ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଓଡ଼ିଆରେ ଗୋଟିଏ ଅତି ଲୋକପ୍ରିୟ ଚଳଚିତ୍ର ଗୀତ ଅଛି – ‘ପାନ ଗୁଆ ଖଇର ଗୁଆକାତି, ଭଲ ବ୍ୟବସାୟ ରାଜନୀତି।’
ରାଜନୀତିରେ କିଏ କେତେବେଳେ କାହାର ଶତ୍ରୁ ବା ମିତ୍ର ପାଲଟିବ ସେ କଥା କହିବା କଷ୍ଟ। ଆଜିକାଲିର ରାଜନୀତିରେ ନା ତର୍କ ଅଛି, ନା ମୂଲ୍ୟବୋଧ ଅଛି ନା ଆଦର୍ଶ। ଏହାର ପ୍ରମାଣ ହେଉଛି ବିଜେଡି -ବିଜେପି ଅଘୋଷିତ ମେଣ୍ଟ।

ଭଲ ଖେଳ ଚାଲିଛି

ବିଗତ କିଛି ଦିନ ଧରି ଓଡ଼ିଶା ରାଜନୀତିରେ ଯାହା ଚାଲିଛି ତାହା ଅନେକଙ୍କୁ ଆଚମ୍ବିତ କରିଛି। ଏଠି ବଡ଼ ବଡ଼ ଖେଳୁଆଡ଼ ବି ହାର ମାନୁଛନ୍ତି। ସବୁଠୁ ବଡ଼  କଥା ହେଲା ଓଡ଼ିଶାର ରାଜନୀତି ଭାରତର ରାଜନୈତିକ ସଂଜ୍ଞାକୁ ବି ବଦଳାଇ ଦେଇଛି ଓ ନବୀନଙ୍କ ରାଜନୀତି ଏକ ବ୍ରାଣ୍ଡରେ ପରିଣତ ହୋଇଯାଇଛି।

କୋଳାକୋଳି

ନିର୍ବାଚନ ସାରିବାର ଦୁଇ ମାସ ଇତି ମଧ୍ୟରେ ବିତିଗଲାଣି। ବର୍ତ୍ତମାନ ରାଜ୍ୟର ଅସଲ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବା କଥା ଓ କେନ୍ଦ୍ର ସରକାରଙ୍କ ସହ ଏ ନେଇ ବିଚାର ବିମର୍ଶ ହେବା କଥା। କିନ୍ତୁ ରାଜନୀତି ଏବେ ଅଲଗା ପ୍ରସଙ୍ଗକୁ ନେଇ ଚାଲୁଛି। ପ୍ରସଙ୍ଗ ତ ନୁହେଁ ଅପ୍ରସଙ୍ଗ। ଘଟଣାଟି ହେଉଛି ବିଜେଡି ଓ ବିଜେପି ମଧ୍ୟରେ ଅସମ୍ଭବ ରକମର କୋଳାକୋଳି। ଶାସକ ବିଜେଡି ଓ ବିଜେପି ଭିତରେ ସମ୍ପର୍କ ଏତେ ଘନିଷ୍ଠ ହୋଇ ପଡ଼ିଛି ଯେ ଏ ଦୁଇ ଦଳ ଭିତରେ କିଛି ଫରକ ଥିବା ମନେ ହେଉନାହିଁ।

