ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

‘‘କିଛି ସାଂସଦ ଲୋକସଭା ଏବଂ ରାଜ୍ୟସଭାରେ ଲଦାଖ, ଲେହ ଏବଂ କାର୍‌ଗିଲ ସମ୍ପର୍କରେ ବଡ଼ ବଡ଼ କଥା କହିଲେ। ଏହା ମତେ ବହୁତ ଖୁସି ଦେଲା। ହେଲେ ମୋର ସେମାନଙ୍କୁ ପ୍ରଶ୍ନ ଯେ ସେମାନେ କେବେ ଲଦାଖ ଯାଇଛନ୍ତି ନା ଖାଲି ବହିପଢ଼ି ଭାଷଣ ଦେଉଛନ୍ତି’’, ଏହା ହେଉଛି ଲଦାଖର ବିଜେପି ସାଂସଦ ଜମୟାଙ୍ଗ ଟିସେରିଙ୍ଗ ନମଗୟଲଙ୍କ ମନ୍ତବ୍ୟ।

ଲୋକସଭାରେ ଧାରା ୩୭୦ ଉପରେ ଆଲୋଚନା ଚାଲିଥିବା ବେଳେ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଥିଲେ। ଜମ୍ମୁ କଶ୍ମୀର ଏବଂ ଲଦାଖ ସମ୍ପର୍କରେ ଭାଷଣ ଦେଇଥିଲେ। କିନ୍ତୁ ଲଦାଖରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ଜମୟାଙ୍ଗ ଟିସେରିଙ୍ଗ ଜମେଇକି ବିରୋଧୀଙ୍କୁ ଟାର୍ଗେଟ କରିଥିଲେ।

ଯେଉଁମାନେ ଲଦାଖ ବିଷୟରେ କହୁଛନ୍ତି ସେମାନେ ଏହି ଅଞ୍ଚଳର ବିଶେଷ ସଂସ୍କୃତିକୁ ଜାଣିଛନ୍ତି କି? ଲଦାଖର ଭାଷା କ’ଶ ଜାଣିଛନ୍ତି କି? ଲଦାଖର ଖାଦ୍ୟ, ପେୟ ବିଷୟରେ ଭଲଭାବେ ଅବଗତ ଅଛନ୍ତି କି? ଲଦାଖର ଭୌଗୋଳିକ ଅବସ୍ଥାକୁ ଭଲଭାବେ ବୁଝିଛନ୍ତି କି? ଲଦାଖର ଦୁର୍ଗ ଅଞ୍ଚଳକୁ ଯାଇଛନ୍ତି କି?

ଏମିତି ପ୍ରଶ୍ନବାଣରେ ଲଦାଖର ବିଜେପି ସାଂସଦ ସିଧା କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳକୁ ତୀର ମାରିଥିଲେ।

‘‘ଲଦାଖ ଗତ ୭୧ ବର୍ଷ ହେଲା କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ପାଇବା ପାଇଁ ସଂଘର୍ଷ କରି ଆସୁଛି। ଭାରତର ଅବିଛେଦ୍ୟ ଅଙ୍ଗ ହୋଇ ରହିବାକୁ ଚାହୁଁଥିଲେ ଲଦାଖବାସୀ। ୧୯୮୪୮ ମେ’ ୪ରେ ଲଦାଖର ବୁଦ୍ଧିଷ୍ଟ ଆସୋସିଏସନର ତତ୍କାଳୀନ ସଭାପତି ପଣ୍ଡିତ ଜବାହରଲାଲ ନେହେରୁଙ୍କୁ କହିଥିଲେ ଯେ କଶ୍ମୀର ସହିତ ଲଦାଖକୁ ରଖନ୍ତୁ ନାହିଁ। ହେଲେ ସେତେବେଳେ ଏହାକୁ କେହି ଶୁଣି ନଥିଲେ’’, କହିଥିଲେ ଲଦାଖର ଏହି ଯୁବ ସାଂସଦ।

କଶ୍ମୀର ଅଧିନରେ ରହିଥିବାରୁ ଆଜି ପର୍ଯ୍ୟନ୍ତ ଲଦାଖର ବିକାଶ ହୋଇପାରି ନାହିଁ। ଲଦାଖବାସୀ ରାଜନୀତି କ୍ଷେତ୍ରରେ ସୁବିଧା ପାଇ ନାହାନ୍ତି। ଏଠାକାର ଭାଷା ମଧ୍ୟ ଲୁପ୍ତ ହେବାକୁ ବସିଛି। ଏଥିପାଇଁ କଂଗ୍ରେସ ପାର୍ଟି ଏବଂ ଧାରା ୩୭୦ ଦାୟୀ ବୋଲି କହିଥିଲେ ଜମୟାଙ୍ଗ ଟିସେରିଙ୍ଗ।

