ବିଜୟମୋହନ ମିଶ୍ର

‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍‌ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର ସ୍ମୃତି ଓ ଶାଣିତ ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରୁଛନ୍ତି।

ଡ଼ିଆ ଓ ଓଡ଼ିଶା(୧୧)

ମଣିଷର ମନ ଯେପରି ମଣିଷର ଅଧିକାରରେ ନାହିଁ। ମଣିଷର ଭାବନା ମଧ୍ୟ ମଣିଷର ଅଧିକାରରେ ନାହିଁ। କେତେବେଳେ କି ଭାବନା ମନକୁ ଆସୁଛି, ତା’ର କୌଣସି ବୈଜ୍ଞାନିକ ଗବେଷଣା ହୋଇନାହିଁ। ପୁରୁଣା ମନୁଷ୍ୟ ଧାରଣା କଲା ଯେ’ ସବୁ ଭାବନା ଦୈବୀଗତ – ଶୂନ୍ୟରୁ ଆସୁଛି। ଏ ପ୍ରକାର ଶୂନ୍ୟକୁ ପରେ ବୈଦିକ ଦାର୍ଶନିକ ମାନେ “ପରା” ନାମରେ ନାମିତ କଲେ। “ପରା” ଶବ୍ଦ ବହୁ ପ୍ରାଚୀନ ହୋଇପାରେ। ଆମର ଜ୍ଞାନ ଓ ଗୋଚର ଶକ୍ତିର ବାହାର ପ୍ରକ୍ରିୟାକୁ ସଂସ୍କୃତରେ “ପରା” ବୋଲି କୁହାଯାଇଥାଏ।

“ପରା” ଭୌତିକ ଶକ୍ତିର ବାହାରେ। ଓଡ଼ିଆ ଦର୍ଶନରେ “ପରା ”ଅଲୌକିକ। “ପରା” ଆମକୁ ଭାବନା ଦିଏ, ଆମର ଲକ୍ଷ୍ୟ ନିର୍ଦ୍ଧାରଣ କରେ, ଆମକୁ ଆବଶ୍ୟକତା ଅନୁସାରେ ଦିଗଦର୍ଶନ କରାଏ। “ପରା ”ମନୁଷ୍ୟର ସୃଜନଶକ୍ତିର ଆଧାର। ସମସ୍ତ ସୃଷ୍ଟି “ପରା” ଶକ୍ତିର ଅଧୀନ ବୋଲି ଆମର ଦର୍ଶନ। “ପରା” ଭାବନା ସୃଜନାତ୍ମକ – ଅନେକ ଏହାକୁ ଶୂନ୍ୟବାଣୀ ବୋଲି କହିଥାନ୍ତି।

ସୃଜନାତ୍ମକ ଭାବନା ବ୍ୟତୀତ ଆମର ମଧ୍ୟ ବୈଷୟିକ ଭାବନା ଅଛି। ବୈଷୟିକ ଭାବନାର ସୀମା ଓ କାର୍ଯ୍ୟସୀମିତ। ସଂସାରର ଚଳଣି, ଦେହର ସ୍ଵାସ୍ଥ୍ୟ, ଖାଦ୍ୟପେୟ, ଗତିବିଧି–ଏ’ ସମସ୍ତ ଆମର ନିଜସ୍ଵ ପ୍ରକୃତିରୁ ନିୟନ୍ତ୍ରିତ ହୁଏ। ଏ’ ପ୍ରକାର ଭାବନା ନୈସର୍ଗିକ ନୁହେଁ। ପ୍ରତ୍ୟେକ ବ୍ୟକ୍ତି ଆପଣାର ବୁଦ୍ଧିରେ ନିଜ ଜୀବନର ପନ୍ଥା ନିରୂପଣ କରେ।

