ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ରାଜ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ମିଳିଛି। ତାଙ୍କ ନିଯୁକ୍ତିକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଅନୁମୋଦନ କରିଛନ୍ତି। ଆସନ୍ତା ୧୯ରେ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିବେ ଶ୍ରୀ ପାଢ଼ୀ।

ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ପରେ କିଏ ହେବେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଯେଉଁ ୮ ଜଣ ବରିଷ୍ଠ ଆଇଏଏସ୍‌ଙ୍କ ନାଁ ମୁଖ୍ୟ ଶାସନ ସଚିବ ପଦ ପାଇଁ ଚର୍ଚ୍ଚା ହେଉଛି ସେମାନଙ୍କ ଭିତରେ ଅସିତ ତ୍ରିପାଠୀଙ୍କ ନାଁ ଆଗରେ ରହିଛି।

ଅସିତ ତ୍ରିପାଠୀ ହେଉଛନ୍ତି ୧୯୮୬ ବ୍ୟାଚ୍‌ର ଆଇଏଏସ୍‌ ଅଫିସର। ସେ ବିଭନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବ ଭାବେ ରହି ନିଜର ଦକ୍ଷତା ଦେଖାଇଛନ୍ତି। ୨୦୧୫ରେ ଶ୍ରୀ ତ୍ରିପାଠୀଙ୍କୁ ଗୃହ ବିଭାଗର ସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା। ୨୦୧୮ରେ ଆର୍‌ ବାଲାକ୍ରିଷ୍ଣନ ଉନ୍ନୟନ କମିଶନର ପଦରୁ ଅବସର ନେବା ପରେ ଅସିତଙ୍କୁ ଏହି ପଦବୀର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା।

ନିକଟରେ ଅସିତ ତ୍ରିପାଠୀଙ୍କୁ କେବିକେର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ଦିଆଯାଇଛି। ଏଣୁ ଅସିତ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହୋଇପାରନ୍ତି ବୋଲି କୁହାଯାଉଛି।

ଏହାସହ କୃଷି ଉତ୍ପାଦନ କମିଶନର ଗଗନ ଧଳ, ସୁରେଶ ମହାପାତ୍ର, ସୁଦର୍ଶନ ପାଲ୍‌ ଠାକୁର, ଜିଭିଭି ଶର୍ମାଙ୍କ ନାଁ ବି ମୁଖ୍ୟ ଶାସନ ସଚିବ ପଦ ପାଇଁ ଚର୍ଚ୍ଚା ହେଉଛି।

ସେଣ୍ଟ୍ରାଲ ଡେପୁଟେସନରେ ଥିବା ୧୯୮୩ ବ୍ୟାଚ ଆଇଏଏସ୍‌ ଅଫିସର ଆଇ ଶ୍ରୀନିବାସ, ୧୯୮୪ ବ୍ୟାଚ ଆଇଏଏସ୍‌ ଅଫିସର ଅରୁଣ ପଣ୍ଡା, ୧୯୮୫ ବ୍ୟାଚ ଆଇଏଏସ୍ ଅଫିସର ଉପେନ୍ଦ୍ର ସିଂହ, ସୁରେନ୍ଦ୍ର ନାଥ ତ୍ରିପାଠୀଙ୍କ ନାଁ ବି ଏହି ପଦବୀ ପାଇଁ ଚର୍ଚ୍ଚା ହେଉଛି।

ମୁଖ୍ୟ ଶାସନ ସଚିବ ଭାବେ ୨୦୧୫ ନଭେମ୍ବର ମାସରେ ଦାୟିତ୍ୱ ଗ୍ରହଣ କରିଥିଲେ ଆଦିତ୍ୟପ୍ରସାଦ ପାଢ଼ୀ। ସେ ଏହି ପଦବୀରେ ୩ ବର୍ଷ ୮ ମାସ ଧରି ରହିଥିଲେ। ଆସନ୍ତା ଫେବ୍ରୁଆରି ମାସରେ ସେ ଅବସର ନେଇଥାନ୍ତେ। କିନ୍ତୁ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସେ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଛନ୍ତି। ତାଙ୍କୁ ରାଜ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ମିଳିଛି।

Comment