ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ହାଇକୋର୍ଟରେ କୁନ୍ଦୁଲି ମାମଲା
  • ମାସକ ଭିତରେ ତଦନ୍ତ ରିପୋର୍ଟ ଦାଖଲ ନିର୍ଦ୍ଦେଶ
  • ୩ ସପ୍ତାହ ସମୟ ମାଗିଲେ ଆଡଭୋକେଟ ଜେନେରାଲ
  • ଖାରଜ କଲେ ହାଇକୋର୍ଟ
  • ଗଠନ ହେବ ୬ ଜଣିଆ ଏସ୍‌ଆଇଟି
  • ସେପ୍ଟେମ୍ବର ୪ରେ ପରବର୍ତ୍ତୀ ଶୁଣାଣି

କଟକ : ପୁଣି ଖୋଲିବ କୁନ୍ଦୁଲି ଗଣଦୁଷ୍କର୍ମ ଫାଇଲ୍‌। ମାସକ ଭିତରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଓଡ଼ିଶା ହାଇକୋର୍ଟ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେବା ପରେ ଏହି ମାମଲାରେ ଜଡ଼ିତ ଅପରାଧୀଙ୍କ ଛାତି ଧଡ୍‌ଧଡ୍ ହେବା ଆରମ୍ଭ କରିଛି।

ଖାଲି ସେତିକି ନୁହେଁ, କ୍ରାଇମବ୍ରାଞ୍ଚ ତଦନ୍ତ ରିପୋର୍ଟରେ ଯଦି ଆବେଦନକାରୀ ଅସନ୍ତୋଷ ପ୍ରକାଶ କରିବେ ତାହାଲେ ଏସ୍‌ଆଇଟି ଗଠନ ହେବ ବୋଲି କହିଛନ୍ତି ହାଇକୋର୍ଟ।

ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା କ୍ରାଇମବ୍ରାଞ୍ଚ ତଦନ୍ତ ଶେଷ କରିବାକୁ କୋର୍ଟଙ୍କୁ ୩ ମାସ ସମୟ ମାଗିଥିଲେ। କିନ୍ତୁ କୋର୍ଟ ଏହାକୁ ଖାରଜ କରି ଦେଇଥିଲେ। ଗୋଟିଏ ମାସ ମଧ୍ୟରେ ତଦନ୍ତ ଶେଷ କରି ରିପୋର୍ଟ ଦାଖଲ ପାଇଁ ଆଦେଶ ଦେଇଥିଲେ।

କ୍ରାଇମ୍ବ୍ରାଞ୍ଚ ତଦନ୍ତ ରିପୋର୍ଟ ଆସିବା ଭିତରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍(ଏସ୍ଆଇଟି) ଗଠନ ଲାଗି ୬ଜଣଙ୍କ ନାମ ପ୍ରସ୍ତାବ ଦେବାକୁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏସ୍‌ଆଇଟିରେ ଦୁଇଟି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ୪ଜଣ ଉଚ୍ଚପଦସ୍ଥ ଅଧିକାରୀ ଏବଂ ରାଜ୍ୟ ସରକାରଙ୍କ ଦୁଇଟି ତଦନ୍ତକାରୀ ସଂସ୍ଥାର ଦୁଇ ଜଣ ଉଚ୍ଚପଦସ୍ଥ ଅଧିକାରୀଙ୍କ ନାମ ସୁପାରିଶ୍ ପାଇଁ ହାଇକୋର୍ଟ କହିଛନ୍ତି। ଯଦି ହାଇକୋର୍ଟ କ୍ରାଇମବ୍ରାଞ୍ଚ ତଦନ୍ତ ରିପୋର୍ଟରେ ଅସନ୍ତୋଷ ପ୍ରକାଶ କରନ୍ତି ତାହେଲେ ଏସ୍‌ଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇପାରନ୍ତି।

ବିଜେପି ନେତା ଖାରବେଳ ସ୍ୱାଇଁ ଏବଂ କୁନ୍ଦୁଲି ପୀଡିତାଙ୍କ ମା’ ଡମାଇ ଛାଟିଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏସ୍. ଜାଭେରୀ ଏବଂ ବିଚାରପତି ଜଷ୍ଟିସ୍ କେ.ଆର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ସେପ୍ଟେମ୍ବର ୪ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା କୁନ୍ଦୁଲି ଗ୍ରାମପଞ୍ଚାୟତର ସୋରିଷପଦର ଜଙ୍ଗଲରେ ଜଣେ ନାବାଳିକାଙ୍କୁ ୨୦୧୭ ଅକ୍ଟୋବର ୧୦ ତାରିଖରେ ଗଣଦୁଷ୍କର୍ମ ଅଭିଯୋଗ ହୋଇଥିଲା। ଯବାନଙ୍କ ୟୁନିଫର୍ମ ଡ୍ରେସ୍‌ରେ କେହି ଏପରି କରିଥିବା ନେଇ ଅଭିଯୋଗ ହୋଇଥିଲା।

୧୪ବର୍ଷର ଏହି ନାବାଳିକା ଜଣକ ନ୍ୟାୟ ନପାଇ ୨୦୧୮ ଜାନୁଆରୀ ୨୨ ତାରିଖରେ ଆତ୍ମହତ୍ୟା କରିଥିଲେ। ଏହି ଘଟଣାକୁ ନେଇ ପୂରା ରାଜ୍ୟ ଉଠିଥିଲା ପଡ଼ିଥିଲା। ରାଜ୍ୟ ସରକାର ଏହି ଘଟଣାରେ ଗୋଟିଏ ପଟେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲାବେଳେ ଅନ୍ୟପଟେ ବିଚାର ବିଭାଗୀୟ ତଦନ୍ତ କମିସନ ବସାଇଥିଲେ।

କୁନ୍ଦୁଲି ମାମଲାରେ ହାଇକୋର୍ଟରେ ପ୍ରାୟ ୭ଟି ମାମଲା ରୁଜୁ ହୋଇଥିଲା। ଇତିମଧ୍ୟରେ ଏହି ମାମଲାରେ ୪ଟି ମାମଲା ପ୍ରତ୍ୟାହାର ହୋଇଯାଇଥିଲା ବେଳେ ଗୋଟିଏ ମାମଲାକୁ ହାଇକୋର୍ଟ ଖାରଜ କରି ଦେଇଥିଲେ। ଏବେ ଆଉ ଦୁଇଟି ମାମଲାର ଶୁଣାଣି ହାଇକୋର୍ଟରେ ଚାଲିଛି। ଏହି ଦୁଇଟି ମାମଲାରେ  ଆଜି ହାଇକୋର୍ଟ ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଖାରବେଳ ସ୍ୱାଇଁଙ୍କ ପକ୍ଷରୁ ଏହି ମାମଲାକୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ପରିଚାଳନା କରୁଛନ୍ତି।

Comment