ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତାଙ୍କ ଦୁର୍ଘଟଣା ପରେ ଏହି ମାମଲାକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି। ଆଜି ଏହି ମାମଲାରେ ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ନେଇଛନ୍ତି।  ୭ ଦିନରେ ମାମଲାର ସତ୍ୟାସତ୍ୟ ଯାଞ୍ଚ ଏବଂ ୪୫ ଦିନରେ ରାୟ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ ଏହି ପୀଡ଼ିତାଙ୍କ ଦୁର୍ଘଟଣା ପରେ ଏହି ମାମଲାକୁ ନେଇ ଦେଶବ୍ୟାପି ଚର୍ଚ୍ଚା ହେଉଛି।

ଆସନ୍ତୁ ଜାଣିବା ଉତ୍ତରପ୍ରଦେଶର ଉନ୍ନାଓରେ ୨୦୧୭ରେ ହୋଇଥିବା ଏହି ଘଟଣା କେମିତି ଥିଲା?

୨୦୧୭ ମସିହାରେ ଜଣେ ଯୁବତୀ ଚାକିରି ଆଶା ନେଇ ବାଙ୍ଗରମଉ ବିଧାୟକ କୁଲଦୀପ ସିଂ ସେଙ୍ଗରଙ୍କ ବାସଭବନକୁ ଯାଇଥିଲେ। ହେଲେ ସେଠାରେ ବିଧାୟକ ଏବଂ ତାଙ୍କ ଭାଇ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ବାହାରେ ଏ ସମ୍ପର୍କରେ ମୁହଁ ଖୋଲିଲେ ମାରିଦେବା ପାଇଁ ଧମକ ମଧ୍ୟ ଦେଇଥିଲେ।

ପୀଡ଼ିତା ଜଣକ ଥାନାରେ ଏତଲା ଦେବା ପାଇଁ ଯାଇଥିଲେ। କିନ୍ତୁ ବିଧାୟକଙ୍କ ଚାପରେ ପୋଲିସ ଏତଲା ରଖି ନଥିଲା। ଓଲଟା ପୀଡ଼ିତାର ବାପାଙ୍କୁ ମିଛ ମାମଲାରେ ଫସାଇ ଗିରଫ କରିଥିଲା। ଫଳରେ ପୀଡ଼ିତା ଭୟରେ ମୁହଁ ବନ୍ଦ ରଖିଥିଲେ। କିନ୍ତୁ ଜେଲ୍‌ରେ ପୀଡ଼ିତା ବାପାଙ୍କ ମୃତ୍ୟ ହୋଇଥିଲା। ଶେଷରେ ପୀଡ଼ିତା ଦୁଃଖ ସମ୍ଭାଳି ନପାରି ଗଣମାଧ୍ୟମ ଆଗକୁ ଆସି ସବୁ ଘଟଣା କହିଥିଲେ।

ଏହାକୁ ନେଇ ସାରା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଅଭିଯୁକ୍ତ ବିଧାୟକଙ୍କୁ ଗିରଫ କରିବା ପାଇଁ ଦାବି ହେଲା। ହେଲେ ଉତ୍ତରପ୍ରଦେଶ ସରକାର ପ୍ରମାଣ ନଥିବା କହି ଏଡ଼ାଇଗଲେ। ଜୋରଦାର ବିରୋଧ ହେବାରୁ ଉତ୍ତରପ୍ରଦେଶ ସରକାର ସିବିଆଇ ତଦନ୍ତ ଆଦେଶ ଦେଇଥିଲେ।

ସିବିଆଇ ବିଧାୟକଙ୍କୁ ମାରାଥନ ଜେରା କରିବା ପରେ ବିଧାୟକଙ୍କୁ ଗିରଫ କରାଯାଇଥିଲା।

ପୀଡ଼ିତାଙ୍କ ଦୁଘର୍ଟଣା ପରେ ପୁଣି ତେଜିଲା ମାମଲା

ଗତ ରବିବାର ପୀଡ଼ିତା ନିଜର ମା’, ଖୁଡ଼ିଙ୍କ ସହିତ ଜେଲରେ ବନ୍ଦୀଥିବା କକାଙ୍କୁ ଭେଟିବାକୁ କାରରେ ରାୟବରେଲୀ ଯାଉଥିଲେ। ଏହି ସମୟରେ ସୁଲତାନପୁର ଖେଡ଼ା ଗାଁ ନିକଟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ତାଙ୍କ କାର୍‌କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପାଇଁ ସ୍ଥାନୀୟ ବିଜେପି ବିଧାୟକ କୁଳଦୀପ ସେଙ୍ଗରଙ୍କୁ ଦାୟୀ କରିଥିଲେ। ପୀଡ଼ିତା ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

Comment