ବନ୍ଧୁ ମହାନ୍ତି

ତିନି ମାସ ତଳେ ଦୁଇ ଦଳ ଏଭଳି ଏକ ନିର୍ବାଚନ ରଣାଙ୍ଗନରେ ପାଦ ଦେଇଥିଲେ ଯେ କେହି କାହାକୁ ସହଜରେ ଛାଡ଼ୁ ନଥିଲେ। ଯିଏ ଯାହାକୁ ଯେତେ ଉଲଗ୍ନ କରି ପାରିବ ପାରୁଥିଲା ଓ ରାଜନୈତିକ ବିଚାର ଓ ପ୍ରଚାର ଏକଦମ ତଳ ସ୍ତରକୁ ଖସି ଯାଇଥିଲା। ନିର୍ବାଚନ ଶେଷ ହେବା ପରେ ଉଭୟ ଦଳ ନିଜ ନିଜ ଔକାତ ଦେଖାଇବା କଥା। କିନ୍ତୁ ଦୁଇ ଦଳ ଭିତରେ ଶତ୍ରୁତାର ଲେଶ ମାତ୍ର ଚିହ୍ନ ନାହିଁ। ଏବେ ସମସ୍ତେ ବନ୍ଧୁ ମହାନ୍ତି। ସତ କହିଲେ, ବିଜେପି ଓ ବିଜେଡି ଭିତରେ ଏକ ଅଭୂତପୂର୍ବ ଦିଆ ନିଆର ସମ୍ପର୍କ ଆଖିରେ ପଡ଼ୁଛି।

ଏହି ନିକଟପଣରେ ବି ପ୍ରତିଯୋଗିତା। ବିଜେଡି ଏହି ପ୍ରତିଯୋଗିତାରେ ଦୁଇ ପାଦ ଆଗରେ ଚାଲିଛି। ଗୋଟିଏ ରାଜ୍ୟସଭା ଆସନ ବିଜେପିକୁ ଛାଡ଼ିବାଠାରୁ ଆରମ୍ଭ କରି ଅଧିକାଂଶ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସମର୍ଥନ କରିବା ପର୍ଯ୍ୟନ୍ତ ବିଜେଡିର ଯାଚିଯିବା ଅଭ୍ୟାସ ଏତେ ମାତ୍ରରେ ବଢ଼ି ଯାଇଛି ଯେ ବିଜେପି ନ ଚାହିଁଲେ ବି ବିଜେଡି ଦେବାକୁ ପ୍ରସ୍ତୁତ ଥିବା ଦେଖାଯାଉଛି। ରାଜ୍ୟସଭାରେ ବିଜେପିର ସଂଖ୍ୟା ଗରିଷ୍ଠତା ନଥିବା କରଣରୁ ଦ୍ୱିତୀୟ ମୋଦି ସରକାରର ସମସ୍ତ ପ୍ରସଙ୍ଗ ଓ ବିଲକୁ ବିଜେଡି ସମର୍ଥନ ଜଣାଇବା ସହ ଏଥିରେ ନୂଆ ରେକଡର୍ ସୃଷ୍ଟି କରିଛି।

କୁଆଡ଼େ ଗଲା ଭାବମୂର୍ତ୍ତି?

ତିନି ତଲାକ ବିଲକୁ ମୋଦି ସରକାରଙ୍କୁ ସମର୍ଥନ କରିବା ପରେ ସୂଚନା ଅଧିକାର ଆଇନ ସଂଶୋଧନକୁ ଯେତେବେଳେ  ବିଜେଡି ସଂସଦରେ ସମର୍ଥନ କଲା ତାହା ଅନେକଙ୍କ ଭୃକୁଂଚନ କରିଥିଲା। ନବୀନଙ୍କ ନିର୍ମଳ ଭାବମୂର୍ତ୍ତି ଯାହା ରହି ଆସିଛି ସେଥିରେ ସୂଚନା ଅଧିକାର ବିଲକୁ ତାଙ୍କ ଦଳ କିପରି ସମର୍ଥନ କଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏପରିକି ଜଣେ ପୂର୍ବତନ ସୂଚନା କମିଶନର ଶ୍ରୀଧର ଆଚାର୍ଯ୍ୟ ନବୀନଙ୍କୁ ପ୍ରଶ୍ନ କଲେ ଆପଣଙ୍କ ଦଳ କେମିତି ଆରଟିଆଇ ସଂଶୋଧନକୁ ସମର୍ଥନ ଜଣାଇଲା।

