ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ନିର୍ବାଚନ ଯୁଦ୍ଧରେ ପରାଜିତ ହେବା ପରେ ପାଟକୁରା ଜଗିଛନ୍ତି ବିଜୟ।

ପାଟକୁରା ଛାଡୁ ନାହାନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ନିର୍ବାଚନରେ ପରାଜିତ ହୋଇଥିଲେ ମଧ୍ୟ ବିଜୟଙ୍କୁ ପାଟକୁରାରେ କର୍ମୀଙ୍କ ଗହଣରେ ଦେଖିବାକୁ ମିଳିଛି। ଏହି ଲଢ଼େଇ ବିଜୟଙ୍କ ପାଇଁ ଶେଷ କୁହାଯାଉଥିଲେ ହେଁ ବିଜୟ ଏତେଶିଘ୍ର ରାଜନୀତି ମଇଦାନରୁ ଓହରି ଯିବାକୁ ଚାହୁଁ ନଥିବା ତାହା ଜଣାପଡ଼ିଛି। ଆଗକୁ ବଡ଼ ଲଢ଼େଇ ଲଢ଼ିବା ପାଇଁ ବିଜୟ କର୍ମୀମାନଙ୍କୁ ନେଇ ଯୋଜନା କରୁଥିବା ଚର୍ଚ୍ଚା ହେଉଛି।

ଅଗଷ୍ଟ ପହିଲାରେ ବିଜୟ ଯାଇଥିଲେ ପାଟକୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଡେରାବିଶ ବ୍ଲକକୁ। ଡେରାବିଶର ଆରାଧ୍ୟ ଠାକୁର ଲଛମାନଜୀଉଙ୍କୁ ଦର୍ଶନ କରିବା ପରେ ଛତାଠାରେ କର୍ମୀମାନଙ୍କ ଗହଣକୁ ଆସିଥିଲେ। ଶହ ଶହ ମହିଳା ଏବଂ ପୁରୁଷ ସମର୍ଥକ ବିଜୟଙ୍କୁ ପାଛୋଟି ନେଇଥିଲେ। ବିଜୟ କର୍ମୀମାନଙ୍କୁ ଉଦବୋଧନ ଦେଇ ମନୋବଳ ଦୃଢ଼ କରିବାକୁ ଆହ୍ୱାନ ଦେଇଥିଲେ।

‘‘ପାଟକୁରାରେ ସଙ୍ଗଠନକୁ ସୁଦୃଢ଼ କରାଯିବ। ମୁଁ ନିଜେ ପଞ୍ଚାୟତରୁ ପଞ୍ଚାୟତକୁ ବୁଲି ସଙ୍ଗଠନ କଥା ବୁଝିବି। ନବୀନ ବାବୁ ଏବଂ ତାଙ୍କ ନେତାମାନେ ପାଟକୁରାରେ ଚଳିତ ନିର୍ବାଚନରେ ଯାହା କଲେ ତାହା ଅତୀତରେ କେବେ ଦେଖିବାକୁ ମିଳି ନଥିଲା। ପାଟକୁରା ହେଉଛି ମୋର। ପାଟକୁରାବାସୀଙ୍କ ସହ ମୁଁ ସବୁବେଳେ ରହିଛି’’, କର୍ମୀ ସମ୍ମିଳନୀରେ ଏହା କହି ବିଜୟ ଆଗାମୀ ରଣନୀତି ପାଇଁ ବିଗୁଲ ଫୁଙ୍କିଥିବା ଚର୍ଚ୍ଚା ହେଉଛି।

ଖାଲି ସେତିକି ନୁହେଁ, ବିଜେଡିକୁ ମଧ୍ୟ ଟାର୍ଗେଟ କରିଥିଲେ ଏହି ଅଭିଜ୍ଞ ନେତା।

‘‘ନବୀନଙ୍କ ସମୟ ସରି ଆସୁଛି। ପାଟକୁରାରେ ମୋ’ କର୍ମୀଙ୍କୁ ହଇରାଣ କଲେ କାହାକୁ ବସାଇ ଦେବିନି। ଓଡିଶା ହଲ୍‌ଚଲ୍‌ ହେବ। ପାଟକୁରା ହେଉଛି ମୋ’ ମାଟି। ଆଗକୁ ମଧ୍ୟ ନିର୍ବାଚନ ଲଢ଼ିବି’’, ଏହି ଦମ୍ଭୋକ୍ତି ଦେଖାଇଛନ୍ତି ବିଜୟ।

