ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଖେଳିଲେ ‘ଶକ୍ତି’ କାର୍ଡ। ନବୀନଙ୍କ ମହିଳା ବ୍ରିଗେଡ୍‌ ଭାବେ ପରିଚିତ ୫ ନେତ୍ରୀଙ୍କୁ ବିଭିନ୍ନ ନିଗମରେ ଥଇଥାନ କରାଯାଇଛି। ଏହି ୫ ମହିଳା ବ୍ରିଗେଡ୍‌ ହେଲେ ମୀନତି ବେହେରା, ଲୋପାମୁଦ୍ରା ବକ୍ସିପାତ୍ର, ସୁଲୋଚନା ଦାସ, ସୁଲତା ଦେଓ ଏବଂ ଶ୍ରୀମୟୀ ମିଶ୍ର।

ଥଇଥାନ ହୋଇଥିବା ୩୦ରୁ ଅଧିକ ନେତାଙ୍କ ଭିତରେ ବିଜେଡିର ଆଗଧାଡ଼ିର ୫ ମହିଳାଙ୍କୁ ସାମିଲ କରି ନବୀନ ପୁଣି ମହିଳା ସଶକ୍ତିକରଣର ବାର୍ତ୍ତା ଦେଇଛନ୍ତି।

ମୀନତି ବେହେରା – ମହିଳା କମିସନ ଅଧ୍ୟକ୍ଷା

ସମାଜସେବୀ ଭାବେ ନାଁ କରିଥିବା ମୀନତି ବେହେରାଙ୍କୁ ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡି ମହିଳା ମୋର୍ଚ୍ଚାର ଅଧ୍ୟକ୍ଷା ଭାବେ ନିଯୁକ୍ତି ଦେଇଥିଲେ ନବୀନ। ନିର୍ବାଚନ ବେଳେ ମୀନତି ଟିକେଟ ପାଇବେ ବୋଲି ଆଶା କରିଥିଲେ। ହେଲେ ତାଙ୍କୁ ଟିକେଟ ମିଳି ନଥିଲା। ନିର୍ବାଚନ ବେଳେ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ମଣ୍ଡଳୀ ବୁଲି ମୀନତି ବିଜେଡି ପାଇଁ ପ୍ରଚାର କରିଥିଲେ। ତାଙ୍କୁ ଆଜି ମହିଳା କମିସନ ଅଧ୍ୟକ୍ଷା ଭାବେ ନିଯୁକ୍ତି ମିଳିଛି। ଲୋପାମୁଦ୍ରା ବକ୍ସିପାତ୍ରଙ୍କ ପରେ ଏହି ପଦବୀ ଖାଲି ପଡ଼ିଥିଲା।  ମୀନତି ପୂର୍ବରୁ ଭିନ୍ନକ୍ଷମ କମିସନର ଅଧ୍ୟକ୍ଷା ଥିଲେ।

ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ ‘ମିଶନଶକ୍ତି’ ଉପଦେଷ୍ଟା

ଜ୍ୟୋତି ପାଣିଗ୍ରାହୀଙ୍କ ପରେ ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ଥିଲେ ଲୋପାମୁଦ୍ରା ବକ୍ସିପାତ୍ର। ନିର୍ବାଚନ ପୂର୍ବରୁ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ତାଙ୍କୁ ବିଜେଡି ମହିଳା ମୋର୍ଚ୍ଚାର କାର୍ଯ୍ୟକାରୀ ଅଧ୍ୟକ୍ଷା କରାଯାଇଥିଲା। ନିର୍ବାଚନ ବେଳେ ଲୋପାମୁଦ୍ରା ବିଜେପି ପାଇଁ ପ୍ରଚାର କରିଥିଲେ। ମହିଳା କମିସନ ପଦ ଛାଡ଼ିବା ପରେ ଲୋପାମୁଦ୍ରାଙ୍କୁ କେଉଁ ପଦବୀରେ ଅବସ୍ଥାପିତ କରାଯିବ ବୋଲି ଚର୍ଚ୍ଚା ହେଉଥିଲା। ଶେଷରେ ତାଙ୍କୁ ମିଶନ ଶକ୍ତିର ଉପଦେଷ୍ଟା ଭାବେ ନିଯୁକ୍ତି ମିଳିଛି।