ସୃଜନାତ୍ମକ ଭାବନା ଓ ବୈଷୟିକ ଭାବନା ଦୃଷ୍ଟିରୁ ମନର ଦୁଇଟି ରୂପ ଅଛି ବୋଲି ଭାରତୀୟ ଦାର୍ଶନିକମାନଙ୍କର ମତ। ସୃଜନାତ୍ମକ ମନ ବ୍ୟାପକ, ସତ୍ୟ ଓ ଜଗତର ହିତରେ ଉଦ୍ଦିଷ୍ଟ। ଏ ମନର ଭାବନାକୁ “ପରାର୍ଥ” ବୋଲି ସାହିତ୍ୟରେ କୁହାଯାଇ ଅଛି। ଅପରପକ୍ଷରେ ବୈଷୟିକ ଭାବନା ଆମର ନିଜର ସୁଖ ନିମିତ୍ତ ଉଦ୍ଦିଷ୍ଟ। ଏ ଭାବନା ସ୍ଵାର୍ଥଗତ, ସ୍ଵଭାବତଃ ଆମେ ଆମର ଜୀବନକୁ ବୈଷୟିକ ଭାବନା ସହ ଯୋଡ଼ି ଗତି କରୁ। “ପରାର୍ଥ” ଭାବନାକୁ ଦର୍ଶନ କରିବା ସମସ୍ତଙ୍କ ପାଖରେ ସମ୍ଭବ ହୁଏ ନାହିଁ। ପରା ବାଣୀ ସମସ୍ତଙ୍କୁ ମିଳେ ନାହିଁ।

ଯୋଗ, ଧ୍ୟାନ ଓ ଏକାଗ୍ରତା ଫଳରେ “ପରା”କୁ ପ୍ରତ୍ୟକ୍ଷ କରିବା ପୁରୁଣା ଓଡ଼ିଆର ଅନ୍ୟତମ ଆବିଷ୍କାର। କଳା, ଭାସ୍କର୍ଯ୍ୟ, କାରିଗରୀ, ସଂଗୀତ, ନୃତ୍ୟ, ଚିତ୍ର ଓ କୃଷି ସର୍ବତ୍ର “ପରାକୃତି”ର ନିଦର୍ଶନ ଆମେ ଓଡ଼ିଶାରେ ଦେଖିଥାଉ। କାର୍ଯ୍ୟ ନୈସର୍ଗିକ ହେଲେ ସୁଦୃଶ୍ୟ ହୁଏ , ଚିରସ୍ଥାୟୀ ହୁଏ। ପରା ଦର୍ଶନରେ ମଣିଷର କୃତି ପରାଗତ। କୃତିଟି ଗୋଟିଏ ପ୍ରେରଣା। କୌଣସି କୃତି ଭୌତିକ ନୁହେଁ– “ପରା” ସହ ଯୋଡ଼ି ହୋଇ ଓଡ଼ିଆ କାରିଗର ମୂର୍ତ୍ତି ସୃଷ୍ଟି କରେ। ଓଡ଼ିଶାର ବିଗ୍ରହ ସୃଜନାତ୍ମକ। କଳା, ଚିତ୍ର, ସଂଗୀତ ଓ ନୃତ୍ୟ – ଏ ସମସ୍ତେ ସୃଜନାତ୍ମକ। ଏଥିରେ ବୈଷୟିକ ଭାବନା ପୂରାଇବା ଓଡିଆର ସଂସ୍କୃତି-ବିରୁଦ୍ଧ।

“ପରାଶକ୍ତି” ଭାବ ଓ ପ୍ରଭାବ ଓଡିଶାରେ କାହିଁକି ବଢ଼ିଲା, ତା’ର ଗବେଷଣା ହୋଇନାହିଁ। କୃଷି କ୍ଷେତ୍ରରେ ଉତ୍ପାଦନ ବିଶିଷ୍ଟ ସମାଜରେ ଭୂମିର ଉତ୍ପାଦନ କ୍ଷମତାକୁ ଓଡ଼ିଆ ଚାଷୀ “ପରାଶକ୍ତି” ର ଆଶୀର୍ଵାଦ ବୋଲି ଗ୍ରହଣ କରିଥିବାର ଅନୁମାନ ହୁଏ। ଆଗରୁ ଏହି “ପରାଶକ୍ତି” କୁ ଆମେ ଓଡ଼ିଶାରେ ଠାକୁରାଣୀ ଭାବରେ ପୂଜା କରୁଥିବାର ବର୍ଣ୍ଣନା କରାଯାଇଅଛି।