ନିକଟରେ ଶେଷ ହୋଇଥିବା ପାଟକୁରା ନିର୍ବାଚନରେ ବିଜୟ ୭୮ ହଜାର ଭୋଟ ପାଇଥିଲେ। ଏଥର ବିଜୟଙ୍କ ବିଜୟ ସୁନିଶ୍ଚିତ ବୋଲି କୁହାଯାଉଥିଲେ ମଧ୍ୟ ସେ ଗଣିତ ଭୁଲ୍ ହୋଇଯାଇଥିଲା। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ବିଜୟୀ ହୋଇଥିଲେ।

ଲଗାତର ଚାରି ଥର ବିଜୟ ନିର୍ବାଚନ ଲଢ଼େଇରେ ପରାଜିତ ହୋଇଥିବାରୁ ଆଉ ବିଜୟ ନିର୍ବାଚନ ନଲଢ଼ି ପାରନ୍ତି ବୋଲି କୁହାଯାଉଥିଲା। କିଛି ରାଜନୀତି ପର୍ଯ୍ୟପେକ୍ଷକ ମଧ୍ୟ ଏନେଇ ବିଜୟଙ୍କୁ ପରାମର୍ଶ ଦେଇଥିଲେ। ହେଲେ ବିଜୟ ପାଟକୁରା ଛାଡ଼ିବେ ନାହିଁ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି। ଆଗକୁ ବିଜୟ ବଡ଼ ଯୋଜନାରେ ରହିଥିବା କୁହାଯାଉଛି।

ବିଜୟ କାହା ପାଇଁ ଗଡ଼ ଜଗୁଛନ୍ତି?

ନିର୍ବାଚନରେ ହାରିବା ପରେ ବି ବିଜୟ ତାଙ୍କ ଗଡ଼ ପାଟକୁରା ଛାଡୁ ନାହାନ୍ତି। ୭୮ ହଜାର ଭୋଟ ପାଇଥିବାରୁ ଭୋଟରଙ୍କୁ ଧନ୍ୟବାଦ ଦେଉଛନ୍ତି ବିଜୟ। ଗତ ଜୁଲାଇ ୨୦ ତାରିଖରେ ପାଟକୁରା ଭୋଟ ଶେଷ ହୋଇଥିଲା। ୨୦୨୪ରେ ହେବ ସାଧାରଣ ନିର୍ବାଚନ। ଆହୁରି ୫ ବର୍ଷ ସମୟ ଥିବାରୁ ବିଜୟ ଏବେଠୁ ଅଣ୍ଟା ଭିଡ଼ିଛନ୍ତି।

ତେବେ ରାଜନୀତି ପର୍ଯ୍ୟବେକ୍ଷକଙ୍କ କହିବା କଥା ହେଉଛି ୨୦୧୪ ବେଳକୁ ବିଜୟଙ୍କୁ ତାଙ୍କ ବୟସ୍‌ ସାଥ୍ ଦେଉ ନଥିବ। ଏଣୁ ସେ ତାଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କ ପାଇଁ ରାସ୍ତା ତିଆରି କରୁଥିବା କୁହାଯାଉଛି। ବିଜୟଙ୍କ ପୁଅ ଅରବିନ୍ଦ ଏବେ ଯାଏଁ ସକ୍ରିୟ ରାଜନୀତିରେ ପ୍ରବେଶ କରି ନାହାନ୍ତି। ସେ ଏକ ସଫ୍ଟୱେୟାର କମ୍ପାନିରେ ଚାକିରି କରୁଛଝନ୍ତି। ହେଲେ ଗତ ନିର୍ବାଚନରେ ଅରବିନ୍ଦଙ୍କୁ ପାଟକୁରା ମଇଦାନରେ ଦେଖିବାକୁ ମିଳିଥିଲା। ଅରବିନ୍ଦ ପ୍ରଚାର ଦାୟିତ୍ୱ ବୁଝୁଥିଲେ।

