ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଦୁଇ ବରିଷ୍ଠ ଆଇଏଏସ୍‌ ଅଫିସର ସ୍ୱେଚ୍ଛାକୃତ ଅବସର ଆବେଦନ (ଭିଆର୍‌ଏସ୍‌) କରିବା ପ୍ରସଙ୍ଗ ଏବେ ସଚିବାଳୟ କରିଡରରେ ଚର୍ଚ୍ଚାର ବିଷୟ ପାଲଟିଛି। ସ୍ୱାଧୀନତା ଦିବସ ପୂର୍ବରୁ ମୁଖ୍ୟ ଶାସନ ସଚିବ ଥିବା ଆଦିତ୍ୟ ପ୍ରସାଦ ପାଢ଼ୀ ଭିଆର୍‌ଏସ୍‌ ଆବେଦନ କରିବା ପରେ ଏବେ ଅନ୍ୟତମ ବରିଷ୍ଠ ଆଇଏଏସ୍‌ ଅଫିସର ଗଗନ ଧଳ ଭିଆର୍‌ଏସ୍‌ ଆବେଦନ କରିବା ପ୍ରସଙ୍ଗ ଚର୍ଚ୍ଚାର ବିଷୟ ପାଲଟିଛି।

ସ୍ୱାଧୀନତା ଦିବସରେ ରାଜ୍ୟ ସରକାର ଆଇଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିବା ସହ ନୂତନ ଦାୟିତ୍ୱ ପ୍ରଦାନ କରିଥିଲେ। ହେଲେ ଆଡିସନାଲ ମୁଖ୍ୟ ସଚିବ ପାହ୍ୟାର ଅଫିସର ଗଗନ ଧଳଙ୍କ ହାତରୁ ଦାୟିତ୍ୱ କାଢ଼ି ନେଇଥିଲେ।

ଗଗନ ଧଳଙ୍କ ହାତରୁ କୃଷି ଉତ୍ପାଦନ କମିସନର ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ କାଢ଼ିନେଇ ପ୍ରଦୀପ୍ତ ମହାପାତ୍ରଙ୍କୁ ଦିଆଯାଇଥିଲା। ତେବେ ଗଗନ ଧଳଙ୍କୁ କେଉଁ ଦାୟିତ୍ୱ ଦିଆଯାଇଥିଲା ତାହା ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇ ନଥିଲା।

ସଚିବାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ କିଛିଦିନ ତଳେ ଗଗନ ଭିଆର୍‌ଏସ୍‌ ନେବା ପାଇଁ ସରକାରଙ୍କୁ ଆବେଦନ କରିଥିଲେ। ବୋଧହୁଏ ଏହି କାରଣ ପାଇଁ ରାଜ୍ୟ ସରକାର ତାଙ୍କୁ କୌଣସି ନୂତନ ଦାୟିତ୍ୱ ଦେଇ ନଥିବା ଚର୍ଚ୍ଚା ହେଉଛି।

ଗଗନ ଯେଉଁ ଭିଆର୍‌ଏସ୍‌ ଆବେଦନ କରିଥିଲେ ତାର ସ୍ଥିତି କ’ଣ ଅଛି ତାହା ସରକାରଙ୍କ ପକ୍ଷରୁ ଏଯାଏଁ ସ୍ପଷ୍ଟ କରାଯାଇ ନାହିଁ। ନିଜେ ଗଗନ ମଧ୍ୟ ଏନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ଯଦି ସରକାର ତାଙ୍କ ଭିଆର୍‌ଏସ୍‌ ଆବେଦନକୁ ଗ୍ରହଣ କରିଥିବେ ତାହାଲେ କେବଳ ଔପଚାରିକ ଘୋଷଣାକୁ ଅପେକ୍ଷା।

Comment