ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିଧାନସଭାରେ ଆଜି ରାଜ୍ୟ ସରକାର କୁନ୍ଦୁଲି ଗଣଦୁଷ୍କର୍ମ ମାମଲାର ବିଚାର ବିଭାଗୀୟ ତଦନ୍ତ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏହି ରିପୋର୍ଟରେ ଯେଉଁ ତଥ୍ୟ ଆସିଛି ସେଥିରେ ରହସ୍ୟ ଉନ୍ମୋଚନ ହୋଇପାରିନି। କୁନ୍ଦୁଲି ଗଣଦୁଷ୍କର୍ମକୁ ମିଛ କହିଛନ୍ତି କମିସନ। ତେବେ ଏହି ଘଟଣା ଉପରୁ କେମିତି ପରଦା ହଟିବ ତାହା ଏବେ ସନ୍ଦେହଘେରରେ ରହିଛି।

ଗେଟିଏ ପଟେ କ୍ରାଇମବ୍ରାଞ୍ଚ ତଦନ୍ତ ଶେଷ ହୋଇ ନଥିବା ବେଳେ ଅନ୍ୟପଟେ ବିଚାର ବିଭାଗୀୟ ତଦନ୍ତ କମିସନ ଦେଇଥିବା ରିପୋର୍ଟ ଘଟଣାକୁ ଆହୁରି ରହସ୍ୟମୟ କରିଦେଇଛି।

୨୦୧୭ ମସିହାରେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଳକର ସୋରିଷପଦର ଜଙ୍ଗଲ ନିକଟରେ ଏହି ଦୁଷ୍କର୍ମ ଘଟଣା ଘଟିଥିବା ଅଭିଯୋଗ ହୋଇଥିଲା। ଜନୈକା ନବମ ଶ୍ରେଣୀ ଛାତ୍ରୀ ଘରକୁ ଫେରୁଥିବା ବେଳେ ଯବାନ ଡ୍ରେସ୍‌ରେ କିଛି ଲୋକ ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଥିଲା।

ଏହାକୁ ନେଇ ସାରା ରାଜ୍ୟ ଉଠିଥିଲା ପଡ଼ିଥିଲା। କୋରାପୁଟରୁ ଭୁବନେଶ୍ୱର ଯାଏଁ ବିଭିନ୍ନ ଆନ୍ଦୋଳନମାନ ହୋଇଥିଲା। ଓଡ଼ିଶା ପୋଲିସ ଏହାର ତଦନ୍ତ କରିଥିଲା। କିନ୍ତୁ ତଦନ୍ତ ଠିକ୍‌ ବାଟରେ ହେଉ ନଥିବା ବିରୋଧୀ ଏବଂ ପରିବାରବର୍ଗ ଅଭିଯୋଗ କରିବା ପରେ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

କ୍ରାଇମବ୍ରାଞ୍ଚ ବିଭିନ୍ନ ଲୋକଙ୍କୁ ଡାକି ପଚରା ଉଚରା କରିଥିଲେ ମଧ୍ୟ ଘଟଣା ଉପରୁ ପରଦା ହଟିପାରିନି। ଶେଷରେ କୋରାପୁଟ ଡାକ୍ତରଖାନାରୁ ପୀଡ଼ିତାଙ୍କୁ କଟକ ବଡ଼ ମେଡିକାଲରେ ଚିକିତ୍ସା କରାଯାଇଥିଲା। ପରେ ପୀଡ଼ିତାଙ୍କୁ ମେଡିକାଲରୁ ଡିସ୍‌ଚାର୍ଜ କରାଯାଇଥିଲା। ପୀଡ଼ିତା ଘରେ ରହିଥିଲେ।

ହେଲେ ୨୦୧୮ ଜାନୁଆରୀ ମାସରେ ଘରେ କେହି ନଥିବା ବେଳେ ପୀଡ଼ିତା ଆତ୍ମହତ୍ୟା କରିଥିଲେ। ଏହାକୁ ନେଇ ପୁଣି ରାଜନୀତି ଗରମ ହୋଇଥିଲା। ବିରୋଧୀଙ୍କ ଆକ୍ରୋଶରୁ ବତ୍ତିର୍ବ ପାଇଁ ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲା। କୋରାପୁଟ ଜଜ୍‌ଙ୍କ ନେତୃତ୍ୱରେ ତଦନ୍ତ ଚାଲିଲା। ହେଲେ ତଦନ୍ତ ରିପୋର୍ଟ ଆଜି ଯାଏଁ ଆସିପାରୁ ନଥିଲା।

