ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍କୁଲ ବ୍ୟାଗ୍ ଓଜନ ନିୟମକୁ କଡ଼ାକଡ଼ି କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ସ୍କୁଲକୁ ନିର୍ଦ୍ଦେଶ ଦିଆଯାଇଥିଲା। ନିୟମକୁ କଡ଼ାକଡ଼ି କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ପୁଣିଥରେ ଚିଠି କରାଯାଇଛି।

ଏହି ଚିଠିରେ ପିଲାଙ୍କ ବ୍ୟାଗର ଓଜନ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯାଞ୍ଚ କରିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାଡ ଗଠନ କରାଯାଇଛି।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଡିଇଓ ଓ ଡିସିପି ଏହାର ଅଧ୍ୟକ୍ଷ ରହିବେ।

ବ୍ଲକ ଶିକ୍ଷା ଅଧିକାରୀ, ଡିସିପିଓ, ଥାନା ଅଧିକାରୀ, ସ୍ୱେଚ୍ଛାସେବୀ ସଙ୍ଗଠନ ଓ ଜିଲ୍ଲାପାଳଙ୍କ ଦ୍ବାରା ଚୟନ ହୋଇଥିବା ଅଧିକାରୀମାନେ ଏହି ସ୍କ୍ୱାଡର ସଦସ୍ୟ ରହିବେ। ଏହି ସ୍କ୍ୱାଡ ବିଭିନ୍ନ ସମୟରେ ସରକାରୀ ଓ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକୁ ଗସ୍ତ କରି ଛାତ୍ରଛାତ୍ରୀଙ୍କୁ ସ୍କୁଲ ବ୍ୟାଗର ଯାଞ୍ଚ କରିବେ।

ସ୍କ୍ୱାଡ ହଠାତ୍ ଚଢ଼ଉ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି। ଚଢ଼ଉ ଏବଂ କାର୍ଯ୍ୟାନୁଷ୍ଠାନର ରିପୋର୍ଟ ସେପ୍ଟେମ୍ୱର ମାସ ଶେଷ ସୁଦ୍ଧା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଭିନ୍ନ ଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ବ୍ୟାଗ୍‌ର ଓଜନ କେତେ ରହିବ ତାହା ସ୍ପଷ୍ଟ କରାଯାଇଥିଲା।

ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବ୍ୟାଗ୍‌ର ଓଜନ ୧.୫ କେଜିରୁ କମ୍‌ ରହିବ। ୩ୟରୁ ୫ମ ଶ୍ରେଣୀ ପିଲାଙ୍କ ବ୍ୟାଗ୍‌ର ଓଜନ ୨ରୁ ୩ କିଲୋ ରହିବ। ଏହି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଗଣିତ, ପରିବେଶ ବିଜ୍ଞାନ, ଇଂରାଜୀ ଓ ମାତୃଭାଷା ବିଷୟରେ ଶିକ୍ଷା ପ୍ରଦାନ କରାଯିବ।

ଷଷ୍ଠ ଓ ସପ୍ତମ ପିଲାଙ୍କ ବ୍ୟାଗ୍‌ର ଓଜନ ୪ କେଜି, ୮ମ ଓ ୯ମ ପିଲାଙ୍କ ବ୍ୟାଗ୍‌ର ଓଜନ ସାଢ଼େ ୪ କେଜି ଓ ଦଶମ ଶ୍ରେଣୀ ପିଲାଙ୍କ ବ୍ୟାଗର ଓଜନ ୫ କେଜିରୁ ଅଧିକ ହେବ ନାହିଁ।

Comment