ଓଡ଼ିଶାଲାଇଭ୍ ପ୍ରମୁଖ ପ୍ରତିନିଧି

ନବୀନ ବାବୁଙ୍କ ସରକାରର ବରିଷ୍ଠ ଆଇଏଏସ୍‌ ଅଫିସର ଗଗନ ଧଳ ଅଚାନକ ଚାକିରି ଛାଡ଼ିବା ପ୍ରସଙ୍ଗକୁ ନେଇ ଏବେ ଚାଲିଛି ଜୋରଦାର ଚର୍ଚ୍ଚା। ଏ ସମ୍ପର୍କରେ ସରକାର କିମ୍ବା ନିଜେ ଗଗନ ଧଳ ଖୋଲାଖୋଲି ଭାବେ ଘଟଣାକୁ ସ୍ପଷ୍ଟ କରି ନାହାନ୍ତି। ତେବେ ଗୋଟିଏ କଥା ସ୍ପଷ୍ଟ ଯେ ଆଉ ୪ ମାସ ଚାକିରି ଥିବା ଏହି ଅଫିସର କୌଣସି ଏକ ଗୁରୁତର କାରଣରୁ ଏଭଳି ନିଷ୍ପତ୍ତି ନେଇଛନ୍ତି।

ଇସ୍ତଫା ନା ସ୍ଵେଚ୍ଛାକୃତ ଅବସର?

ଆଇଏଏସ୍‌ ଗଗନ ଧଳ ତାଙ୍କ ପଦବୀରୁ ଇସ୍ତଫା ନେଇଛନ୍ତି ନା ସ୍ଵେଚ୍ଛାକୃତ ଅବସର ନେବା ପାଇଁ ଆବେଦନ କରିଛନ୍ତି – ଏହି ପ୍ରଶ୍ନ ହିଁ ସମସ୍ତଙ୍କୁ ଘାରୁଛି।

ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସ୍ପଷ୍ଟୀକରଣରୁ କୁହାଯାଇଛି ଯେ, ଗଗନ ଧଳ ବ୍ୟକ୍ତିଗତ କାରଣ ଦର୍ଶାଇ ଚାକିରିରୁ ଇସ୍ତଫା ଦେବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି। ସେ ଅଗଷ୍ଟ ୬ ତାରିଖରୁ ମୁଖ୍ୟ ସଚିବ ନିକଟକୁ ଏହି ନିବେଦନ ଚିଠି ପଠାଇଛନ୍ତି। ତେବେ ଏ ପର୍ଯ୍ୟନ୍ତ ସରକାର ଏହି ଆବେଦନକୁ  ବିଧିବଦ୍ଧ ଭାବରେ ଅନୁମୋଦନ କରି ନାହାନ୍ତି।

ଏଥିରୁ ଗୋଟିଏ କଥା ବୁଝି ହେଉଛି ଯେ, ନିର୍ଦ୍ଦିଷ୍ଟ ଭାବେ ଦେଖିଲେ ଗଗନ ଧଳ ଆଉ ଚାରି ମାସର ଚାକିରିକୁ ଅପେକ୍ଷା ନ କରି ଅବସର ନେବାକୁ ସ୍ଥିର କରିଛନ୍ତି। ତେଣୁ ଏହାକୁ ଇସ୍ତଫା ବୋଲି କହିବା ଠିକ୍‌ ହେବ ନାହିଁ।

 

ଗଗନ ଧଳ ଏଭଳି ନିଷ୍ପତ୍ତି ନେଲେ କାହିଁକି? ଓଡ଼ିଶା ସରକାରଙ୍କର ଜଣେ ବରିଷ୍ଠ ତଥା କର୍ମଠ ଅଧିକାରୀ ଭାବେ ସେ ପରିଚିତ। ଏପରିକି ନିକଟରେ ନବୀନ ମୁଖ୍ୟ ସଚିବ ପଦରେ କାହାକୁ ନିଯୁକ୍ତି ଦେବେ ସେ କଥା ଉଠିଲା ବେଳେ ଗଗନଙ୍କ ନାଁ ଆସିଥିଲା। ତେବେ ଗଗନଙ୍କଠାରୁ ଏକ ବର୍ଷ କନିଷ୍ଠ ଅସିତ ତ୍ରିପାଠୀଙ୍କୁ ସରକାର ମୁଖ୍ୟ ସଚିବ ଭାବେ ବାଛିଲେ।

ଅବଶ୍ୟ ସରକାର ଡିଜିପି ଏବଂ ମୁଖ୍ୟ ସଚିବଙ୍କ ଭଳି ସର୍ବୋଚ୍ଚ ହାକିମଙ୍କୁ ବାଛିଲା ବେଳେ ବରିଷ୍ଠତା ଓ ଦକ୍ଷତା ସହ ଆନୁଗତ୍ୟ କଥା ବିଚାର କରିଥା’ନ୍ତି। ବର୍ତ୍ତମାନ ପ୍ରଶାସନିକ ଦକ୍ଷତା ପ୍ରସଙ୍ଗରେ ୫-ଟି ମନ୍ତ୍ର କଥା ଉଠାଉଥିବା ସରକାର ଶେଷରେ ଗଗନଙ୍କୁ ନ ନେଇ ଅସିତ ତ୍ରିପାଠୀଙ୍କୁ ମୁଖ୍ୟ ସଚିବ ରୂପେ ନିଯୁକ୍ତି ଦେଲେ।

 

କାହିଁକି ଗଗନଙ୍କ ଦାୟିତ୍ଵ ହଟିଲା?