“ପରାଶକ୍ତି” ର ସାନ୍ନିଧ୍ୟ ଏବଂ ଆଶୀର୍ଵାଦ ଲାଗି ଓଡ଼ିଶାରେ ତନ୍ତ୍ରଶାସ୍ତ୍ରର ଉଦ୍ଭବ ହେଲା। ଜମିକୁ ଉର୍ବର କରିବା, ଶସ୍ୟରେ ସୌରଭ ଆଣିବା, ଦେହରେ ବଳ ଆଣିବା, କଣ୍ଠରେ ସ୍ଵର ଆଣିବା ଇତ୍ୟାଦିକୁ ଓଡ଼ିଶାବାସୀ “ପରାଶକ୍ତି”ର ଅବଦାନ ବୋଲି ଅନୁମାନ କରି ବିଭିନ୍ନ ସାଧନା ପ୍ରଣାଳୀ ଆବିଷ୍କାର କଲେ। ବୈଦିକ ଚିନ୍ତାଧାରା ପରେ ମନୁଷ୍ୟର ସାଂସାରିକ ସୁଖ ଶାନ୍ତି ନିମନ୍ତେ ଶକ୍ତିର ପ୍ରୟୋଗକୁ ତନ୍ତ୍ରଶାସ୍ତ୍ରରେ ଅନ୍ତର୍ଭୁକ୍ତ କରାଗଲା। ସମସ୍ତ ଦୁରୂହ କାର୍ଯ୍ୟର ସମାଧାନ ତନ୍ତ୍ର ମାଧ୍ୟମରେ କରାଯାଇପାରେ ବୋଲି ସିଦ୍ଧାନ୍ତ କରାଯାଇ ବିଭିନ୍ନ ସାଧନା ପ୍ରଣାଳୀ ପ୍ରୟୋଗ କରା ହେଲା। ତନ୍ତ୍ର ଚିକିତ୍ସା ଓ ତନ୍ତ୍ର ପ୍ରୟୋଗ ଏବେ ମଧ୍ୟ ଓଡ଼ିଶା ମାଟିରେ ଦେଖିବାକୁ ମିଳୁଥିଲେ ହେଁ ଏହାର ବୈଜ୍ଞାନିକ ବିଶ୍ଲେଷଣ କରାଯାଇନାହିଁ।

ତନ୍ତ୍ରବିଦ୍ୟା ସନ୍ଧାନରେ ଓଡ଼ିଶାରେ ବ୍ୟାୟାମ ଶୈଳୀ, ଖାଦ୍ୟ ଉପଚାର ଓ ମନୁଷ୍ୟର ଶାରୀରିକ ଦକ୍ଷତା ଉପରେ ବହୁ ନିର୍ଣ୍ଣୟ ହୋଇଅଛି। ଏ ସମସ୍ତର ବିବରଣୀ କିଛି ପରିମାଣରେ ଓଡ଼ିଶାର ପୁରୁଣା ସାହିତ୍ୟରେ ଅଛି। ଅନେକ ପୁରୁଣା ପାଣ୍ଡୁଲିପି ଅପ୍ରକାଶିତ ଥିବାର ଅନୁମାନ ହୁଏ। ଶାରଳା ଦାସଙ୍କ ମହାଭାରତ ତନ୍ତ୍ରବିଦ୍ୟାର ଗୋଟିଏ ସଂପୂର୍ଣ୍ଣ ପୋଥି। ପ୍ରାୟ ଏକ ହଜାର ବର୍ଷ ତଳେ ଓଡ଼ିଶାରେ ବିଜ୍ଞାନ ସମ୍ମତ ପ୍ରଣାଳୀରେ ତନ୍ତ୍ରବିଦ୍ୟାର ଗବେଷଣା ହୋଇଥିବାର ଅନୁମାନ ହୁଏ। ବୌଦ୍ଧସମାଜରେ ତାନ୍ତ୍ରିକ ପ୍ରୟୋଗ ଏବଂ ଜନ୍ମ ଜନ୍ମାନ୍ତର କାହାଣୀ ଓଡ଼ିଶାରୁ ସୃଷ୍ଟି ବୋଲି ଐତିହାସିକମାନଙ୍କର ମତ।

Comment