ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଗୁରୁବାର ପରି ଶୁକ୍ରବାର ମଧ୍ୟ ବିଧାନସଭା ହୁଲସ୍ତୁଲ କରିଥିଲେ କଂଗ୍ରେସ ବିଧାୟକ। ଟାର୍ଗେଟରେ ଥିଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ। ଗୁରୁବାର ଦିନ ମୁସଲିମ୍‌ ମହିଳାମାନଙ୍କ ପ୍ରତି ଅପମାନସୂଚକ ମନ୍ତବ୍ୟ ଦେଇଥିବାରୁ ବିଷ୍ଣୁ କ୍ଷମା ମାଗନ୍ତୁ ଦାବିରେ ଗୃହରେ ହୋ-ହଲ୍ଲା ହୋଇଥିଲା।

ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ କରିଥିଲେ କଂଗ୍ରେସ ସଭ୍ୟ। ବିଷ୍ଣୁ ସେଠୀଙ୍କୁ ବାଣ ମାରିଥିଲେ। କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି ସିଧା ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଉଠିବାକୁ ଚେଷ୍ଟା କରିଥିଲେ। ଅନ୍ୟ ସଭ୍ୟମାନେ ଗୃହର ମଝି ଭାଗୁ ଆସି ପାଟିତୁଣ୍ଡ କରିଥିଲେ। ଫଳରେ ଗୃହ କାର୍ଯ୍ୟ ଚାଲିପାରି ନଥିଲା।

କଂଗ୍ରେସ ସଭ୍ୟଙ୍କ ହୋ-ହଲ୍ଲା ଭିତରେ ବିଷ୍ଣୁ ବି ନିଜ ଦମ୍ଭୋକ୍ତି ଦେଖାଇଥିଲେ। ‘ମୁଁ କ’ଣ ମଣିଷ ମାରିଛି କି’ ବୋଲି କଂଗ୍ରେସକୁ ପାଲଟା ବାଣ ମାରିଥିଲେ। ହେଲେ ପରିସ୍ଥିତି ଅସମ୍ଭାଳ ହେବାରୁ ଶେଷରେ ବିଷ୍ଣୁ ବିଧାନସଭାରେ ଦୁଃଖ ପ୍ରକାଶ କରିଥିଲେ।

ବିଷ୍ଣୁ କହିଥିଲେ, ‘‘ବିଧାନସଭାରେ ଯେଉଁ ମନ୍ତବ୍ୟ ଦେଇଥିଲି ତାହା ବିଭିନ୍ନ ରିପୋର୍ଟ ଆଧାରରେ। କୌଣସି ଜାତିକୁ ଆକ୍ଷେପ କରିବା ମୋର ଉଦ୍ଦେଶ୍ୟ ନଥିଲା। ମୋ’ ମନ୍ତବ୍ୟ ଯଦି କାହାକୁ ଆଘାତ କରିଥାଏ ସେଥିପାଇଁ ମୁଁ ଦୁଃଖିତ।’’

ଏହାସହ ଏହି ପ୍ରସଙ୍ଗକୁ ଆଲୋଚନାରୁ ବାଦ୍‌ ଦେବା ପାଇଁ ବିଷ୍ଣୁ ବାଚସ୍ପତିଙ୍କୁ ନିବେଦନ କରିଥିଲେ।

ଗୁରୁବାର ଦିନ ବିଧାନସଭାରେ ତିନି ତଲାକ୍‌ ବିଲ୍‌ ଉପରେ ମତ ଦେଇ ବିଷ୍ଣୁ ବିବାଦୀୟ ବୟାନ ଦେଇଥିଲେ। ସ୍ୱାମୀ ପରିତ୍ୟକ୍ତ ମୁସଲିମ୍‌ ମହିଳାମାନେ ସହରର ବିଭିନ୍ନ ରେଡ୍ ଲାଇଟ୍‌ ଅଞ୍ଚଳରେ ଦେଖିବାକୁ ମିଳିଥାନ୍ତି ଏବଂ ସେମାନେ ବେଶ୍ୟାବୃତ୍ତି କରିଥାନ୍ତି ବୋଲି କହିଥିଲେ ବିଷ୍ଣୁ।

ଏହାକୁ ଗଣ୍ଠି କରିଥିଲା କଂଗ୍ରେସ। ବିଷ୍ଣୁଙ୍କ କ୍ଷମା ଦାବି କରିଥିଲା କଂଗ୍ରେସ। ଏପରିକି ସେ କ୍ଷମା ନମାଗିଲେ ସାରା ରାଜ୍ୟରେ କଂଗ୍ରେସ ସତ୍ୟାଗ୍ରହ କରିବ ବୋଲି ଚେତାବନୀ ଦେଇଥିଲା କଂଗ୍ରେସ।

Comment