ଓଡ଼ିଶାଲାଇଭ୍ ବ୍ୟୁରୋ

ଦିନକୁ ଦିନ ସମାଜ ଆଧୁନିକତା ଆଡ଼କୁ ଅଗ୍ରସର ହେଉଥିଲେ ମଧ୍ୟ ଆଜି ଜାତିପ୍ରଥା ଭେଦଭାବ ଏକ ବଡ଼ ପ୍ରତିବନ୍ଧକ ସାଜିଛି। ଖାସ କରି ପ୍ରେମ ବିବାହ କ୍ଷେତ୍ରରେ ଏହାର ଅଧିକ ପ୍ରଭାବ ଦେଖିବାକୁ ମିଳିଛି। ଅନ୍ୟ ଜାତିରେ ପ୍ରେମ ବିବାହ କରି ବାହଘର ବେଳେ ଜରିମାନା ଦେଇନଥିବାରୁ ମହିଳାଙ୍କ ଶବ ପୋଡ଼ିବାକୁ ଦେଇ ନାହନ୍ତି ଗାଁ ଲୋକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାରେ କୁଳିଅଣା ଥାନା ଅଧିନସ୍ଥ କୁଚେଇ ପଞ୍ଚାୟତର ଜସେଫବାଡ଼ି ଗ୍ରାମରେ।।

ସେହି ଗ୍ରାମରେ ବାସବାସ କରୁଥିବା କାନ୍ଦ୍ରା ସରେନଙ୍କ ସ୍ତ୍ରୀ ପାର୍ବତୀ ସରେନ (୨୮) ଜଣ୍ଡିସ ଓ ଟିବି ରୋଗରେ ପୀଡ଼ିତ ଥିଲେ। ଅଗଷ୍ଟ ୧୫ରେ ତାଙ୍କ ସ୍ତ୍ରୀଙ୍କ ଦେହାନ୍ତ ହୋଇଥିଲା। କିନ୍ତୁ ୨ ଦିନ ବିତି ଗଲାଣି ତାଙ୍କ ଶବର ସତ୍କାର ହୋଇନାହିଁ।

ଆଜିକୁ ୧୨ ବର୍ଷ ପୂର୍ବରୁ କାନ୍ଦ୍ରା ସରେନ ନିକଟସ୍ଥ ପଳାଶବଣି ଗ୍ରାମର ପାର୍ବତୀ ସରେନଙ୍କୁ ପ୍ରେମ ବିବାହ କରିଥିଲେ। ଜାତିପ୍ରଥା ପରମ୍ପରା ଅନୁସାରେ ଯଦି କୌଣସି ପୁଅ ଅନ୍ୟ ଜାତିର ଝିଅକୁ ବିବାହ କରେ, ତେବେ ପୁଅ ଘରକୁ ଝିଅ ଘର ଲୋକ ପଣ ତଥା ଜରିମାନା ଦେଇଥାନ୍ତି। କିନ୍ତୁ ପାର୍ବତୀ ସରେନ୍‌ ବିବାହ ସମୟରେ କୌଣସି ପଣ ଦେଇ ନଥିଲେ।

ବର୍ତ୍ତମାନ ଝିଅର ମୃତ୍ୟୁ ହେବା ପରେ  ଝିଅ ଘର ଲୋକେ ପଣ ନ ଦେଇଥିବା ଯୋଗୁଁ ପୁଅ ଘର ଗାଁ ଲୋକେ ଶବଟିକୁ ଦାହ କରୁ ନାହାନ୍ତି। ଏହାକୁ ନେଇ ଆଜି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉଭୟ ପକ୍ଷଙ୍କୁ ଡାକି ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିଥିଲା।

ଏହାପରେ କୁଳିଅଣା ଥାନା ପୋଲିସ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପିଆରଏମ୍ ମେଡିକାଲ କଲେଜକୁ ପଠାଇଛି|

Comment