ଓଡ଼ିଶାଲାଇଭ୍‌ ବ୍ୟୁରୋ

କଶ୍ମୀର ସମସ୍ୟାର ଉତ୍ପତ୍ତିକୁ ନେଇ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଶନିବାର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଏହି ଆଲୋଚନାଚକ୍ର ଅୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ବକ୍ତାଭାବେ ପ୍ରଫେସର ସୂର୍ଯ୍ୟ ନାରାୟଣ ମିଶ୍ର ଯୋଗଦେଇଥିଲେ।

ଏହି ଆଲୋଚନାଚକ୍ରରେ ପ୍ରଫେସର ମିଶ୍ର କଶ୍ମୀର ସହ ଜଡିତ ଥିବା ପୂର୍ବ ଇତିହାସ ସମ୍ବନ୍ଧରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ଭାରତରେ ଇଂରେଜୀ ଶାସନଠାରୁ ଆରମ୍ଭ କରି ଦେଶ ସ୍ୱାଧୀନ ହେବା ପର୍ଯ୍ୟନ୍ତ ବିଭିନ୍ନ  ନୀତି ନିଷ୍ପତ୍ତି କିଭଳି କଶ୍ମୀର ପ୍ରସଙ୍ଗ ସହ ଜଡ଼ିତ ସେ ବିଷୟରେ ନିଜର ଅଭିଭାଷଣ ରଖିଥିଲେ।

କଶ୍ମୀରରୁ ୩୭୦ ଦାରା ଉଚ୍ଛେଦ ପ୍ରସଙ୍ଗରେ ପ୍ରଫେସର ମିଶ୍ର କହିଥିଲେ, “ଏହା ନିହାତି ଭାବରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ମୋଦି ସରକାରଙ୍କ ଏଭଳି ନିଷ୍ପତ୍ତିକୁ  ଦେଶବାସୀ ପସନ୍ଦ କରିଛନ୍ତି। ଏଭଳି ପଦକ୍ଷେପ ଭାରତର ଅଖଣ୍ଡତା ଓ ସାର୍ବଭୌମତ୍ୱ ବଜାୟ ରଖିବା ପାଇଁ ସହାୟକ ହୋଇପାରିବ।”

ଭାରତର ସ୍ୱାଧୀନତା ସମୟରେ କଶ୍ମୀର ରାଜା ହରି ସିଂ କିଭଳି ପରିସ୍ଥିତିରେ ଭାରତୀୟ ରାଷ୍ଟ୍ରସଂଘ ସହ ମିଶିବାକୁ ଇଚ୍ଛା କରିଥିଲେ। ପାକିସ୍ତାନ କିଭଳି ଭାବରେ କଶ୍ମୀର ଅକ୍ତିଆର କରିବାକୁ ଚେଷ୍ଟାକରିଥିଲା ଏବଂ କିଛି ଅଂଶ ଅଧିଗ୍ରହଣ ମଧ୍ୟ କରିଥିଲା, ପ୍ରଫେସର ମିଶ୍ର ସେ ସଂପର୍କରେ ଆଲୋକପାତ କରିଥିଲେ। ଯାହା ଏବେ ପାକ୍ ଅଧିକୃତ କଶ୍ମୀର ବୋଲି କୁହାଯାଉଛି।

ଏହି ଆଲୋଚନାଚକ୍ରରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଛାତ୍ରଛାତ୍ରୀଙ୍କ ସହ ବିଶ୍ୱବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ବିଭାଗୀୟ ମୁଖ୍ୟ ଡକ୍ଟର ସ୍ୱର୍ଣ୍ଣମୟୀ ତ୍ରିପାଠୀ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

Comment