ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ରାହୁଲ ଗାନ୍ଧିଙ୍କ ଇସ୍ତଫା ପରେ କଂଗ୍ରେସ ଦଳ ଏବେ ମୂରବୀଶୂନ୍ୟ ହୋଇଯାଇଛି।

ଦିନ ପରେ ଦିନ ଗଡୁଛି। କିନ୍ତୁ କଂଗ୍ରେସର ସଭାପତି ଚୟନ ହୋଇପାରୁନି। ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାର ଦୁଇ ମାସ ବିତିଥିଲେ ମଧ୍ୟ ଦଳ ଏଯାଏଁ ମଙ୍ଗୁଆଳ ଠିକ୍‌ କରିପାରୁନି। ଯୁବକ ନା ବୟସ୍କ, କାହାକୁ ସଭାପତି କଲେ ଦଳ ଠିକ୍‌ ଚାଲିବ ତାକୁ ନେଇ ମାନସମନ୍ଥନ ଚାଲିଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରୁନି।

କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକରେ ସଭାପତି ଚୂଡ଼ାନ୍ତ ହେବ ବୋଲି କୁହାଯାଉଛି। ହେଲେ କେବେ ବୈଠକ ବସିବ ସେନେଇ କୌଣସି ତାରିଖ ଧାର୍ଯ୍ୟ ହୋଇନି। କୁହାଯାଉଛି ସଂସଦ ଅଧିବେଶନ ଶେଷ ହେବା ପରେ ହିଁ ସିଡବ୍ଲ୍ୟୁସି ବୈଠକ ବସିବ।

ରାହୁଲ ଗାନ୍ଧି ସଭାପତି ପଦରୁ ଇସ୍ତଫା ଦେବା ପରେ ପ୍ରିୟଙ୍କ ଗାନ୍ଧି ଭଦ୍ରାଙ୍କ ନାଁ ଚର୍ଚ୍ଚା ହେଉଥିଲା। ହେଲେ ପ୍ରିୟଙ୍କା ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି। ସେ କଂଗ୍ରେସ ସଭାପତି ଦୌଡ଼ରେ ନାହାନ୍ତି ବୋଲି କହି ପ୍ରିୟଙ୍କା ସବୁ ଚର୍ଚ୍ଚାର ଅନ୍ତ ଘଟାଇଛନ୍ତି। ପ୍ରିୟଙ୍କାଙ୍କ ମନ୍ତବ୍ୟ ପରେ ସ୍ପଷ୍ଟ ହୋଇଛି ଯେ ଗାନ୍ଧି ପରିବାରରୁ କୌଣସି ସଦସ୍ୟ କଂଗ୍ରେସର ସଭାପତି ହେଉ ନାହାନ୍ତି। ତେବେ କଂଗ୍ରେସ ସଭାପତି କିଏ ହେବେ ତାକୁ ନେଇ ନେଇ ସସ୍‌ପେନ୍ସ ଲାଗି ରହିଛି।

ବୟସ୍କ ନେତାଙ୍କୁ ନେଇ ଚର୍ଚ୍ଚା

ଯୁବକଙ୍କ ଅପେକ୍ଷା କିଛି ବୟସ୍କମାନେ କଂଗ୍ରେସର ସଭାପତି ହେଲେ ଦଳ ଠିକ୍‌ଠାକ୍‌ ଚାଲିବ ବୋଲି ମତ ଦେଉଛନ୍ତି। ହେଲେ ଯେଉଁ ବୟସ୍କ ନେତାମାନଙ୍କ ନାଁ ଚର୍ଚ୍ଚାକୁ ଆସିଛି ସେମାନଙ୍କ ଭିତରୁ ଅଧିକାଂଶଙ୍କ ବୟସ ୭୫ ଉପରେ। ତେବେ ୭୫ ବର୍ଷ ବୟସରୁ ଅଧିକ ନେତାଙ୍କୁ ସଭାପତି କଲେ ସେମାନେ ଯୁବକମାନଙ୍କୁ ନେଇ ଚାଲି ପାରିବେ କି ବୋଲି ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ରାହୁଲ ଗାନ୍ଧି ଇସ୍ତଫା ଦେବା ପରେ ବରିଷ୍ଠ ନେତା ମୋତିଲାଲ ଭୋରାଙ୍କୁ କାମଚଳା ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଛି। ଯଦି ସିଡବ୍ଲ୍ୟୁସି ଚାହିଁବ ତାହାଲେ ମୋତିଲାଲଙ୍କୁ ଅଧ୍ୟକ୍ଷ କରାଯାଇପାରେ।

ଏହାବାଦ୍‌ ବରିଷ୍ଠ ନେତା ଏ କେ ଆଣ୍ଟୋନି, ଗୁଲାମନବୀ ଆଜାଦ, ଡକ୍ଟର ମନମୋହନ ସିଂହ, ଅମ୍ବିକା ସୋନି, ମଲ୍ଲିକାର୍ଜୁନ ଖଡ୍‌ଗେ, ସିଦ୍ଧରମେୟା, ଦିଗ୍‌ବିଜୟ ସିଂହ, କମଳନାଥ, ଅଶୋକ ଗେହଲଟ, ତରୁଣ ଗୋଗୋଇ, ହରିଶ ରାୱତ, ଓମେନ କ୍ୟାଣ୍ଡିଙ୍କ ନାଁ ସଭାପତି ପଦ ପାଇଁ ଚର୍ଚ୍ଚାରେ ରହିଛି।

