ଓଡ଼ିଶାଲାଇଭ୍ ବ୍ୟୁରୋ

ଉଦ୍‌ଘାଟିତ ହୋଇଛି ଖାରବେଳ ଭବନ। ୭୩ ତମ ସ୍ୱାଧୀନତା ଦିବସ ଅବସରରେ ଏହି ଭବନକୁ ଉଦ୍‌ଘାଟିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱରସ୍ଥିତ ପାୱାର ହାଉସ୍ ଛକରେ ଏହି ସୌଧରେ ରହିଛି ଅତ୍ୟାଧୁନିକ ବ୍ୟବସ୍ଥା।

“ଏହି ଖାରବେଳ ଭବନରେ ୧୧ଟି ବିଭାଗ କାମ କରିବ। ଲୋକସେବା ଭବନରେ ଥିବା ଶିଳ୍ପ ବିଭାଗ, ଏମ୍‌ଏସ୍‌ଏମ୍‌ଇ, ଶକ୍ତି, ଶ୍ରମ, ବାଣିଜ୍ୟ ଓ ପରିବହନ, ଦକ୍ଷତା ବିକାଶ ଓ ବୈଷୟିକ ତାଲିମ୍, ଶିକ୍ଷା, ବିଜ୍ଞାନ ଓ କାରିଗରୀ କୌଶଳ, ଜଙ୍ଗଲ ଓ ପରିବେଶ, ଇଲେକ୍‌ଟ୍ରୋନିକ୍ସ ଓ ଆଇଟି, ନଗର ଉନ୍ନୟନ, ହସ୍ତତନ୍ତ୍ର ଓ ବୟନ ଶିଳ୍ପ ଏହି ଭବନକୁ ଉଠି ଆସିବ”, କହିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ସୁରେଶ ମହାପାତ୍ର।

ଏହି ବିଲ୍‌ଡିଂରେ ଅଷ୍ଟମ ମହଲାରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ରହିବ। ଏଥିସହ ଏହି ମହଲାରେ ଏକ କନଫରେନ୍ସ ରୁମ୍‌ ରହିବ। ମୁଖ୍ୟମନ୍ତ୍ରୀ ଯେଉଁ ସମୟରେ ଏଠାକୁ ଆସିବେ ସେତେବେଳେ ଏଠାରେ କାମ କରିବେ।

ତିନି ଏକର ଜାଗାରେ ନିର୍ମାଣ ହୋଇଥିବା ଏହି ଭବନରେ ଖର୍ଚ୍ଚ ହୋଇଛି ସମୁଦାୟ ୧୨୦କୋଟି ଟଙ୍କା। ଏହାକୁ ରାଜ୍ୟର ପ୍ରଥମ ଗ୍ରୀନ୍ ବି଼ଲଡିଂ ବୋଲି କୁହାଯାଉଛି।

ବିଲ୍‌ଡିଂରେ ଶକ୍ତି ଅପଚୟ ରୋକିବାକୁ ସ୍ୱତନ୍ତ୍ର ଟେକ୍ନୋଲୋଜିର ବ୍ୟବହାର କରାଯାଇଛି। ବିଲ୍‌ଡିଂର ଛାତ୍ରରେ ସୋଲାର ପ୍ୟାନେଲ ରଖାଯାଇଛି। ୨୦୧୭ ମସିହାରେ ଏହି ବିଲଡିଂର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା।

ଏହି ବିଲ୍‌ଡିଂର ସମସ୍ତ ଫ୍ଲୋରରେ ଦୁଇଟି ଲେଖାଏଁ ବିଭାଗ ରହିବ। ପ୍ରତ୍ୟେକ ମହଲାରେ ଗୋଟିଏ ଲେଖାଏଁ କନଫରେନ୍ସ ହଲ୍‌ ରହିଛି। ଏଥିରେ ଭିଡିଓ କନଫରେନ୍ସିର ସୁବିଧା ରହିଛି। ମୁଖ୍ୟ ଲୋକସେବା ଭବନ ସହ ଖାରବେଳ ଭବନର ଯୋଗାଯୋଗ ରହିବ। ଖାରବେଳ ଭବନରେ ରହି କର୍ମଚାରୀମାନେ ଲୋକସେବା ଭବନରେ ଥିବା ଫାଇଲ୍‌କୁ ଦେଖିପାରିବେ।

ଖାରବେଳ ଭବନରେ ୭ଟି ଲିଫ୍ଟ ରହିଛି। ବେସ୍‌ମେଣ୍ଟ ଓ ତଳ ମହଲାରେ ଗାଡ଼ି ପାର୍କିଂ ହେବ।

ଆଗାମୀ ୧୫ରୁ ୨୦ ଦିନ ମଧ୍ୟରେ ଖାରବେଳ ଭବନ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ଶ୍ରୀଯୁକ୍ତ ମହାପାତ୍ର।

Comment