ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୧୯୮୬ ବ୍ୟାଚ୍‌ ଆଇଏଏସ୍ ଅଫିସର ଗଗନ ଧଳଙ୍କ ଇସ୍ତଫା ସଚିବାଳୟ କରିଡରରେ ବଢ଼ାଇଛି ଚର୍ଚ୍ଚା।

ସ୍ୱାଧୀନତା ଦିବସ ଛୁଟି ଦିନରେ ରାଜ୍ୟ ସଚିବାଳୟ ଉଠୁଥିଲା ପଡୁଥିଲା। କାରଣ ରାଜ୍ୟ ସରକାର ଆଇଏଏସ୍ ସ୍ତରରେ କରିଥିଲେ ଅଦଳ ବଦଳ। ଅସିତ ତ୍ରିପାଠୀ ହୋଇଥିଲେ ଓଡ଼ିଶାର ମୁଖ୍ୟ ଶାସନ ସଚିବ।

ସ୍ୱାଧୀନତା ଦିବସ ପରଦିନ ଅର୍ଥାତ୍‌ ଆଜି ମଧ୍ୟ ସଚିବାଳୟ ଉଠୁଛି ପଡୁଛି। ଏହି ଉଠାପକା ଏକ ରୋଚକ ଖବରକୁ ନେଇ। ବରିଷ୍ଠ ଆଇଏଏସ୍‌ ଅଫିସର ଗଗନ ଧଳ ହଠାତ୍ ଚାକିରିରୁ ଇସ୍ତଫା ଦେବା ଖବର ଆସିବା ପରେ ସମସ୍ତେ ତାଟକା। କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଗଗନ ଧଳ କାହିଁକି ଇସ୍ତଫା ଦେଲେ ତାକୁ ନେଇ ସଚିବାଳୟ କରିଡର ଉଠୁଛି ପଡୁଛି।

ଗଗନ ଧଳ ହେଉଛନ୍ତି ୧୯୮୫ ବ୍ୟାଚର ଆଇଏଏସ୍ ଅଫିସର। ସେ ରାଜ୍ୟ ସରକାରଙ୍କର ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବ ରହିଥିଲେ।

ସେ କୃଷି, ସମବାୟ, ପଶୁ ସମ୍ପଦ ଓ ମତ୍ସ୍ୟ ବିଭାଗ ଦାୟିତ୍ୱରେ ରହିଥିଲେ। ଏହାସହ ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ଏବଂ ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗର ପ୍ରମୁଖ ସଚିବ ଥିଲେ ଶ୍ରୀ ଧଳ।

ଏହାପରେ ତାଙ୍କୁ କୃଷି ଉତ୍ପାଦନ କମିସନର ଭାବେ ନିଯୁକ୍ତି ଦିଆଯାଇଥିଲା। ହେଲେ ସ୍ୱାଧୀନତା ଦିବସରେ ଆଇଏଏସ୍ ସ୍ତରରେ ଯେଉଁ ଅଦଳ ବଦଳ ହୋଇଥିଲା ସେଥିରେ କୃଷି ଉତ୍ପାଦନ କମିସନର ଭାବେ ପ୍ରଦୀପ୍ତ ମହାପାତ୍ରଙ୍କୁ ନିଯୁକ୍ତି ଦିଆଯାଇଥିଲା। ତେବେ ଶ୍ରୀ ଧଳଙ୍କୁ କେଉଁ ବିଭାଗ ଦିଆଯାଇ ନଥିଲା।

ଏହି ଅଦଳ ବଦଳର ଠିକ୍‌ ଦିନକ ପରେ ଗଗନ ଚାକିରି ଛାଡ଼ି ଦେଇଛନ୍ତି। ୨୦୨୦ରେ ଶ୍ରୀ ଧଳ ଅବସର ନେଇଥାନ୍ତେ। କିନ୍ତୁ ତା’ ପୂର୍ବରୁ ଗଗନ କାହିଁକି ଚାକିରିରୁ ଇସ୍ତଫା ଦେଲେ ତାହା ଏବେ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅଗଷ୍ଟ ୧୪ ତାରିଖରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଥିବା ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ରାଜ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର। ତାଙ୍କ ପରେ କିଏ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା।

ମୁଖ୍ୟ ଶାସନ ସଚିବ ରେସ୍‌ରେ ଅନେକ ଆଇଏଏସ୍ ଅଫିସର ରହିଥିଲେ। ହେଲେ ଏମାନଙ୍କ ଭିତରେ ୧୯୮୫ ବ୍ୟାଚ ଆଇଏଏସ୍ ଅଫିସର ଗଗନ ଧଳ ଏବଂ ୧୯୮୬ ବ୍ୟାଚ ଆଇଏଏସ୍ ଅଫିସର ଅସିତ ତ୍ରିପାଠୀ ଆଗରେ ରହିଥିଲେ। ହେଲେ ଅସିତଙ୍କୁ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଥିଲେ। ଏଥିରେ ଅସନ୍ତୋଷ ପ୍ରକାଶ କରି ଗଗନ ଚାକିରିରୁ ଇସ୍ତଫା ଦେଇ ପାରିଥାନ୍ତି ବୋଲି ସଚିବାଳୟ କରିଡରରେ ଚର୍ଚ୍ଚା ହେଉଛି।

Comment