀ ମଧ୍ୟ ଦ୍ୱିତୀୟ ବିବାହ କରି ସାରିଛନ୍ତି।

ଏହାକୁ ନେଇ ଇସରତ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ନିଜ ଅଧିକାର ପାଇଁ ଲଢ଼େଇ କରିଥିଲେ।

Comment