ଟ୍ରିବ୍ୟୁନାଲ ଉପାଖ୍ୟାନ

ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ ହେଲା ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ସମ୍ପର୍କିତ ଏକକ ଟ୍ରିବ୍ୟୁନାଲ ଗଠନକୁ ବିଜେଡିର ପୂର୍ଣ୍ଣ ସମର୍ଥନ। ରାଜ୍ୟ ସରକାରମାନଙ୍କ ସହ ଏ ନେଇ ପରାମର୍ଶ କରାଯାଇ ନାହିଁ ବୋଲି ଦଳର ବରିଷ୍ଠ ନେତା ଭର୍ତ୍ତୃହରି ମହତାବ ଗୃହରେ ପ୍ରସଙ୍ଗ ଉତ୍‌ଥାପନ କଲେ ସତ ହେଲେ ଭୋଟିଂ ବେଳକୁ ବିଜେଡି ଏହି ବିଲକୁ ଆଗୁଆ ସମର୍ଥନ ଜଣାଇଥିଲା। ଜଳ ଟ୍ରିବୁନାଲ ସମ୍ପର୍କରେ ବିଜେଡି ଏବେ କହୁଛି ଯେ ଏହା ବିବାଦର ସମାଧାନ ପାଇଁ ଶୀଘ୍ର ବାଟ ଖୋଲିବ। କିନ୍ତୁ ମହାନଦୀ ଜଳକୁ ନେଇ ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ଅତୀତରେ  ଯେଉଁ ଘମାଘୋଟ ଲଢେ଼ଇ ଲାଗିଥିଲା ତାହାକୁ ସମସ୍ତେ ଭୁଲିଗଲେଣି।

ସମଦୂରତ୍ୱ

ବିଜେଡିର ସମ ଦୂରତ୍ୱ ରାଜନୀତି ତ ଏବେ ଆଉ କାମ କରୁନାହିଁ। ବରଂ ବିଜେପିକୁ ସାହାଯ୍ୟ କରିବା ପାଇଁ ବିଜେଡି ବ୍ୟାକୁଳ ହେଉଥିବା ଲକ୍ଷ୍ୟ କରାଯାଇଛି। ଏହା ପଛରେ ଗୋଟିଏ ବଡ଼ କାରଣ ହେଉଛି ଚିଟ୍‌ ଫଣ୍ଡ ପ୍ରସଙ୍ଗରେ ବିଜେଡିର ସିବିଆଇ ଖଣ୍ଡା। ଖାସ୍‌ ଏଇଥିପାଇଁ ନବୀନ ତାଙ୍କର ସାହାଯ୍ୟ ରୂପକ ଭଣ୍ଡାରକୁ ମୋଦି ସରକାର ପାଖରେ ମେଲି ଦେଇଛନ୍ତି। କେଉଁଠି ନା କେଉଁଠି କେନ୍ଦ୍ର ସରକାରଙ୍କ ସାହାଯ୍ୟ ଓ ଦୟା ଆବଶ୍ୟକ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଲ ଭାବରେ ହୃଦୟଙ୍ଗମ କରିଛନ୍ତି।


ରକ୍ଷା ବନ୍ଧନ

ନବୀନ ପଟ୍ଟନାୟକ ଜଣେ ବିଚକ୍ଷଣ ନେତା ଏଥିରେ ଆଦୌ ସନ୍ଦେହ ନାହିଁ। ସେ ଜାଣିଛନ୍ତି କେତେବେଳେ କେଉଁ କାର୍ଡକୁ କିଭଳି ଖେଳିବାକୁ ହେବ। ସେ ଦେଖୁଛନ୍ତି କେନ୍ଦ୍ରରେ ମୋଦି ସରକାରଙ୍କୁ ସାହାଯ୍ୟ କଲେ ନିଜର କିଛି କ୍ଷତି ହେବାର ନାହିଁ, ବରଂ ଲାଭ ହିଁ ହେବ। ଏଣୁ ଆଗକୁ ବିଜେଡି ଓ ବିଜେପି ମଧ୍ୟରେ ରକ୍ଷା ବନ୍ଧନ ଆହୁରି ସୁଦୃଢ଼ ହେବ ଏହା ଜଳ ଜଳ ଦେଖାଯାଉଛି।

Comment