ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

‘‘ମୁଁ ନିଷ୍ପତ୍ତି ନେଇଛି କଂଗ୍ରେସର ଅଧ୍ୟକ୍ଷ ହେବିନି। ମୋ ନିଷ୍ପତ୍ତିରେ ମୁଁ ଅଟଳ। ଆପଣମାନେ ନୂଆ ଅଧ୍ୟକ୍ଷ ଚୟନ କରନ୍ତୁ’’, କଂଗ୍ରେସ ନେତାମାନଙ୍କୁ ଏହା କହିଛନ୍ତି ରାହୁଲ ଗାନ୍ଧି।

କଂଗ୍ରେସର ନୂଆ ଅଧ୍ୟକ୍ଷ ବାଛିବା ପାଇଁ ନୂଆଦିଲ୍ଲୀରେ ଆଜି ବସିଥିଲା ସିଡବ୍ଲ୍ୟୁସି ବୈଠକ। ଏହି ବୈଠକରେ ଦଳର ବରିଷ୍ଠ ନେତା ଯୋଗ ଦେଇ କଂଗ୍ରେସର ଅଧ୍ୟକ୍ଷ ପଦକୁ ନେଇ ମାନସ ମନ୍ଥନ କରିଥିଲେ। ଅଧିକାଂଶ ନେତା ରାହୁଲ ଗାନ୍ଧିଙ୍କୁ ଆଉ ଥରେ ଅଧ୍ୟକ୍ଷ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ହେଲେ ରାହୁଲ ଆଉ ଅଧ୍ୟକ୍ଷ ହେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ରାହୁଲ ଗାନ୍ଧିଙ୍କ ବାଦ୍ ଅଧ୍ୟକ୍ଷ ପଦ ପାଇଁ ଆଉ ଦୁଇ ଜଣଙ୍କ ନାଁ ଉଠିଥିଲା। ପ୍ରିୟଙ୍କା ଗାନ୍ଧି ଭଦ୍ରା ଏବଂ ମୁକୁଲ ବାସନିକଙ୍କ ନାଁ ଚର୍ଚ୍ଚା ହୋଇଥିଲା। ହେଲେ ପ୍ରିୟଙ୍କା ଗାନ୍ଧି ମଧ୍ୟ ଏହି ପଦ ପାଇଁ ମନା କରି ଦେଇଛନ୍ତି। ଏବେ ସିଡବ୍ଲ୍ୟୁସି କାହାକୁ କଂଗ୍ରେସ ଅଧ୍ୟକ୍ଷ ଭାବେ ବାଛୁଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି।

‘‘ଦେଶରେ ବର୍ତ୍ତମାନ ଯେଉଁଭଳି ରାଜନୀତିକ ବାତାବରଣ ରହିଛି ସେଥିପାଇଁ ଏକ ଶକ୍ତ ବିରୋଧୀ ଦଳର ଆବଶ୍ୟକତା ରହିଛି। ରାହୁଲ ଗାନ୍ଧି ହିଁ ଏକ ଦୃଢ଼ ବିରୋଧୀ ଦଳର ନେତୃତ୍ୱ ନେଇପାରିବେ। ଏଣୁ ସିଡବ୍ଲ୍ୟୁସିର ସବୁ ସଦସ୍ୟ ଚାହୁଁଛନ୍ତି ରାହୁଲ ଗାନ୍ଧି ପୁଣିଥରେ ସଭାପତି ହୁଅନ୍ତୁ। ହେଲେ ରାହୁଲ ସଭାପତି ହେବେ ନାହିଁ ବୋଲି ମନା କରିଛନ୍ତି’’, କହିଛନ୍ତି କଂଗ୍ରେସର ମିଡିଆ ପ୍ରଭାରୀ ରଣଦୀପ ସିଂହ ସୁରଜେୱାଲା।

ଅଧ୍ୟକ୍ଷ ଚୟନ ପାଇଁ ୫ଟି କମିଟି ଗଠନ ହୋଇଛି। କମିଟି ଆଜି ରାତି ସୁଦ୍ଧା ସେମାନଙ୍କ ରିପୋର୍ଟ ଦେବେ। ଏହାପରେ ପୁଣି ଥରେ ବୈଠକ ବସିବ ଏବଂ ସଭାପତି ଘୋଷଣା କରାଯିବ ବୋଲି କହିଛନ୍ତି ସୁରଜେୱାଲା।

Comment