ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜେଡି-ବିଜେପି ସମ୍ପର୍କରେ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ସାଧାରଣ ନିର୍ବାଚନ ପୂର୍ବରୁ ଏହି ଦୁଇ ଦଳ ଭିତରେ ଯେଉଁ ସମ୍ପର୍କ ଥିଲା ତାହା ନିର୍ବାଚନ ପରେ ସମ୍ପୂର୍ଣ୍ଣ ବଦଳି ଯାଇଛି। ନିର୍ବାଚନ ପରେ ନବୀନ ମୋଦିଙ୍କ ନିକଟତର ହେଉଥିବା କୁହାଯାଉଛି।

ଏହା ଆମେ କହୁନୁ, ବିରୋଧୀ କଂଗ୍ରେସ ଏହି ଅଭିଯୋଗ ଆଣିଛି। ରାଜ୍ୟସଭାରେ ତିନି ତଲାକ୍‌ ବିଲ୍‌କୁ ବିଜେଡି ସମର୍ଥନ ଦେବା ପରେ ବିଜେପି ଏବଂ ବିଜେଡି ଭିତରେ କ’ଣ ବୁଝାମଣା ହୋଇଛି ତାର ଉତ୍ତର ମାଗିଛି କଂଗ୍ରେସ।

ଆଉ ନାହିଁ ବିରୋଧ

ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦ୍ୱିତୀୟ ପାଳି ସରକାର ଗଠନ ହେବା ପରେ ପେଟ୍ରୋଲ, ଡିଜେଲ ଦର ବଢ଼ିଥିଲା। ପେଟ୍ରୋଲ ଲିଟର ପିଛା ଅଢ଼େଇ ଟଙ୍କା ଏବଂ ଡିଜେଲ ଲିଟର ପିଛା ୨ ଟଙ୍କା ୩୦ ପଇସା ବଢ଼ିଥିଲା। ହେଲେ ବିଜେଡି ଆଦୌ ବିରୋଧ କରି ନଥିଲା। ନିର୍ବାଚନ ପୂର୍ବରୁ ଯେତେ ଥର ପେଟ୍ରୋଲ, ଡିଜେଲ ଦର ବଢ଼ିଥିଲା ସେତେ ଥର ବିଜେଡ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଥିଲା।

ସେହିପରି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ପାଇଁ କେନ୍ଦ୍ର ସରକାରଙ୍କ କୌଣସି ପ୍ରସ୍ତାବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ। ଏହି ମନ୍ତବ୍ୟ ଉପରେ ବି ବିଜେଡି କୌଣସି ପ୍ରତିକ୍ରିୟା ପ୍ରକାଶ କରି ନଥିଲା। ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିକୁ ବିଜେଡି ନିର୍ବାଚନୀ ଏଜେଣ୍ଡା କରିଥିବା ବେଳେ ଏନେଇ କାହିଁକି ପ୍ରତିକ୍ରିୟା ପ୍ରକାଶ କରି ନଥିଲା ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା।

ନିର୍ବାଚନ ପରେ ବଦଳିଛି ସମୀକରଣ

ନିର୍ବାଚନ ପରେ ବିଜେପି-ବିଜେଡି ଭିତରେ ସମୀକରଣ ବଦଳିଯାଇଥିବା ଚର୍ଚ୍ଚା ହେଉଛି। ନିର୍ବାଚନ ପରେ ଅଧା ଓଡ଼ିଶାକୁ ବାତ୍ୟା ଫନି ଛାରଖାର କରି ଦେଇଥିଲା। ବାତ୍ୟାଞ୍ଚଳ ପରିଦର୍ଶନରେ ଆସିଥିବା ମୋଦି ନବୀନଙ୍କୁ ପ୍ରଶଂସା କରିଥିଲେ। ଏହା ହିଁ ବିଜେପି-ବିଜେଡି ସମ୍ପର୍କକୁ ଅଲଗା ରାସ୍ତାରେ ନେଇଥିବା କୁହାଯାଉଛି।

କେନ୍ଦ୍ର ଏବଂ ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ନବୀନ ଦିଲ୍ଲୀ ଯାଇ ମୋଦିଙ୍କୁ ଭେଟିଥିଲେ। ଓଡ଼ିଶାର ସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗ ଉଠାଇଥିଲେ। ଏହାସହ ଲୋକସଭାର ବାଚସ୍ପତି ପ୍ରାର୍ଥୀ ଓମ୍ ବିର୍ଲାଙ୍କୁ ସମର୍ଥନ ଘୋଷଣା କରିଥିଲା ବିଜେଡି।

ଖାଲି ସେତିକି ନୁହେଁ, ଓଡ଼ିଶାରେ ଖାଲି ପଡ଼ିଥିବା ତିନୋଟି ରାଜ୍ୟସଭା ଆସନରୁ ଗୋଟିଏ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ଛାଡ଼ି ଦେଇଥିଲା ବିଜେଡି। ଏସବୁକୁ ନେଇ ରାଜନୀତି କରିଡରରେ ଚର୍ଚ୍ଚା ନଥମୁଣୁ ରାଜ୍ୟସଭାରେ ତିନି ତଲାକ୍‌ ବିଲକୁ ସମର୍ଥନ କରିବା ଘଟଣାକୁ ବିରୋଧୀ ଅଲଗା ନଜରରେ ଦେଖୁଛନ୍ତି। ସମଦୂରତା ମନ୍ତ୍ର ଜପୁଥିବା ବିଜେଡି ଏବେ ବିଜେପିକୁ ସମର୍ଥନ ଦେବା ପଛର କାରଣ କ’ଣ ବୋଲି ଆଲୋଚନାର ବିଷୟ ପାଲଟିଛି।

