ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୁଲାଇ ୨୯ ତାରିଖରେ ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍‌ ମିଳିବା ପରେ ଓଡ଼ିଶା-ପଶ୍ଚିମବଙ୍ଗ ମଧ୍ୟରେ ଚାଲିଥିବା ମିଠା ଯୁଦ୍ଧର ମଧୁର ଅନ୍ତ ଘଟିଥିବା ବେଳେ ଆଜି ଏହାକୁ ନେଇ ପୁଣି ଉଠିଛି ବିବାଦ। ଚେନ୍ନାଇସ୍ଥିତ ଜିଆଇ ରେଜିଷ୍ଟ୍ରି ପଶ୍ଚିମବଙ୍ଗ ରସଗୋଲାକୁ ମିଲିଥିବା ଜିଆଇ ଟ୍ୟାଗ୍‌ ଉପରେ ପୁଣିଥରେ ବିଚାର କରାଯିବ ବୋଲି ଘୋଷଣା କରିଛନ୍ତି। ଏନେଇ ଜିଆଇ ରେଜିଷ୍ଟ୍ରି ପକ୍ଷରୁ ପଶ୍ଚିମବଙ୍ଗ ସରକାରଙ୍କୁ ଏକ ନୋଟିସ୍‌ ମଧ୍ୟ ଜାରି ହୋଇଛି।

ନୋଟିସ୍‌ ମୂତାବିକ, ଆସନ୍ତା ସେପ୍ଟେମ୍ବର ୬ ତାରିଖରେ ବାଂଲା ରସଗୋଲାକୁ ଜିଆଇ ଟ୍ୟାଗ୍‌ ମିଳିବା ନେଇ  ପୁନଃବିଚାର କରାଯିବ। ଏନେଇ ପଶ୍ଚିମବଙ୍ଗ ସରକାରଙ୍କ ଖାଦ୍ୟ ଓ ପ୍ରକ୍ରିୟାକରଣ ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗକୁ ଜିଆଇ ରେଜିଷ୍ଟ୍ରି ନୋଟିସ୍‌ ଜାରି କରିଛନ୍ତି। ତେବେ ବର୍ତ୍ତମାନ ଆଉ ଏକପ୍ରଶ୍ନ ଉଠିଛି, ପଶ୍ଚିମବଙ୍ଗ ହାତରୁ ରସଗୋଲା ଖସିଯିବନି ତ?

ଭୁବନେଶ୍ୱର ଚନ୍ଦକା ଅଞ୍ଚଳର ରମେଶ ଚନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତି ଚେନ୍ନାଇସ୍ଥିତ ଜିଆଇ ରେଜିଷ୍ଟ୍ରିରେ ଏନେଇ ପିଟିସନ ଦାଖଲ କରିଥିଲେ। ଏହି ପିଟିସନ ଆଧାରରେ ଜିଆଇ ରେଜିଷ୍ଟ୍ରି ରସଗୋଲା ବିବାଦକୁ ନେଇ ପୁଣିଥରେ ବିଚାର କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଆସନ୍ତା ସେପ୍ଟେମ୍ବର ୬ରେ ବାଂଲା ରସଗୋଲାକୁ ଜିଆଇ ଟ୍ୟାଗ୍‌ ମିଳିବା ନେଇ ପୁନଃବିଚାର କରାଯିବ। ଯଦି ଏହି ଦିନ ପଶ୍ଚିମବଙ୍ଗ ପକ୍ଷରୁ କେହି ଉପସ୍ଥିତ ନରୁହନ୍ତି, ତେବେ ଜିଆଇ ଆକ୍ଟ ଅନୁଯାୟୀ ରେଜିଷ୍ଟ୍ରି ପାଖରେ ଥିବା ତଥ୍ୟ ମୂତାବିକ ନିଷ୍ପତ୍ତି ଗ୍ରହଣ କରାଯିବ।

Comment