ଏହି ନେତାମାନେ ଗାନ୍ଧି ପରିବାରର ସମର୍ଥକ। ସେମାନେ ସୋନିଆ ଗାନ୍ଧିଙ୍କ କାର୍ଯ୍ୟକାଳ ପୂର୍ବରୁ କଂଗ୍ରେସରେ ରହିଛନ୍ତି।

କାହିଁକି ଯୁବକ ନୁହନ୍ତି?

ରାହୁଲ ଗାନ୍ଧି ଯେତେବେଳେ କଂଗ୍ରେସର ଅଧ୍ୟକ୍ଷ ଦାୟିତ୍ୱ ନେଲେ ସେତେବେଳେ ସଙ୍ଗଠନରେ ନବକଳେବର କରିବାକୁ ଉଦ୍ୟମ କରିଥିଲେ। ଅଧିକାଂଶ ରାଜ୍ୟରେ ରାହୁଲ ଯୁବକଙ୍କ ହାତରେ ନେତୃତ୍ୱ ଦେବାକୁ ଉଦ୍ୟମ କରିଥିଲେ। ହେଲେ ଯୁବକମାନଙ୍କୁ ବରିଷ୍ଠ ନେତାମାନେ ବିରୋଧ କରିଥିଲେ।

ମୀନାକ୍ଷୀ ନଟରାଜନଙ୍କ ହାତରେ ଯେତେବେଳେ ରାହୁଲ ମଧ୍ୟପ୍ରଦେଶ କଂଗ୍ରେସର ଦାୟିତ୍ୱ ଦେବାକୁ ଚାହିଁଲେ ସେତେବେଳେ ସେ ଘୋର ବିରୋଧର ସମ୍ମୁଖିନ ହୋଇଥିଲେ। ବରିଷ୍ଠ ନେତାମାନେ ରାହୁଲଙ୍କ ଏହି ପଦକ୍ଷେପକୁ ବିରୋଧ କରିଥିଲେ। ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ଏବଂ ଦିଲ୍ଲୀରେ ମଧ୍ୟ ସମାନ ପରିସ୍ଥିତି ଦେଖାଦେଇଥିଲା।

୨୦୦୭ ପରେ ହୋଇଥିବା ଟାଲେଣ୍ଟ ହଣ୍ଟ କାର୍ଯ୍ୟକ୍ରମରେ ରାହୁଲ ଗୁଜରାଟର ପରେଶ ଧନାନିଙ୍କୁ ଚୟନ କରିଥିଲେ। ରାହୁଲ ତାଙ୍କୁ କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେଇଥିଲେ। ହେଲେ ଏହି ନିଷ୍ପତ୍ତିକୁ ମଧ୍ୟ ବିରୋଧ କରାଯାଇଥିଲା। ଏହାଛଡ଼ା ନିଜେ ରାହୁଲ ମଧ୍ୟ ନିର୍ବାଚନରେ ବିଫଳ ହୋଇଛନ୍ତି। ଏଣୁ ଯୁବକମାନଙ୍କ ଉପରେ ଏତେଟା ଭରସା କରି ଆଉ ରିସ୍କ ନେବାକୁ ଚାହୁଁନି ଦଳ।

ଯଦି ସିଡବ୍ଲ୍ୟୁସି ବୈଠକରେ ବୟସ୍କ ନେତାଙ୍କୁ ନେଇ ଅଙ୍କ ନଛିଡ଼େ ତାହାଲେ ଯୁବ ନେତାଙ୍କୁ ଦାୟିତ୍ୱ ଦିଅଯାଇପାରେ। ଏହି ରେସ୍‌ରେ ରାହୁଲ ଗାନ୍ଧିଙ୍କ ନିକଟତମ କୁହାଯାଉଥିବା ମିଲିନ୍ଦ ଦେଓରା, ଜ୍ୟୋତିରାଦିତ୍ୟ ସିନ୍ଧିଆ, ସଚିନ ପାଇଲଟ, ଅଜୟ ମାକେନଙ୍କ ନାଁ ରହିଛି।

ଅଗଷ୍ଟ ୮ରୁ ୧୦ ତାରିଖ ଭିତରେ ସିଡବ୍ଲ୍ୟୁସିର ବୈଠକ ବସିବ। ତେବେ ଏହି ବୈଠକରେ କାହା ନାଁ ଉପରେ ମୋହାର ମରା ହେଉଛି ତାହା ଦେଖିବାକୁ ବାକି ରହିଲା। ମୂରବୀଶୂନ୍ୟ ହୋଇଯାଇଥିବା କଂଗ୍ରେସର ନେତୃତ୍ୱ କିଏ ନେବ ତାକୁ ହିଁ ସମସ୍ତେ ଅପେକ୍ଷା କରିଛନ୍ତି।

Comment