ଓଡ଼ିଶାଲାଇଭ୍ ବ୍ୟୁରୋ

କେବଳ ଭାରତରେ ନୁହେଁ ପୃଥିବୀ ସାରା ସମସ୍ତ ଦେଶରେ ଧୂପକାଠିରୁ ନିଆଁ ଲାଗି ଛୋଟବଡ଼ ଅଗ୍ନିକାଣ୍ଡ ଘଟିଥିବାର ଅନେକ ଉଦାହରଣ ରହିଛି।

ଫେବ୍ରୁଆରି ୨୨ ତାରିଖ, ୨୦୧୬ ମସିହାରେ କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରେ ନିଆଁ ଲାଗିବା, ଚୀନର ବେଜିଂରେ ଜୁନ୍ ୧୪, ୨୦୧୮ରେ ନିଆଁ ଲାଗି ବିଏମଡବ୍ଲୁ କାର୍ ଜଳିଯିବାର କାରଣ ଥିଲା କେବଳ ଧୂପକାଠି ନିଆଁ।

ଆମ ଦେଶରେ ଏବେବି ଧୂପକାଠି ଲଗାଇବାକୁ ସକାଳ ଓ ସଞ୍ଜର ନିୟମିତ ପରମ୍ପରା ଭାବରେ ପାଳନ କରାଯାଉଛି। ଡାକ୍ତରଖାନା, ବ୍ୟାଙ୍କ, ବିଭିନ୍ନ କଳକାରଖାନା ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି। ସନ୍ଧ୍ୟା ସମୟରେ ଘଟୁଥିବା ଅନେକ ଅଗ୍ନିକାଣ୍ଡର ପ୍ରକୃତ କାରଣ ହୋଇଥାଏ ଧୂପକାଠିର ନିଆଁ। କିନ୍ତୁ ଅନୁଷ୍ଠାନର ବୀମା ଇତ୍ୟାଦି ପ୍ରଭାବିତ ହେବ ନାହିଁ ବୋଲି ପ୍ରକୃତ ତଥ୍ୟ ବାହାରକୁ ଆସେ ନାହିଁ। ସର୍ଟସର୍କିଟ୍ ବା ଅନ୍ୟାନ୍ୟ କାରଣ ଦେଖାଇ ପ୍ରକୃତ କାରଣ ଘୋଡ଼ାଇ ଦିଆଯାଏ।

ତେଣୁ ସମସ୍ତେ ସାବଧାନ ରହିବା ଓ ଅନୁଷ୍ଠାନରେ ଧୂପକାଠି ବା ଖୋଲା ନିଆଁକୁ ଜାଳିବାକୁ ନିଷେଧ କରିବା ଉଚିତ। ଧୂପକାଠି ବା ଦୀପ ଜାଳିଲା ବେଳେ କେବଳ ନିଜେ ଘରେ ରହିଥିବା ସମୟରେ ଜାଳନ୍ତୁ। ଯଦି ପୂଜା କରି ଘରୁ ବାହାରିଯିବାକୁ ପଡ଼ୁଛି ତେବେ ଧୂପକାଠି ଲିଭାଇ ଦିଅନ୍ତୁ। କେବେବି ଜଳନ୍ତା ଧୂପକାଠି କିମ୍ବା ଧୂପ ଲଗାଇ ବାହାରକୁ ଯାଆନ୍ତୁ ନାହିଁ। ଗୋଟିଏ ଅଗ୍ନି କଣା ବା ନିଆଁ ଝୁଲ ସବୁକିଛି ଧ୍ୱଂସ କରିଦେଇପାରେ।

ଧୂପ ଦୀପ ଜଳାଇବା ବିଷୟରେ କେତୋଟି ସାବଧାନତା:

୧. ଘରର ପରଦା, ଲ୍ୟାମ୍ପ ସେଡ୍‌ ଏବଂ ସହଜରେ ନିଆଁ ଲାଗୁଥିବା ବା ଅନ୍ୟ ଜ୍ୱଳନଶୀଳ ପଦାର୍ଥଠାରୁ ଧୂପକାଠି ଦୂରେଇ ଲଗାନ୍ତୁ।

୨. ସୁନିଶ୍ଚିତ କରନ୍ତୁ ଯେ ଧୂପ ଲଗାଯାଉଥିବା ସ୍ଥାନରେ ଉତ୍ତମ ବାୟୁ ଚଳାଚଳ ହେଉଛି। ଏହା ନିବୁଜ କୋଠରୀ ନୁହେଁ।

୩. କେବେବି ଆପଣ ଘରେ ରହୁନଥିବା ସମୟରେ ଧୂପକାଠି ଲଗାଇ ଦେଇ ଯାଆନ୍ତୁ ନାହିଁ। ଧୂପକାଠି ଜଳୁଥିବା ବେଳେ ତାହା ଉପରେ ନଜର ରଖନ୍ତୁ। ଯଦି ଘରୁ ବାହାରିଯିବାକୁ ପଡ଼େ, ଶୋଇବାକୁ ଯାଆନ୍ତି ତେବେ ପାଣିରେ ବୁଡ଼ାଇ ଏହାକୁ ଲିଭାଇ ଦିଅନ୍ତୁ।

୪.  କେବେବି ଆଲମାରୀ ଭିତରେ ବା ଆବଦ୍ଧ ସ୍ଥାନରେ ଧୂପକାଠି ଜଳାନ୍ତୁ ନାହିଁ।

Comment