ଓଡ଼ିଶାଲାଇଭ୍‌ ବ୍ୟୁରୋ

କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆ କଟକ ଏସ୍‌ସିବି ମେଡିକାଲକୁ ଆସିବେ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ। ଗତ କିଛି ଦିନ ତଳେ ଜଗା-କାଳିଆଙ୍କ ବାପା ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ସେମାନେ ଦିଲ୍ଲୀରୁ ଓଡ଼ିଶା ଆସିବାକୁ ଚାହୁଁଥିଲେ ମଧ୍ୟ ସେମାନଙ୍କ କଥା ସରକାର ଶୁଣୁ ନଥିବା ସେ କହିଥିଲେ।

ଜଗା-କାଳିଆଙ୍କ ବାପା ଏହି ଅଭିଯୋଗ ଆଣିବା ପରେ ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ସେମାନଙ୍କ ଓଡ଼ିଶା ଫେରିବା ସମ୍ପର୍କରେ ସୂଚନା ଦେଇଛନ୍ତି।

‘‘ଜଗା-କାଳିଆ ଭୁବନେଶ୍ୱର ଏମ୍‌ସ ଆସିବା ନେଇ ଆଗରୁ ଆଲୋଚନା ହୋଇଥିଲା। କିନ୍ତୁ ଭୁବନେଶ୍ୱର ଏମ୍‌ସ କର୍ତ୍ତୃପକ୍ଷ ଏଥିରେ ରାଜି ହୋଇ ନଥିଲେ। ଏଣୁ ତାଙ୍କୁ ଭୁବନେଶ୍ୱର ଏମ୍‌ସ ବଦଳରେ କଟକ ଏସ୍‌ସିବି ମେଡିକାଲକୁ ସ୍ଥନାନ୍ତର କରାଯିବ। ଏସ୍‌ସିବିରେ ସେମାନଙ୍କୁ ଚିକିତ୍ସା ଯୋଗାଇ ଦିଆଯିବ’’, କହିଛନ୍ତି ନବକିଶୋର ଦାସ।

୨୦୧୭ରେ ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଅସ୍ତ୍ରୋପଚାର ଦିଲ୍ଲୀ ଏମ୍‌ସରେ ହୋଇଥିଲା। ଗତ ଦୁଇ ବର୍ଷ ହେଲା ସେମାନଙ୍କୁ ଦିଲ୍ଲୀ ଏମ୍‌ସରେ ଚିକିତ୍ସା ସୁବିଧା ଦିଆଯାଉଥିଲା। ହେଲେ ଜଗା-କାଳିଆ ସୁସ୍ଥ ହେଉଥିବାରୁ ସେମାନଙ୍କୁ ଦିଲ୍ଲୀରେ ନରଖି ଭୁବନେଶ୍ୱର ଏମ୍‌ସ ସ୍ଥାନାନ୍ତର କରିବାକୁ ରାଜ୍ୟ ସରକାର ଯୋଜନା କରିଥିଲେ।

ହେଲେ ଏବେ ସେମାନଙ୍କୁ ଭୁବନେଶ୍ୱର ଏମ୍‌ସ ବଦଳରେ କଟକ ଏସ୍‌ସିବି ସ୍ଥାନାନ୍ତର କରାଯିବ ବୋଲି ରାଜ୍ୟ ସରକାର କହିଛନ୍ତି।

Comment