‘‘ଦେଶ ସ୍ୱାଧୀନ ହେବା ପରଠୁ ଭାରତ-ପାକିସ୍ତାନ ଭିତରେ ଯେତେ ଥର ଯୁଦ୍ଧ ହୋଇଛି ସବୁଥିଲେ ଲଦାଖବାବାସୀଙ୍କର ଭୂମିକା ଅତୁଳନୀୟ। ଲଦାଖର ବହୁ ଲୋକ ଦେଶ ପାଇଁ ବଳିଦାନ ଦେଇଛନ୍ତି। ଦୁଇଟି ପରିବାରର ଶାସନ ଯୋଗୁଁ ଲଦାଖ ଅବହେଳିତ ହୋଇ ରହିଥିଲା। ହେଲେ ଏବେ ଲଦାଖକୁ କଶ୍ମୀରରୁ ଅଲଗା କରିବା ପାଇଁ ନରେନ୍ଦ୍ର ମୋଦିଙ୍କ ସରକାର ଘୋଷଣା କରିଛନ୍ତି।’’

‘‘ଜମ୍ମୁ କଶ୍ମୀର ଏବଂ ଲଦାଖ ପାଇଁ ଯେତେବେଳେ କେନ୍ଦ୍ରରୁ ଟଙ୍କା ଯାଉଥିଲା ସେହି ଟଙ୍କା ଲଦାଖର ବିକାଶ ପାଇଁ ଯାଉ ନଥିଲା। କଶ୍ମୀରରେ ରହିଯାଉଥିଲା। ଏହା କି ପ୍ରକାରର ସମାନତା? ଜମ୍ମୁ କଶ୍ମୀର ସରକାର ଯେତେବେଳେ ସରକାରୀ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରନ୍ତି ସେଥିରେ ଲଦାଖର ଯୁବକଙ୍କ ଭାଗ ପଡ଼େ ନାହିଁ। ଜମ୍ମୁ ଯୁବକ କେବଳ ଚାକିରି ପାଆନ୍ତି। ଏହା କ’ଣ ସମାନତା?’’

୨୦୧୧ରେ ଜମ୍ମୁ ଏବଂ କଶ୍ମୀରରେ ଦୁଇଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଲଦାଖରେ ଗୋଟିଏ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନ କରିବା ପାଇଁ ଆମେ ଦାବି କରିଥିଲୁ। କିନ୍ତୁ ଆମ ଦାବିକୁ ସେଠାକାର ସରକାର ଶୁଣିଲେ ନାହିଁ। ଏହା କି ପ୍ରକାରର ସମାନତା ବୋଲି ପ୍ରଶ୍ନ କରିଛନ୍ତି ଜମୟାଙ୍ଗ ଟିସେରିଙ୍ଗ।

ଲଦାଖରେ ଆଜି ଯଦି ବିଶ୍ୱବିଦ୍ୟାଳୟ ହୋଇଛି ତାହା କେବଳ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ପାଇଁ ସମ୍ଭବ ହୋଇଛି।

୨୦୦୦ରେ କଂଗ୍ରେସ ଜମ୍ମୁ କଶ୍ମୀରରେ ସରକାରରେ ଥିଲା। ସେତେବେଳେ ୮ଟି ଜିଲ୍ଲା ସୃଷ୍ଟି ହୋଇଥିଲା। କଶ୍ମୀର ୪ଟି ପାଇଥିଲା ଏବଯ ଜମ୍ମୁବାସୀ ଲଢ଼େଇ କରି ୪ଟି ନେଇଗଲେ। ହେଲେ ଲଦାଖକୁ ଗୋଟିଏ ବି ମିଳିଲା ନାହିଁ ବୋଲି କ୍ଷୋଭର ସହ କହିଥିଲେ ଏହି ଯୁବ ସାଂସଦ।

୧୯୭୯ରେ ଲଦାଖକୁ ବିଭାଜନ କରାଗଲା। କାର୍‌ଗିଲ୍‌ ଏବଂ ଲଦାଖକୁ ଦୁଇଟି ଜିଲ୍ଲା କରାଗଲା। କାର୍‌ଗିଲରେ ଅଧିକ ମୁସଲିମ୍‌ ଏବଂ ଲଦାଖରେ ବୁଦ୍ଧିଷ୍ଟମାନଙ୍କୁ ରଖାଗଲା। ସେବେଠାରୁ ଏହି ଦୁଇ ଜିଲ୍ଲା ଭିତରେ ଲଢ଼େଇ ଚାଲିଛି। ଏଥିପାଇଁ ଜମ୍ମୁ କଶ୍ମୀରର ଦୁଇ ପରିବାରକୁ ଦାୟୀ କରିଥିଲେ ଏହି ଯୁବ ସାଂସଦ।

Comment