ଅଗଷ୍ଟ ୧୫ ଦିନ ଏକ ବଡ଼ ସରକାରୀ ଘୋଷଣା ଆସିଲା। ସରକାର ଗଗନ ଧଳଙ୍କ ଦାୟିତ୍ୱ ହଟାଇ ପ୍ରଦୀପ୍ତ ମହାପାତ୍ରଙ୍କୁ କୃଷି ଉତ୍ପାଦନ କମିଶନର ଭାବେ ନିଯୁକ୍ତି ଦେଲେ। ଅନ୍ୟପକ୍ଷରେ ଗଗନ ଧଳ କେଉଁ ଦାୟିତ୍ଵରେ ରହିବେ ସେ ବିଷୟରେ ସରକାର କୌଣସି ଘୋଷଣା କଲେ ନାହିଁ।

ଠିକ୍‌ ତା’ ପରଦିନ ଅର୍ଥାତ ଅଗଷ୍ଟ ୧୬ରେ ଜଣାପଡ଼ିଲା ଯେ ଗଗନ ଧଳ ଚାକିରି ଛାଡ଼ୁଛନ୍ତି। ଏହାକୁ କାକତାଳୀୟ କହିବା କିମ୍ବା ଏହା ହିଁ ଗଗନଙ୍କ ନିଷ୍ପତ୍ତି ପଛର ମୂଳ କାରଣ ତାହା ସରକାର ଏବଂ ଗଗନଙ୍କୁ ହିଁ ଜଣା।

ଅଗଷ୍ଟ ୧୫ ଦିନ ଆଉ ଯେଉଁ କେତୋଟି ବଡ଼ ନିଷ୍ପତ୍ତି ତୃତୀୟ ମହଲା ନେଇଥିଲା ତା’ ଭିତରେ ରହିଛି ଅତିରିକ୍ତି ମୁଖ୍ୟ ଶାସନ ସଚିବ ପାହ୍ୟାରେ ଥିବା ସୁରେଶ ମହାପାତ୍ରଙ୍କୁ ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି। ତା’ ସାଙ୍ଗକୁ ସୁରେଶଙ୍କୁ ଉନ୍ନୟନ କମିଶନର ମଧ୍ୟ ନିଯୁକ୍ତି ଦେଇଛନ୍ତି।

ସେହିପରି ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଆର୍‌ ବାଲାକ୍ରିଷ୍ଣନ୍‌ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଉପଦେଷ୍ଟା ଭାବେ ବିଶେଷ ଦାୟିତ୍ଵ ପ୍ରଦାନ ଥିଲା ଅଗଷ୍ଟ ୧୫ର ବଡ଼ ନିଷ୍ପତ୍ତି। ସରକାର ଅନ୍ୟମାନଙ୍କ ମୁଣ୍ଡରେ ସୁନା କଳସ ଢାଳିବା ବେଳେ ଗଗନ ଧଳଙ୍କ ହାତ ଖାଲି ରଖିବା ନିଶ୍ଚିତ ଭାବେ ଏକ ସଙ୍କେତ ବୋଲି ଗଗନ ବୁଝି ପାରିଥିବେ।

ତେବେ ପ୍ରଶ୍ନ ଉଠୁଛି ସରକାର ଗଗନଙ୍କ ଭଳି ଜଣେ ବରିଷ୍ଠ ତଥା ଦକ୍ଷ ଆଇଏଏସ୍‌ ଅଫିସରଙ୍କ ପ୍ରତି କାହିଁକି ଏଭଳି ପଦକ୍ଷେପ ନେଲେ? ଏହି ରିପୋର୍ଟ ଲେଖା ହେବା ବେଳକୁ ଗଗନ ଧଳଙ୍କ ହାତରେ ସରକାର କୌଣସି ଦାୟିତ୍ୱ ଦେଇନାହାନ୍ତି। କିମ୍ବା ଗଗନ ଧଳ କରିଥିବା ସ୍ଵେଚ୍ଛାକୃତ ଅବସର ଆବେଦନ ଉପରେ ମଧ୍ୟ ସରକାର ଏ ପର୍ଯ୍ୟନ୍ତ ମୋହର ମାରି ନାହାନ୍ତି। ତେଣୁ ଗଗନ ଧଳଙ୍କୁ ସରକାର ଯେ ତ୍ରିଶଙ୍କୁ ଅବସ୍ଥାରେ ପକାଇଛନ୍ତି ଏହା ହିଁ ସଚିବାଳୟରୁ ଆରମ୍ଭ କରି ବିଭିନ୍ନ ମହଲ ପର୍ଯ୍ୟନ୍ତ ଆଲୋଚନାର ବିଷୟ।

