ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଭାରତର ଅବିଛେଦ୍ୟ ଅଙ୍ଗ କୁହାଯାଉଥିବା ଜମ୍ମୁ କଶ୍ମୀର ଉପରେ ବଡ଼ ପଲିଟିକାଲ ସର୍ଜିକାଲ ଷ୍ଟ୍ରଇକ୍‌।ଉଛେଦ ହେଲା ଧାରା ୩୭୦।

୨୦୧୬ ନଭେମ୍ବର ୮ରେ ଦେଶବାସୀଙ୍କୁ ଚମକେଇଲା ଭଳି ନିଷ୍ପତ୍ତି ନେଇଥିଲେ ମୋଦି ସରକାର। ଅଚାନକ ରାତି ଅଧରେ ୧ ହଜାର ଏବଂ ୫୦୦ ଟଙ୍କିଆ ନୋଟ୍‌କୁ ଅଚଳ ଘୋଷଣା କରିଥିଲେ। ଏହା ଥିଲା ଆର୍ଥିକ କ୍ଷେତ୍ର ଉପରେ ମୋଦି ସରକାରଙ୍କର ବଡ଼ ସର୍ଜିକାଲ ଷ୍ଟ୍ରାଇକ୍‌।

ଏବେ ମୋଦିଙ୍କ ନେତୃତ୍ୱରେ ଦ୍ୱିତୀୟ ପାଳି ସରକାର କ୍ଷମତାକୁ ଆସୁ ଆସୁ ଜମ୍ମୁ କଶ୍ମୀର ଉପରେ ବଡ଼ ପଲିଟିକାଲ ସର୍ଜିକାଲ ଷ୍ଟ୍ରାଇକ୍‌ କରିଛନ୍ତି। କେହି କିଛି ଭାବିବା ଆଗରୁ ହଠାତ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଛେଦ କରି ମୋଦି-ଶାହ ପୁଣି ଭାରତବାସୀଙ୍କୁ ଚମେକଇ ଦେଇଛନ୍ତି।

ଦେଶ ସ୍ୱାଧୀନ ହେବାର ୭୨ ବର୍ଷ ଭିତରେ ଯାହା ହୋଇପାରୁ ନଥିଲା ତାହା ୨୦୧୯ରେ କରି ଦେଖାଇ ଦେଇଛନ୍ତି ମୋଦି-ଶାହ ଯୋଡ଼ି।

କେମିତି ଥିଲା ଏହି ପଲିଟିକାଲ ଷ୍ଟ୍ରାଇକ୍‌?

ପୂର୍ବରୁ କଶ୍ମୀର ଉପରେ ଅନେକ ବିତର୍କ ହୋଇଥିଲା। ଧାରା ୩୭୦ ଉଛେଦ କରିବାକୁ ଶାହ ସଂସଦରେ ସଙ୍କେତ ଦେଇଥିଲେ। କିନ୍ତୁ ଏହାକୁ କିଛି ରାଜନୀତିକ ଦଳ ବିରୋଧ କରିଥିଲେ। ଏଣୁ ବିନା ଚର୍ଚ୍ଚା ଆଲୋଚନାରେ କଶ୍ମୀର ଉପରେ ରାତି ଅଧିଆ ପଲିଟିକାଲ ସର୍ଜିକାଲ ଷ୍ଟ୍ରାଇକ୍‌ କରାଯାଇଥିବା କୁହାଯାଉଛି।

ରବିବାର ବିଳମ୍ବିତ ରାତିରେ କଶ୍ମୀରରେ ଅଚାନକ ୧୪୪ ଧାରା ଜାରି କରାଯାଇଥିଲା। ପିଡିପି ନେତ୍ରୀ ମେହବୁବା ମୁଫ୍‌ତି, ନ୍ୟାସନାଲ କନଫରେନ୍ସ ଅଧ୍ୟକ୍ଷ ଓମାର ଅବଦୁଲ୍ଲା, ପିପୁଲ୍ସ କନ୍‌ଫରେନ୍ସ ନେତା ସଜାଦ ଲୋନ୍‌ଙ୍କ ସମେତ ଏକାଧିକ ନେତାଙ୍କୁ ସରକାର ଗୃହବନ୍ଦୀ କରିଥିଲେ। ମୋବାଇଲ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରିଦିଆଯାଇଥିଲା।

ସବୁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଥିବା ବେଳେ ଆସନ୍ତା ସପ୍ତାହକ ମଧ୍ୟରେ ହେବାକୁ ଥିବା ପରୀକ୍ଷା ବାତିଲ କରାଯାଇଛି। କଲେଜ, ହଷ୍ଟେଲ ଏବଂ କଳକାରଖାନାକୁ ବନ୍ଦ ଘୋଷଣା କରାଯାଇଥିଲା।

ବିଭିନ୍ନ ରାଜନୀତିକ ଦଳର କୌଣସି ରାଲି ବା ବୈଠକ ଉପରେ କଟକଣା ଲଗାଇଛନ୍ତି ସରକାର। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।

ରବିବାର ରାତିରେ ହଏହି ପଦକ୍ଷେପ ନେବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ଜମ୍ମୁ କଶ୍ମୀର ସଂଶୋଧନ ବିଲ୍‌ ପ୍ରସ୍ତାବ ଆଗତ କରିଥିଲେ। ପ୍ରବଳ ବିରୋଧ ସତ୍ତ୍ୱେ ଏହି ବିଲ୍ ରାଜ୍ୟସଭାରେ ଧ୍ୱନି ମତରେ ପାସ୍‌ ହୋଇଛି।

ମୋଦି ଏବଂ ଶାହ ଯୋଡ଼ିଙ୍କ ଏହି ଐତିହାସିକ ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।

ତେବେ କଶ୍ମୀର ପ୍ରସଙ୍ଗରେ ଆସନ୍ତକାଲି ପାକିସ୍ତାନରେ ମିଳିତ ଅଧିବେଶନ ଡକାଯାଇଛି। ଏହି ଅଧିବେଶନରେ କ’ଣ ନିଷ୍ପତ୍ତି ନିଆଯାଉଛି ତା’ ଉପରେ ଏବେ ସମସ୍ତଙ୍କ ନଜର ରହିଛି।

୨୦୧୯ରେ ବିଜେପିର ନୂଆ ରଣନୀତି

୨୦୧୪ ନିର୍ବାଚନ ପୂର୍ବରୁ ହିନ୍ଦୁତ୍ୱ କାର୍ଡ ଖେଳୁଥିଲା ବିଜେପି। ହିନ୍ଦୁତ୍ୱ କାର୍ଡ ଏବଂ ରାମ ମନ୍ଦିର କଥା କହି ବିଜେପି ଅଟଳବିହାରୀ ବାଜପେୟୀଙ୍କ ନେତୃତ୍ୱରେ ୨୦୦୦ ମସିହାରେ ସରକାର ଗଠନ କରିଥିଲା। ହେଲେ ୨୦୦୪ ଏବଂ ୨୦୦୯ରେ ଏହି କାର୍ଡ ବିଜେପିର କାମ କଲାନି।

ଲଗାତର ଦୁଇ ଥର ନିର୍ବାଚନରେ ପରାଜିତ ହେବା ପରେ ବିଜେପି ତାର ଷ୍ଟ୍ରାଟେଜି ବଦଳାଇଥିଲା। ୨୦୧୪ ନିର୍ବାଚନରେ ନରେନ୍ଦ୍ର ମୋଦି ବିଜେପିର ପ୍ରଧାନମନ୍ତ୍ରୀ ଚେହେରା ଭାବେ ଆଗକୁ ଆସିବା ପରେ ଦଳ ଭାରତର ବିକାଶକୁ ମୁଖ୍ୟ ଅସ୍ତ୍ର କରିଥିଲା।

