ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

‘‘ଓଡ଼ିଶାରେ ସରକାରକୁ ନବୀନ ବାବୁ ଚଲାଉ ନାହାନ୍ତି। କେହି ଜଣେ ପାଣ୍ଡିଆନ୍ ସାହେବ ଅଛନ୍ତି ସେ ହିଁ ସରକାର ଚଲାଉଛନ୍ତି। ତାଙ୍କ ଦଳ କଥା ମଧ୍ୟ ସେ ବୁଝୁଛନ୍ତି।’’

‘‘ନବୀନ ବାବୁ ୧୯ ବର୍ଷ ହେଲା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଅଛନ୍ତି। ହେଲେ ଆଜି ଯାଏଁ ଓଡ଼ିଆ କହି ପାରିଲେନି। ତାଙ୍କ ଜାଗାରେ ଯଦି ଗୋଟିଏ ପଥରକୁ ରଖାଯାଇଥାନ୍ତା ତାହାଲେ ସେ ଆଜି ଓଡ଼ିଆ କହନ୍ତାଣି।’’

ଏହି ମନ୍ତବ୍ୟ ହେଉଛି ବିଜେପିର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କର। ବିଜେପିର ସଦସ୍ୟ ସଂଗ୍ରହ ଅଭିଯାନକୁ ଶୁଭାରମ୍ଭ କରି ଖୋର୍ଦ୍ଧାଠାରେ ନବୀନ ଏବଂ ପାଣ୍ଡିଆନଙ୍କୁ ଏମିତି ଢଙ୍ଗରେ ଟାର୍ଗେଟ କରିଥିଲେ ଶିବରାଜ।

ନିର୍ବାଚନ ପରେ ବିଜେପି-ବିଜେଡିର ସମୀକରଣ ବଦଳିଥିବା କୁହାଯାଉଥିଲା। ନୂଆ ସରକାର ଗଠନ ହେବା ପରେ ସଂସଦରେ ଯେତେ ବିଲ୍ ଆସିଥିଲା ସବୁଥିରେ ବିଜେଡି ସମର୍ଥନ ଦେଇଥିଲା। ଗୋଟିଏ ପଟେ ଏନଡିଏରେ ଥିବା ଦଳ ବିଲ୍‌କୁ ସମର୍ଥନ କରିବା ପାଇଁ ପଛଘୁଞ୍ଚା ଦେଇଥିବା ବେଳେ ବିଜେଡି ମେଣ୍ଟ ବାହାରେ ରହି ସମର୍ଥନ କରିଥିଲା। ଏହାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଥିଲା। ବିଜେପି-ବିଜେଡି ଭିତରେ ସମ୍ପର୍କ କ’ଣ ନବୀନ ସ୍ପଷ୍ଟ କରନ୍ତୁ ବୋଲି କଂଗ୍ରେସ ବିଧାନସଭାରେ ଦାବି କରିଥିଲା।

ଗୋଟିଏ ପଟେ ବିଜେପି-ବିଜେଡି ଭିତରେ କେନ୍ଦ୍ରରେ ଭଲ ସମ୍ପର୍କ ଦେଖିବାକୁ ମିଳିଥିବା ବେଳେ ଗ୍ରାଉଣ୍ଡରେ କିନ୍ତୁ ଅଲଗା ଚିତ୍ର ଦେଖିବାକୁ ମିଳିଛି। ନିର୍ବାଚନ ପୂର୍ବରୁ ବିଜେପି ଯେମିତି ଢଙ୍ଗରେ ବିଜେଡିକୁ ଆଟାକ୍‌ କରୁଥିଲା ଆଜି ସେମିତି ପୁଣି ଆଟାକ୍‌ କରିଛି।

ନିର୍ବାଚନ ପୂର୍ବରୁ ଯେଉଁ ପ୍ରସଙ୍ଗକୁ ଧରି ବିଜେପି ଏବଂ ବିଜେଡି ଭିତରେ ତୁ ତୁ ମେ ମେ ଚାଲିଥିଲା ନିର୍ବାଚନ ପରେ ଆଜି ସେହି ପ୍ରସଙ୍ଗ ପୁଣି ଉଠାଇଛି ବିଜେପି। ତେବେ ବିଜେଡି ଏନେଇ କୌଣସି ପ୍ରତିକ୍ରିୟା ରଖିନି।