ବିଜୟ ପୁଅକୁ ରାଜନୀତିକୁ ଆଣିବା ପାଇଁ ରାସ୍ତା ତିଆରି କରୁଥିବା କୁହାଯାଉଛି। ପୁଅ ଯେହେତୁ ବର୍ତ୍ତମାନ ସକ୍ରିୟ ରାଜନୀତିରେ ନାହିଁ ଏଣୁ ବିଜୟ ନିଜ ଗଡ଼ ପାଟକୁରା ଜଗୁଥିବା ଚର୍ଚ୍ଚା ହେଉଛି।

ବିଜୟଙ୍କ ଭାଗ୍ୟ!

ଗତ ୧୯ ବର୍ଷ ହେଲା ବିଜୟ କ୍ଷମତାଠାରୁ ଦୂରରେ ରହିଛନ୍ତି। ଯେତେ ଥର ସେ ନିର୍ବାଚନରେ ପରୀକ୍ଷା ଦେଉଛନ୍ତି ସେତେଥର ବିଫଳ ହେଉଛନ୍ତି। ବିଜେଡିରୁ ବିଦା ହେବା ପରେ ବିଜୟ ଓଜିପି ନାଁରେ ରାଜନୀତିକ ଦଳ ଗଠନ କରି ରାଜନୀତିରେ ପରୀକ୍ଷା ଦେଇଥିଲେ। ହେଲେ ସେ ପରୀକ୍ଷାରେ ପାସ୍‌ କରିପାରି ନଥିଲେ ବିଜୟ। ୨୦୦୪ରେ ବିଜୟ ପାଟକୁରାରୁ ଓଜିପି ଟିକେଟରେ ନିର୍ବାଚନ ଲଢ଼ିଥିଲେ ମଧ୍ୟ ତାଙ୍କୁ ପରାଜିତ ହେବାକୁ ପଡ଼ିଥିଲା।

ଓଜିପିରେ ଭାଗ୍ୟ ପରୀକ୍ଷା ପରିବା ପରେ ବିଜୟ ଏନସିପରେ ସାମିଲ ହୋଇ ରାଜ୍ୟ ଅଧ୍ୟକ୍ଷ ହୋଇଥିଲେ। କିନ୍ତୁ ତାଙ୍କ ଭାଗ୍ୟ ସାଥ୍ ଦେଲାନି। ଯେଉଁ ବିଜେଡିଠାରୁ ପ୍ରତିଶୋଧ ନେବାବୁ ବିଜୟ ଚାହୁଁଥିଲେ ସେହି ଦଳ ସହ ଏନସିପି ୨୦୦୪ରେ ଆସନ ବୁଝାମଣା କରିଥିଲା। ଫଳରେ ବିଜୟ ଏନସିପି ଛାଡ଼ିଥିଲେ।

୨୦୦୯ରେ ବିଜେଡିଠାରୁ ଦୂରେଇ ଥିବା ବିଜେପିରେ ସାମିଲ ହୋଇଥିଲେ ବିଜୟ। ବିଜେପି ଟିକେଟରେ ବିଜୟ ପୁଣି ପାଟକୁରାରୁ ୨୦୦୯ ନିର୍ବାଚନ ଲଢ଼ିଥିଲେ। ହେଲେ ପରାଜିତ ହୋଇଥିଲେ। ୨୦୧୪ରେ ମହାକାଳପଡ଼ାରୁ ନିର୍ବାଚନ ଲଢ଼ି ପରାଜିତ ହେବା ପରେ ବିଜୟ ୨୦୧୯ରେ ପୁଣି ପୁରୁଣା ମଇଦାନ ପାଟକୁରା ଫେରିଥିଲେ।

Comment