ମୋଦି ଯୁଆଡ଼େ ଗଲେ ବିକାଶର କଥା କହିଲେ। କଂଗ୍ରେସର ୬୦ ବର୍ଷ ଶାସନ କାଳ ସମୟରେ ଦେଶର ଯାହା ବିକାଶ ହୋଇପାରି ନଥିଲା ତାହା ଆମେ ୬୦ ମାସରେ କରି ଦେଖାଇବୁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବିକାଶ ମନ୍ତ୍ର ଫୁଙ୍କି ମୋଦି ୨୦୧୪ରେ ପ୍ରଧାନମନ୍ତ୍ରୀ ଗାଦିରେ ବସିଥିଲେ।

୨୦୧୪ରୁ ୨୦୧୮ ଶେଷ ଯାଏଁ ସାରା ଦେଶରେ ମୋଦି ହାୱା ବହିଥିଲା। ହେଲେ ଯେତେବେଳେ ସାଧାରଣ ନିର୍ବାଚନ ପାଖେଇ ଆସିଲା ସେତେବେଳେ ମୋଦିଙ୍କ ହାୱା ଥମି ଯାଇଥିଲା। ୨୦୧୯ ନିର୍ବାଚନ ମୋଦିଙ୍କ ପାଇଁ ଏତେଟା ସହଜ ହୋଇ ନପାରେ ବୋଲି ଚର୍ଚ୍ଚା ହେଲା।

କିନ୍ତୁ ନିର୍ବାଚନର ଠିକ୍ ଗୋଟିଏ ମାସ ପୂର୍ବରୁ ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ପ୍ରାୟ ୪୬ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ଏହା ଭାରତରେ ଗଭୀର ଆଲୋଡ଼ନ ସୃଷ୍ଟି କରିଥିଲା। ଆତଙ୍କବାଦକୁ ପ୍ରଶୟ ଦେଉଥିବା ପାକିସ୍ତାନକୁ ପାନେ ଦେବା ପାଇଁ ବିଭିନ୍ନ ମହଲରୁ ଦାବି ଉଠିଲା।

ନିର୍ବାଚନ ପୂର୍ବରୁ ପାକିସ୍ତାନ ସୀମାରେ ପଶି ଭାରତୀୟ ବାୟୁସେନା ଏୟାର ଷ୍ଟ୍ରାଇକ୍‌ କରିଥିଲା। ଏଥିରୁ ରାଜନୀତି ଫାଇଦା ନେବା ପାଇଁ ମୋଦି ଏବଂ ଅମିତ ଶାହ ଚେଷ୍ଟା କରିଥିଲେ।

ଏୟାରଷ୍ଟ୍ରାଇକ୍‌ ପରେ ମୋଦି ଏବଂ ଶାହ ଯେଉଁଠି ନିର୍ବାଚନ ପ୍ରଚାର କଲେ ସେଠି ଭାରତର ସୁରକ୍ଷା କଥା କହିଲେ।  ଶତ୍ରୁ ରାଷ୍ଟ୍ରକୁ ପାନେ ଦେବା ପାଇଁ ମଜବୁତ ସରକାର ଦରକାର ବୋଲି କହିଥିଲେ ଶାହ।

ଏୟାରଷ୍ଟ୍ରାଇକ୍‌ ପୂର୍ବରୁ ବିଜେପି ଏବଂ ମୋଦି ସରକାରଙ୍କ ପ୍ରତି ଭୋଟରଙ୍କ ମନରେ ଯେଉଁ ଭାବନା ଥିଲା ତାହା ଏୟାରଷ୍ଟ୍ରାଇକ୍‌ ପରେ ବଦଳି ଯାଇଥିଲା। ସାରା ଦେଶରେ ପୁଣି ମୋଦି ହାୱା ବହିଥିଲା। ସାରା ଦେଶରେ ବିଜେପି ପ୍ରାର୍ଥୀ ବିପୁଳ ଭୋଟରେ ଜିତିବା ପରେ ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ।

ମୋଦି ଦ୍ୱିତୀୟ ପାଳି ସରକାରରେ ଐତିହାସିକ ପଦକ୍ଷେପ ନେଇଛନ୍ତି। କଶ୍ମୀରରୁ ଧାରା ୩୭୦ ଉଛେଦ କରି ମୋଦି ଏବଂ ଶାହ ପୁଣି ଦେଶବାସୀଙ୍କ ପ୍ରିୟଭାଜନ ହୋଇପାରିଥିବା କୁହାଯାଉଛି।

କଶ୍ମୀର ପାଇଁ ଶାହ ହେଲେ କି ଗୃହମନ୍ତ୍ରୀ?