ସୁଲୋଚନାଙ୍କୁ ଥଇଥାନ

କଂଗ୍ରେସ ଛାଡ଼ି ବିଜେଡି ଆସିଥିବା ସୁଲୋଚନା ଦାସଙ୍କୁ ନବୀନ ଏଥର ଥଇଥାନ କରିଛନ୍ତି। ନିର୍ବାଚନ ବେଳେ ତାଙ୍କ ନାଁ ବରୀ ବିଧାନସଭା ଆସନ ପାଇଁ ଚର୍ଚ୍ଚା ହେଉଥିଲା। ହେଲେ ତାଙ୍କୁ ନବୀନ ଟିକେଟ ଦେଇ ନଥିଲେ। ବିଜେଡିର ମୁଖପାତ୍ର ରହିଥିଲେ ସୁଲୋଚନା।

ବିଭିନ୍ନ ଟିଭି ଚ୍ୟାନେଲର ପ୍ୟାନେଲ ଡିସ୍‌କସନ୍‌ରେ ଭାଗ ନେଇ ସୁଲୋଚନା ବିଜେଡି ଏବଂ ନବୀନଙ୍କ ସପକ୍ଷରେ ଯୁକ୍ତି ବାଢୁଥିଲେ। ନିର୍ବାଚନ ପୂର୍ବରୁ ବିଭିନ୍ନ ନିର୍ବାଚନମଣ୍ଡଳୀରେ ମହିଳା ସମାବେଶ ହୋଇଥିଲା। ଏଥିରେ ସୁଲୋଚନାଙ୍କୁ ଆଗରେ ଦେଖିବାକୁ ମିଳିଥିଲା। ଏବେ ତାଙ୍କୁ ନବୀନ ଭିନ୍ନକ୍ଷମ କମିସନର ଅଧ୍ୟକ୍ଷା କରିଛନ୍ତି।

ସୁଲତାଙ୍କ ମାନଭଞ୍ଜନ

ବିଜେଡିର ଆଉ ଜଣେ ଆଗଧାଡ଼ିର ନେତ୍ରୀ ହେଉଛନ୍ତି ସୁଲତା ଦେଓ। ସେ ବି ଯାଜପୁର ଜିଲ୍ଲାର କୌଣସି ବିଧାନସଭା ଆସନରୁ ପ୍ରାର୍ଥୀ ହେବା ପାଇଁ ଆଶା ରଖିଥିଲେ। ହେଲେ ତାଙ୍କୁ ପ୍ରାର୍ଥୀ କରି ନଥିଲା ଦଳ। ଗାଁ ଗାଁ ବୁଲି ସୁଲତା ନିର୍ବାଚନ ପ୍ରଚାର କରିଥିଲେ। ଏହାସହ ଟିଭି ଚ୍ୟାନେଲର ବିଭିନ୍ନ ବିତର୍କରେ ଭାଗ ନେଉଥିଲେ। ତାଙ୍କୁ ନବୀନ ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଛନ୍ତି।

ଶ୍ରୀମୟୀଙ୍କୁ ନୂଆ ଦାୟିତ୍ୱ

ବଲାଙ୍ଗିର ବିଧାନସଭା ଆସନ ପାଇଁ ଟିକେଟ ଆଶାୟୀ ଥିଲେ ଶ୍ରୀମୟୀ ମିଶ୍ର। କିନ୍ତୁ ଟିକେଟ ନେଇଥିଲେ ଅନଙ୍ଗ ଉଦୟ ସିଂହଦେଓଙ୍କ ସାନ ପୁଅ ଅର୍କେଶ ସିଂହଦେଓ। ଶ୍ରୀମୟୀଙ୍କୁ ବିଜେଡି ମହିଳା ମୋର୍ଚ୍ଚାର କାର୍ଯ୍ୟକାରୀ ସଭାପତି କରାଯାଇଥିଲା। ତାଙ୍କୁ ନବୀନ ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ କରିଛନ୍ତି।

ଗତ ସାଧାରଣ ନିର୍ବାଚନ ବେଳେ ନବୀନ ଶକ୍ତି କାର୍ଡ ଖେଳିଥିଲେ। ୭ଟି ଲୋକସଭା ଆସନରେ ନବୀନ ମହିଳା ପ୍ରାର୍ଥୀ ଦେଇଥିଲେ ନବୀନ। ସେଥିମଧ୍ୟରୁ ବିଜେଡି ୬ ‘ଶକ୍ତି’ ନିର୍ବାଚନ ଜିତିଥିଲେ। କେବଳ ସୁନ୍ଦରଗଡ଼ ଲୋକସଭା ଆସନରୁ ସୁନିତା ବିଶ୍ୱାଳ ପରାଜିତ ହୋଇଥିଲେ।

Comment