ଓଡ଼ିଶାଲାଇଭ୍ ବ୍ୟୁରୋ

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଛେଦ ହେବା ପରେ ପାକିସ୍ତାନ ଭାରତ ବିରୋଧୀ ଅଭିଯାନ ଆରମ୍ଭ କରିଛି। ଦିଲ୍ଲୀ ଏବଂ ଲାହୋର ଭିତରେ ଯାତ୍ରା କରୁଥିବା ସମଝୌତା ଏକ୍ସପ୍ରେସ୍‌କୁ ପାକିସ୍ତାନ ବନ୍ଦ କରିବା ପରେ ଆଜି ଥର୍ ଏକ୍ସପ୍ରେସ୍‌ ଚଳାଚଳକୁ ବନ୍ଦ କରିଛି ପାକିସ୍ତାନ।

ଥର୍‌ ଏକ୍ସପ୍ରେସ୍‌ ପାକିସ୍ତାନର ଖକରାପର୍ ଏବଂ ଭାରତର ମୁନାବାଓ ମଧ୍ୟରେ ଚଳାଚଳ କରୁଥିଲା। ଏହି ଟ୍ରେନ୍ ସପ୍ତାହକୁ ଥରେ ଯାତାୟତ କରୁଥିଲା।

‘‘ସମଝୌତା ଏକ୍ସପ୍ରେସ୍‌ ପରେ ଆମେ ଥର୍‌ ଏକ୍ସପ୍ରେସ୍‌ ଚଳାଚଳ ବନ୍ଦ କରିଛୁ। ୧୯୭୬ ମସିହାରୁ ଦୁଇ ଦେଶ ମଧ୍ୟରେ ଏହି ଟ୍ରେନ୍ ଚଳାଚଳ କରୁଥିଲା’’, କହିଛନ୍ତି ପାକିସ୍ତାନ ରେଳ ବିଭାଗ ମନ୍ତ୍ରୀ ରସିଦ ଅହମ୍ମଦ।

ପାକିସ୍ତାନ ଗତ ଦୁଇ ଦିନ ହେଲା ଭୋକ ବିକଳରେ ତାଟିଆ କାମୁଡୁଛି। ଭାରତ ସହିତ ବାଣିଜ୍ୟିକ ସମ୍ପର୍କ କାଟିବା ପରେ ସମଝୌତା ଏକ୍ସପ୍ରେସ୍ ଚଳାଚଳ ବନ୍ଦ କରିଥିଲା। ଏହାସହ ଭାରତୀୟ ସିନେମା ଉପରେ କଟକଣା ଲଗାଇଥିଲା ପାକିସ୍ତାନ।

ପାକିସ୍ତାନ ସରକାରଙ୍କର ଏହି ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର କଡ଼ା ପ୍ରତିକ୍ରିୟା ରଖିଛନ୍ତି। ପାକିସ୍ତାନ ଯାହା ନିଷ୍ପତ୍ତି ନେଉଛି ତାହା ଏକ ପାଖିଆ। ଭାରତ ସହିତ କୌଣସି ଆଲୋଚନା କରିନାହିଁ।

‘‘କଶ୍ମୀର ହେଉଛି ଆମର। ଆମେ ଆମ ଘରେ ଯାହା କରୁଛୁ ସେଥିରେ ପାକିସ୍ତାନ ମୁଣ୍ଡ ଖେଳାଇବାର ଆବଶ୍ୟକତା ନାହିଁ। ପାକିସ୍ତାନ ଅସଲ କଥାରେ ମୁଣ୍ଡ ଖେଳାଉ। ପାକିସ୍ତାନ ଯେଉଁ ନିଷ୍ପତ୍ତି ନେଇଛି ତାର ପୁନର୍ବିଚାର କରିବାକୁ ଅନୁରୋଧ କରିଥିଲୁ। ହେଲେ ଏକପାଖିଆ ନିଷ୍ପତ୍ତି ନେଇ ଚାଲିଛି ଭାରତ’’, କହିଛନ୍ତି ରବିଶ କୁମାର।

Comment