ଜମ୍ମୁ କଶ୍ମୀରରେ ବିଜେପି-ପିଡିପି ମେଣ୍ଟ ଶାସନ ଚାଲିଥିଲା। ମହମ୍ମଦ ମୁଫ୍‌ତି ମୁଖ୍ୟମନ୍ତ୍ରୀ ଥିଲେ। ହେଲେ ବିଜେପି ଏବଂ ପିଡିପି ଭିତରେ ମତ ପାର୍ଥକ୍ୟ ଦେଖାଦେବାରୁ ୨୦୧୮ରେ ମେଣ୍ଟ ଭାଙ୍ଗିଗଲା। ବିଜେପି ମେଣ୍ଟରୁ ଓହରି ଆସିବା ପରେ ଜମ୍ମୁ କଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ ହୋଇଥିଲା।

୬ ମାସ ଧରି ଏହି ରାଜ୍ୟରେ ରାଜ୍ୟପାଳ ଶାସନ ଚାଲିବା ପରେ ୨୦୧୮ ଡିସେମ୍ବର ୨୦ରେ ଏହି ଶାସନ ଶେଷ ହୋଇଥିଲା। ଜମ୍ମୁ କଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ଦେଇଥିଲା।

ମେଣ୍ଟ ଭାଙ୍ଗିବା ଦିନରୁ ହିଁ ଜମ୍ମ କଶ୍ମୀରରୁ ଧାରା ୩୭୦ ଉଛେଦ କରିବା ଲାଗି ମୋଦି ଏବଂ ଶାହ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା କୁହାଯାଉଛି।

୨୦୧୯ ନିର୍ବାଚନ ପୂର୍ବରୁ ବିଜେପି ତାର ନିର୍ବାଚନୀ ଇସ୍ତାହର ପ୍ରକାଶ କରିଥିଲା। ଏହି ଇସ୍ତାହରରେ କଶ୍ମୀରରୁ ୩୭୦ ଉଛେଦ କରିବା କଥା ଉଲ୍ଲେଖ ରହିଥିଲା।

ନିର୍ବାଚନରେ ବିଜେପି ଏକାକୀ ସଂଖ୍ୟାଗରିଷ୍ଠତା ହାସଲ କରି କେନ୍ଦ୍ରରେ ସରକାର ଗଠନ କରିଥିଲା। ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ସବୁଠୁ ବଡ଼ କଥା ହେଉଛି ପ୍ରଥମ ପାଳି ସରକାରରେ ମନ୍ତ୍ରୀ ପଦ ପାଇ ନଥିବା ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କୁ ଏଥର ମନ୍ତ୍ରିମଣ୍ଡଳରେ ସାମିଲ କରିଥିଲେ ମୋଦି।

ଶାହଙ୍କୁ ଗୁରୁତ୍ୱପୂର୍ଣ୍ଣ ଗୃହ ବିଭାଗର ଦାୟିତ୍ୱ ଦେଇଥିଲେ ମୋଦି। ସରକାର ଗଠନ ହେବାର ମାତ୍ର ଦୁଇ ମାସ ମଧ୍ୟରେ ମୋଦି ଏବଂ ଶାହ ଐତିହାସିକ ପଦକ୍ଷେପ ନେଇଛନ୍ତି। ବୋଧହୁଏ କଶ୍ମୀରରୁ ଧାରା ୩୭୦ ହଟାଇବା ପାଇଁ ମୋଦି ଅମିତ ଶାହଙ୍କୁ କେନ୍ଦ୍ର ଗୃହ ମନ୍ତ୍ରୀ କରିଥିଲେ। କଶ୍ମୀର ଭଳି ଆଗକୁ ଅମିତ ଶାହ ଆଉ କେଉଁ ଦୁଃସାହସିକ ପଦକ୍ଷେପ ନେଉଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି।

