ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

  • ୫ ବୃହତ ପ୍ରକଳ୍ପକୁ ମଞ୍ଜୁରୀ
  • ୨ ଲକ୍ଷ ୪୭୯ କୋଟି ଟଙ୍କାର ହେବ ନିବେଶ
  • ସୁବର୍ଣ୍ଣରେଖା ବନ୍ଦର ନିକଟରେ ପ୍ରକଳ୍ପ କରିବ ହଳଦିଆ ପେଟ୍ରୋକେମିକାଲ୍‌ସ
  • ପାରାଦୀପ ତୈଳ ବିଶୋଧନାଗାରର ହେବ ସଂପ୍ରସାରଣ
  • ଜିନ୍ଦଲ ଷ୍ଟିଲ୍‌ ପ୍ରସେସିଂ ପ୍ଲାଣ୍ଟକୁ ବି ମଞ୍ଜୁରୀ
  • ତାଳଚେର ସାର କାରଖାନାରୁ ଉତ୍ପାଦନ ହେବ ୟୁରିଆ

ଖାରବେଳ ଭବନରେ ଶେଷ ହୋଇଛି ହାଇଲେବଲ କ୍ଲିୟରାନ୍ସ ଅଥରିଟି ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୫ଟି ବୃହତ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏଥିରେ ୨ ଲକ୍ଷ ୪୭୯ କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

ସୁବର୍ଣ୍ଣରେଖା ବନ୍ଦର ନିକଟରେ ପ୍ରକଳ୍ପ କରିବ ହଳଦିଆ ପେଟ୍ରୋକେମିକାଲ୍‌ସ। ଏହାସହ ୭୪ ହଜାର କୋଟି ଟଙ୍କାରେ ହେବ ହାଇଡ୍ରୋ କାର୍ବନ ପ୍ରସେସିଂ କମ୍ପ୍ଲେକ୍ସ। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୧୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ସେହିପରି ପାରାଦୀପ ତୈଳ ବିଶୋଧନାଗାର ସଂପ୍ରସାରଣକୁ ବି ବୈଠକରେ ମଞ୍ଜୁରୀ ମିଳିଛି। ସଂପ୍ରସାରଣ ସହ କିଛି ନୂଆ ପ୍ଲାଣ୍ଟ ନିର୍ମାଣ ହେବ। ଏଥିରେ ୧ ଲକ୍ଷ କୋଟି ଟଙ୍କା ନିବେଶ ହେବ। ଏଥିରେ ୧୨ ହଜାର ୫୯୫ ଲୋକଙ୍କୁ ନିଯୁକ୍ତି ମିଳିବ।

ପାରାଦୀପ ତୈଳ ବିଶୋଧନାଗାର ପରିସରରେ ପିଏକ୍ସ-ପିଟିଏ ପ୍ଲାଣ୍ଟକୁ ବି ମଞ୍ଜୁରୀ ମିଳିଛି। ଏଥିରେ ୯୧୩୬ କୋଟି ଟଙ୍କା ନିବେଶ କରାଯିବ। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୩୨ ଶହ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

କଳିଙ୍ଗନଗରରେ ଜିନ୍ଦଲ ଷ୍ଟିଲ୍‌ ପ୍ରସେସିଂ ପ୍ଲାଣ୍ଟକୁ ବି ବୈଠକରେ ମଞ୍ଜୁରୀ ମିଳିଛି। ଏହି ପ୍ଲାଣ୍ଟରେ ୧୬୭୬ କୋଟି ଟଙ୍କା ନିବେଶ ହେବ। ୧୩ ଶହ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେହିପରି ତାଳଚେର ସାର କାରଖାନାକୁ ବି ବୈଠକରେ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପରୁ ୟୁରିଆ ସାର ଉତ୍ପାଦନ ହେବ। ଏଥିରେ ୧୪ ହଜାର ୭୩୨ କୋଟି ଟଙ୍କା ନିବେଶ ହେବ। ଏଥିରେ ୫୫୦ଙ୍କୁ ନିଯୁକ୍ତି ମିଳିପାରିବ।

Comment