ଗତ ୨ ତାରିଖରେ ଓଡ଼ିଶା ହାଇକୋର୍ଟରେ କୁନ୍ଦୁଲି ମାମଲାର ବିଚାର କରି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ। କୁନ୍ଦୁଲି ତଦନ୍ତ ରିପୋର୍ଟ ମାସ ଭିତରେ ଦେବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ଏହାସହ ଯଦି କ୍ରାଇମବ୍ରାଞ୍ଚ ରିପୋର୍ଟରେ ଆବେଦନକାରୀ ଅସନ୍ତୋଷ ପ୍ରକାଶ କରନ୍ତି ତାହାଲେ ଏସ୍‌ଆଇଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।

କ୍ରାଇମବ୍ରାଞ୍ଚକୁ ଓଡିଶା ହାଇକୋର୍ଟଙ୍କ ଛାଟ ବାଜିବାର ୨୪ ଘଣ୍ଟା ନପୂରୁଣୁ ବିଧାନସଭାରେ କମିସନଙ୍କ ରିପୋର୍ଟ ଉପସ୍ଥାପିତ କରିଛନ୍ତି ରାଜ୍ୟ ସରକାର। ହେଲେ କମିସନଙ୍କ ରିପୋର୍ଟ ଆହୁରି ଘଟଣାକୁ ରହସ୍ୟମୟ କରିଦେଇଛି। ପରିବାରବର୍ଗ ତଦନ୍ତରେ ସହଯୋଗ କରୁ ନଥିବା କମିସନ ରିପୋର୍ଟରେ ଦର୍ଶାଇଛନ୍ତି।

ଚିକିତ୍ସା ଶେଷ ହେବା ପୂର୍ବରୁ ପୀଡ଼ିତାଙ୍କୁ କଟକ ଏସ୍‌ସିବିରୁ ଡିସ୍‌ଚାର୍ଜ କରିବାକୁ ପଡ଼ିଥିଲା। ପରିବାର ଓ ବିଭିନ୍ନ ରାଜନୀତି ଦଳର ଧାରଣା ଯୋଗୁଁ ଏଭଳି ତରବରିଆ ଡିସ୍‌ଚାର୍ଜ କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି।

ଏହାସହ ତଦନ୍ତ କମିସନ ତିନୋଟି ସୁପାରିଶ କରିଛନ୍ତି। ତଦନ୍ତ ନସରିବା ଯାଏଁ ପୀଡ଼ିତାର ପରିଚୟ ଗୋପନ ରଖାଯାଉ। ତଦନ୍ତ ନସରିବା ଯାଏଁ ଗଣମାଧ୍ୟମକୁ ଅଗ୍ରଗତି ସମ୍ପର୍କରେ ଜଣାନ୍ତୁ ନାହିଁ। କୁନ୍ଦୁଲି ଛକରେ ଥିବା ପୀଡ଼ିତାଙ୍କ ପ୍ରତିମୂର୍ତ୍ତି ହଟାଇବାକୁ ସୁପରିଶ କରିଛନ୍ତି କମିସନ।

କମିସନ ତାଙ୍କ ରିପୋର୍ଟ ସରକାରଙ୍କୁ ହସ୍ତାନ୍ତର କରିଛନ୍ତି। ଏବେ କ୍ରାଇମବ୍ରାଞ୍ଚ ତଦନ୍ତ ରିପୋର୍ଟକୁ ଅପେକ୍ଷା। ଯଦି କ୍ରାଇମବ୍ରାଞ୍ଚ ଏହି ବହୁଚର୍ଚ୍ଚିତ ମାମଲା ଉପରୁ ପରଦା ନହଟାଇ ପାରିବ ତାହାଲେ ରହସ୍ୟ କେମିତି ଉନ୍ମୋଚନ ହେବ ତାହା ହିଁ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Comment