କଶ୍ମୀରରୁ ଅଲଗା ହେଲା ଲଦାଖ

ଜମ୍ମୁ କଶ୍ମୀର ପ୍ରସଙ୍ଗରେ ଆଜି ଐତିାହାସିକ ନିଷ୍ପତ୍ତି ନେଇଛନ୍ତି ମୋଦି ସରକାର। ଏହି ନିଷ୍ପତ୍ତି ଅନୁସାରେ ଜମ୍ମୁ କଶ୍ମୀର ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ହରାଇବା ସହ ଦୁଇ ଭାଗରେ ବିଭାଜନ ହୋଇଛି। ଗୋଟିଏ ଜମ୍ମୁ କଶ୍ମୀର ଓ ଅନ୍ୟଟି ଲଦାଖ। ଅର୍ଥାତ୍‌ ଜମ୍ମୁ କଶ୍ମୀରରୁ ଲଦାଖ ଅଲଗା ହେବ।

ଜମ୍ମୁ କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହେବା ସହିତ ଲଦାଖ ମଧ୍ୟ କେନ୍ଦ୍ର ଶାସିତ ଅଞ୍ଚଳ ହେବ। ଜମ୍ମୁ କଶ୍ମୀରରେ ବିଧାନସଭା ରହିବ ମାତ୍ର ଲଦାଖରେ ବିଧାନସଭା ରହିବ ନାହିଁ।

ଆଜି ରାଜ୍ୟସଭାରେ ଜାମ୍ମୁ କାଶ୍ମୀର ସଂରକ୍ଷଣ ସଂଶୋଧନ ବିଲ୍‌ ଉପସ୍ଥାପନ ବେଳେ ଗୃହମନ୍ତ୍ରୀ ଅମିତ ଶାହ ଏହା ଘୋଷଣା କରିଛନ୍ତି।

୩୭୦ ହଟିବା ପରେ କ’ଣ ହେବ ସୁବିଧା?

ପୂର୍ବରୁ ଜମ୍ମୁ କଶ୍ମୀର ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଥିଲା। ଏବେ ଏହି ମାନ୍ୟତା ହରାଇବ ଜମ୍ମୁ କଶ୍ମୀର। ଜମ୍ମୁ କଶ୍ମୀରରେ ଅଲଗା ସମ୍ବିଧାନ ରହିପାରିବ ନାହିଁ। ପୂର୍ବରୁ ଜମ୍ମୁ କଶ୍ମୀରରେ ସ୍ୱତନ୍ତ୍ର ସମ୍ବିଧାନ ଥିଲା। ବିଧାନସଭା କାର୍ଯ୍ୟକାଳ ୬ ବର୍ଷ ପରିବର୍ତ୍ତେ ୫ ବର୍ଷ ରହିବ।

କଶ୍ମୀରର ସ୍ୱତନ୍ତ୍ର ପତାକା ପରିବର୍ତ୍ତେ ତ୍ରିରଙ୍ଗା ହିଁ ଏକମାତ୍ର ପତାକା ରହିବ। ରାଜ୍ୟପାଳ ଶାସନ ବ୍ୟବସ୍ଥା ପରିବର୍ତ୍ତେ ରାଷ୍ଟ୍ରପତି ଶାସନ ବ୍ୟବସ୍ଥା ହେବ। ବାହାର ଲୋକ ଜମ୍ମୁ କଶ୍ମୀରରେ ସମ୍ପତ୍ତି କିଣି ପାରୁନଥିଲେ ଏବେ ବାହାର ଲୋକ ସମ୍ପତ୍ତି କିଣି ପାରିବେ।

ଜମ୍ମୁ କଶ୍ମୀରର ନାଗରିକମାନଙ୍କର ୨ ପ୍ରକାରର ନାଗରିକତା ମିଳିଛି। ଏହି ଧାରା ଉଠିବା ପରେ କେବଳ ଭାରତୀୟ ନାଗରିକତା ମିଳିବ।

Comment