ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ରାସନକାର୍ଡରେ ଆଧାର ଲିଙ୍କ୍‌ ବାଧ୍ୟତାମୂଳକ। ଯେଉଁ ହିତାଧିକାରୀଙ୍କ ରାସନ କାର୍ଡ ସହ ଆଧାର ସଂଯୋଗ ନଥିବ ସେମାନେ ରାଜ୍ୟ ସରକାରଙ୍କ ୧ ଟଙ୍କିଆ ଚାଉଳ ପାଇବାରୁ ବଞ୍ଚିତ ହେବେ। ଏନେଇ ରାଜ୍ୟ ଖାଉଟି ଓ ଯୋଗାଣ ବିଭାଗ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।

ଅଗଷ୍ଟ ୩୧ ତାରିଖ ସୁଦ୍ଧା ରାସନକାର୍ଡ ସହ ଆଧାର ଲିଙ୍କ୍ କରିବାକୁ ସରକାର ଡେଡ୍‌ଲାଇନ୍‌ ଦେଇଛନ୍ତି।

ଜଣେ ହିତାଧିକାରୀ ଦୁଇଟି ରାସନକାର୍ଡ ହାତେଇ ଦୁଇଟି ଜାଗାରୁ ଚାଉଳ ଉଠାଉଥିବା ଅଭିଯୋଗ ଆସିବା ପରେ ସରକାର କଠୋର ହୋଇଛନ୍ତି। ୧ ଟଙ୍କିଆ ଚାଉଳରେ ହେଉଥିବା ଜାଲିଆତିକୁ ଜଗିବା ପାଇଁ ରାଜ୍ୟ ସରକାର ଆଧାର ଲିଙ୍କ୍ ବାଧ୍ୟତାମୂଳକ କରିଛନ୍ତି। ଏହାସହ ପଞ୍ଚାୟତ ଏବଂ ବ୍ଲକ ସ୍ତରରେ ହିତାଧିକାରୀଙ୍କୁ ସଚେତନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ୩୪ ଲକ୍ଷ ୫୨ ହଜାର ୯୮୪ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଡ଼ିବା ପାଇଁ ଜିଲ୍ଲାପାଳଙ୍କୁ ହୋଇଥିବା ଚିଠିରେ ଉଲ୍ଲେଖ କରାଯାଇଛି।

‘‘ରାସନକାର୍ଡ ସହ ଆଧାର ସଂଯୋଗ ନଥିଲେ ସେମାନଙ୍କୁ ୧ ଟଙ୍କିଆ ଚାଉଳ ମିଳିବନି। ଯେଉଁମାନେ ଆଧାର ସଂଯୋଗ କରି ନାହାନ୍ତି ସେମାନେ ତୁରନ୍ତ କରନ୍ତୁ। ଯେବେ ଆଧାର ସଂଯୋଗ କରିବେ ସେବେ ସେମାନଙ୍କୁ ଚାଉଳ ମିଳିବ’’, କହିଛନ୍ତି ଖାଉଟିକଲ୍ୟାଣ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ରପ୍ରତାପ ସ୍ୱାଇଁ।

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩ କୋଟି ୨୩ ଲକ୍ଷ ୧୨ ହଜାର ହିତାଧିକାରୀ ସାମିଲ ହୋଇଥିଲେ। ଏହି ଯୋଜନାରେ ମୋଟ ୩ କୋଟି ୪୬ ଲକ୍ଷ ହିତାଧିକାରୀ ସାମିଲ ହେବା କଥା। କିନ୍ତୁ ଓଡ଼ିଶାରୁ ଆଉ ଅଧିକ ହିତାଧିକାରୀଙ୍କୁ କେନ୍ଦ୍ର ସରକାର ସାମିଲ ନକରିବା ଅଭିଯୋଗ ଆଣି ରାଜ୍ୟ ସରକାର ନିର୍ବାଚନ ପୂର୍ବରୁ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ପ୍ରଣୟନ କରିଥିଲେ। ଏଥିରେ ୨୪ ଲକ୍ଷ ୯୮ ହଜାର ହିତାଧିକାରୀଙ୍କୁ ଯୋଡ଼ିଥିଲେ।

ସବୁଠୁ ବଡ଼ କଥା ହେଉଛି ଲକ୍ଷ ଲକ୍ଷ ହିତାଧିକାରୀ ଦୁଇଟି ସ୍ଥାନରୁ ସରକାରୀ ଚାଉଳର ଲାଭ ଉଠାଇ ଆସୁଛନ୍ତି। ଜଣେ ହିତାଧିକାରୀଙ୍କର ମୃତ୍ୟୁ ହେବା ପରେ ବି ସେମାନଙ୍କ ନାଁରେ ତାଙ୍କ ପରିବାର ଚାଉଳ ନେଉଥିଲେ। ହେଲେ ସେମାନଙ୍କୁ ଜଗିବା ପାଇଁ ସରକାର କୌଣସି ପଦକ୍ଷେପ ନେଉ ନଥିଲେ। ହେଲେ ନିର୍ବାଚନ ଶେଷ ହେବା ପରେ ଏବେ ତତ୍ପର ହୋଇ ଉଠିଛନ୍ତି ରାଜ୍ୟ ସରକାର।

Comment