ଅବସରକାଳୀନ କୌଣସି ସୁବିଧା ନେବେ ନାହିଁ ଗଗନ

ଆସୁଥିବା ଖବର ଅନୁଯାୟୀ, ଗଗନ ଧଳ କୌଣସି ଅବସରକାଳୀନ ସୁବିଧା ନେବେ ନାହିଁ ବୋଲି ସରକାରଙ୍କୁ ଜଣାଇଛନ୍ତି। ଏ ବାବଦରେ ଅବଶ୍ୟ ସମ୍ପୂର୍ଣ୍ଣ ଖବର ସ୍ପଷ୍ଟ ହୋଇନାହିଁ।

କୁହାଯାଉଛି ଯେ, ଗଗନ ଧଳ ସରକାରଙ୍କୁ ଦେଇଥିବା ଭିଆର୍‌ଏସ୍‌ ଆବେଦନରେ ଲେଖିଛନ୍ତି ସେ ଗ୍ରାଚୁଇଟି ଓ ପେନ୍‌ସନ୍‌ ବାବଦ କୌଣସି ସୁବିଧା ନେବାକୁ ଚାହୁଁନାହାନ୍ତି। ଏହି ଅର୍ଥକୁ ସେ ସରକାରଙ୍କୁ ଦାନ କରିଦେବେ। ତେବେ ଶ୍ରୀଯୁକ୍ତ ଧଳ କାହିଁକି ଏଭଳି ଅନୁରୋଧ କଲେ ତାହା ବୁଝାପଡ଼ୁ ନାହିଁ।

ମାସକ ଭିତରେ ତିନି ବଡ଼ ଅଫିସରଙ୍କ ଇସ୍ତଫା

ଗତ ଗୋଟିଏ ମାସ ଭିତରେ ରାଜ୍ୟ ସରକାରଙ୍କ ତିନି ଜଣ ବଡ଼ ହାକିମ ଚାକିରି ଛାଡ଼ିଛନ୍ତି। ପୋଲିସ ମହାନିର୍ଦ୍ଦେଶକ ଥିବା ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ସ୍ୱେଚ୍ଛାକୃତ ଅବସର ନେଇଛନ୍ତି। ସରକାର ଅବଶ୍ୟ ତାଙ୍କୁ ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତି ଦେଇଛନ୍ତି।

ସେହିପରି ମୁଖ୍ୟ ସଚିବ ପଦରୁ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କର ଇସ୍ତଫା ଖବର ଆସିବା ପରେ ଅନେକ ଏହାକୁ ସ୍ଵାଭାବିକ ଭାବେ ଗ୍ରହଣ କରିପାରି ନଥିଲେ। ଶ୍ରୀଯୁକ୍ତ ପାଢ଼ୀଙ୍କୁ ସରକାର ରାଜ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରିଛନ୍ତି।

ଡାକ୍ତର ଶର୍ମା ଏବଂ ଆଦିତ୍ୟ ପାଢ଼ୀଙ୍କ ପରେ ଏବେ ଗଗନ ଧଳଙ୍କ ପାଳି। ପ୍ରଥମ ଦୁଇଟି ଘଟଣାରେ ସମ୍ପୃକ୍ତ ଅଫିସରମାନଙ୍କୁ ଆଖିଦୃଶିଆ ସାମ୍ବିଧାନିକ ପଦବୀ ଦିଆଯାଇଥିବା ବେଳେ ଗଗନଙ୍କ ହାତ ଖାଲି ରହିଥିବାରୁ ଏହାକୁ ସମ୍ପୂର୍ଣ୍ଣ ସ୍ଵାଭାବିକ ବୋଲି ଲୋକେ ଗ୍ରହଣ କରିପାରୁ ନାହାନ୍ତି।

ସରକାର କେତେବେଳେ କେଉଁ ଅଫିସରଙ୍କୁ କେଉଁ ପଦବୀ ଦେବେ ଏବଂ କେଉଁ ପଦବୀରୁ ହଟାଇବେ ଏହା ଏକ ପ୍ରଶାସନିକ ବିଷୟ। ତେବେ ସରକାରର ସର୍ବୋଚ୍ଚ ସ୍ତରରେ ଥିବା ଅଧିକାରୀମାନଙ୍କ ଏଭଳି ‘ଅନ୍‌ସେରିମୋନିଆଲ ଏକ୍‌ଜିଟ୍‌’ ନିଶ୍ଚିତ ଭାବରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଡ଼କୁ ଆଙ୍ଗୁଠି ଦେଖାଉଛି।

Comment