ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେଉଛି। ଏହି ପ୍ରଭାବରେ ଆଜି ଓ ଆସନ୍ତାକାଲି ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସଜାଗ ରହିବାକୁ ଏସ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆଜି ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, ସୋନପୁର, କେନ୍ଦୁଝର, ବଲାଙ୍ଗିର, ବରଗଡ଼, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ନୟାଗଡ଼, ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏସବୁ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକୁ ୱେଲୋ ୱାଣ୍ଣିଂ କରାଯାଇଛି।

ବୁଧବାର ଦକ୍ଷିଣ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳ ସମେତ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ରେ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ କରାଯାଇଛି।

ମୟୂରଭଞ୍ଜ, କେନ୍ଦୁଝର, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଢେଙ୍କାନାଳ, ଅନୁଗୁଳ, ଯାଜପୁର ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ କରାଯାଇଛି।

ଅନ୍ୟପଟେ ମହାନଦୀ ସମତେ ରାଜ୍ୟର ପ୍ରମୁଖ ନଦୀଗୁଡ଼ିକର ଉପରମୁଣ୍ଡରେ ବର୍ଷା ଲାଗି ରହିଛି। ଏହାସହ ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବଂଶଧାରା ଓ କୁଶଭଦ୍ରା ନଦୀ ଫୁଲୁଛି। ଏଥିପାଇଁ ୧୪ ତାରିଖରେ ହୀରାକୁଦ ଗେଟ୍ ଖୋଲିବ ବୋଲି କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି।

ଏସ୍‌ଆରସିଙ୍କ କହିବା ଅନୁସାରେ, ଉଦ୍ଧାର କାର୍ଯ୍ୟ ପାଇଁ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ୍‌କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମତ୍ସ୍ୟଜୀବୀମାନଙ୍କୁ ଆସନ୍ତା ୪୮ ଘଣ୍ଟା ଯାଏଁ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି।

Comment