ସମଦୂରତା ହଜିଗଲା

୨୦୧୪ରୁ ନବୀନ ଏବଂ ତାଙ୍କ ଟିମ୍ ସମଦୂରତା ମନ୍ତ୍ର ଜପି ଆସୁଥିଲେ। ଉଭୟ ବିଜେପି ଏବଂ କଂଗ୍ରେସଠାରୁ ତାଙ୍କ ଦଳ ସମାନ ଦୂରରେ ରହିଥିବା ନବୀନ କହୁଥିଲେ। ଏପରିକି ନିର୍ବାଚନ ବେଳେ ବି ବିଜେଡି ନେତାମାନେ ଏହି କଥା କହିଥିଲେ। କିନ୍ତୁ ନିର୍ବାଚନ ପରେ ସମୀକରଣ ବଦଳିଛି। ବିଜେଡି ଏବେ ସମଦୂରତା ମନ୍ତ୍ର ଜପିବା ଛାଡ଼ି ଦେଇଛି। ୨୦୧୯ ନିବାଚନ ପରେ ନବୀନ ‘ଗଠନମୂଳକ ସହଯୋଗ’କୁ ଅସ୍ତ୍ର କରିଛନ୍ତି।

କାହିଁକି ହଜିଗଲା ସମଦୂରତା?

୨୦୧୪ ନିର୍ବାଚନରେ ବିଜେପି ଓଡ଼ିଶାରୁ ପାଇଥିଲା ମାତ୍ର ଗୋଟିଏ ଆସନ। ବିଜେଡି ଖାତାକୁ ଯାଇଥିଲା ୨୦ଟି ଲୋକସଭା ଆସନ। ଏହାସତ୍ତ୍ୱେ ବିଜେପି ନେତୃତ୍ୱରେ କେନ୍ଦ୍ରରେ ଏନଡିଏ ସରକାର ଗଠନ କଲା। ଲୋକସଭାରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ପାଇଥିଲା ଏନଡିଏ। କିନ୍ତୁ ରାଜ୍ୟସଭାରେ ବିଜେପିର ସଂଖ୍ୟା ବଳ ନଥିଲା। ଏଣୁ କୌଣସି ବିଲ୍ ପାସ୍ ବେଳେ ୨୦ ସାଂସଦ ଥିବା ବିଜେଡିର ସମର୍ଥନ ଲୋଡୁଥିଲା ବିଜେପି। ହେଲେ ଏଥର ନିର୍ବାଚନରେ ବିଜେପି ଓଡ଼ିଶାରୁ ୮ ସାଂସଦ ନେଇଥିବା ବେଳେ ବିଜେଡି ୧୨ଟି ପାଇଛି। ଏଣୁ ବିଜେଡି ସମଦୂରତା ମନ୍ତ୍ରକୁ ଛାଡ଼ି ଗଠନମୂଳକ ସହଯୋଗକୁ ଧରିଛି।

ନିର୍ବାଚନରେ ହୋଇଥିଲା ଘମାଘୋଟ ଲଢ଼େଇ

୨୦୧୯ ନିର୍ବାଚନରେ ଓଡ଼ିଶାବାସୀ ବିଜେପି ଏବଂ ବିଜେଡି ଭିତରେ ଘମାଘୋଟ ଲଢ଼େଇ ଦେଖିଥିଲେ। ବିଜେଡିର ପ୍ରଚାର ମଙ୍ଗ ନବୀନ ଧରିଥିବା ବେଳେ ମୋଦି ଏବଂ ଶାହ ବିଜେପିର ପ୍ରଚାର ମଙ୍ଗ ଧରିଥିଲେ। ନବୀନ କଥା କଥାକେ କେନ୍ଦ୍ରର ବିଜେପି ସରକାରକୁ ତୀର ମାରୁଥିଲେ। ଏପଟେ ଶାହ ବି ନବୀନ ସରକାରକୁ ଭ୍ରଷ୍ଟ ଓ ଦୁର୍ନୀତିଗ୍ରସ୍ତ ସରକାର କହି ସମାଲୋଚନା କରିଥିଲେ। ମୋଦି ମଧ୍ୟ କେନ୍ଦ୍ରାପଡ଼ା ସଭାରୁ ନବୀନଙ୍କୁ ସମ୍ମାନର ସହ ‘ବିଦାୟ ନେଇଯାଅ’ ବୋଲି କହିଥିଲେ। ଏସବୁ ଭିତରେ ନିର୍ବାଚନ ଶେଷ ହୋଇଥିଲା। ନିର୍ବାଚନ ବେଳେ ବିଜେପି ଓ ବିଜେଡି ଭିତରେ ଯେଉଁ ଦୂରତା ଦେଖିବାକୁ ମିଳିଥିଲା ତାହା ନିର୍ବାଚନ ପରେ କମି ଯାଇଥିବା କୁହାଯାଉଛି।

Comment