ନିର୍ବାଚନ ପୂର୍ବରୁ କେନ୍ଦ୍ରରୁ ଯେତେ ବିଜେପି ନେତା ଓଡ଼ିଶା ଆସୁଥିଲେ ସମସ୍ତେ ନବୀନଙ୍କୁ ତୀର ମାରୁଥିଲେ। ନବୀନ ଓଡ଼ିଆ ନକହିବାକୁ ପ୍ରସଙ୍ଗ କରି ବିଜେପି ରାଜ୍ୟ ରାଜନୀତିକୁ ସରଗରମ୍ କରୁଥିଲା। ଏପରିକି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଓଡ଼ିଶା ଆସି ନବୀନଙ୍କୁ ତୀର୍ଯ୍ୟକ ସମାଲୋଚନା କରିଥିଲେ।

ନବୀନଙ୍କୁ ପୋଡ଼ା ଟ୍ରାନ୍ସଫର୍ମର କହିବାକୁ ପଛାଇ ନଥିଲେ। ନିର୍ବାଚନ ଯେତେ ପାଖେଇ ଆସିଲା ଶାହ ବାରମ୍ବାର ଓଡ଼ିଶା ଆସି ନବୀନଙ୍କୁ ଟାର୍ଗେଟ କରିଥିଲେ। ଏପରିକି ମୋଦି ମଧ୍ୟ ନିର୍ବାଚନ ସମୟରେ ନବୀନଙ୍କୁ ଛାଡ଼ି ନଥିଲେ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନବୀନ ଓ ପାଣ୍ଡିଆନଙ୍କ ନାଁ ନେଇ ବର୍ଷୁଥିଲେ। ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ବିଜେପି ଆସିଥିବା ବୈଜୟନ୍ତ ପଣ୍ଡା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତୃତୀୟ ମହଲା ଅଫିସରଙ୍କୁ ଟାର୍ଗେଟ କରିଥିଲେ। ପାଣ୍ଡିଆନଙ୍କ ଇସାରାରେ ସରକାର ଚାଲିଥିବା ବୈଜୟନ୍ତ ଅଭିଯୋଗ କରିଥିଲେ।

ଡାକ୍ତର ଦାମୋଦର ରାଉତ, ରମାରଞ୍ଜନ ବଳିୟାର ସିଂହ ମଧ୍ୟ ସମାନ ଅଭିଯୋଗ ଆଣି ରାଜନୀତିରେ ହଟଚମଟ କରିଥିଲେ।

ନିର୍ବାଚନ ପରେ ନବୀନ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଓଡ଼ିଶାରେ ‘ବ୍ୟୁରୋକ୍ରାଟସ୍‌’ ଶାସନ ଚାଲି ନଥିବା କହିଥିଲେ ମଧ୍ୟ ବିଜେପି ଏହାକୁ ଗ୍ରହଣ କରିନି। ଶିବରାଜ ସିଂହ ଖୋର୍ଦ୍ଧା ସମାବେଶରେ ପୁଣି ନବୀନ ଓ ପାଣ୍ଡିଆନଙ୍କୁ ଟାର୍ଗେଟ କରି ରାଜନୀତି ପାଣିପାଗକୁ ଗରମ କରିଛନ୍ତି।

ନିର୍ବାଚନ ପରେ ବିଜେପି ଏବଂ ବିଜେଡି ଶିବିର ଥଣ୍ଡା ପଡ଼ିଥିଲା। ନିର୍ବାଚନ ବେଳେ କଥା କଥାକେ ବିଜେପି ବିଜେଡିକୁ ଏବଂ ବିଜେଡି ବିଜେପିକୁ ଯେମିତି ଘେରୁଥିଲା ତାହା ନିର୍ବାଚନ ପରେ ଦେଖିବାକୁ ମିଳି ନଥିଲା। ହେଲେ ଆଜି ବିଜେପିର ବରିଷ୍ଠ ନେତା ଶିବରାଜ ସିଂହ ଚୌହାନ ଖୋର୍ଦ୍ଧାରେ ଯେମିତି ନବୀନ ଓ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ତାକୁ ବିଜେଡି କେମିତି ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା।

Comment