ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନବୀନ ପଟ୍ଟନାୟକଙ୍କ ୧୯ ବର୍ଷର ଶାସନ ଭିତରେ ଯାହା ଦେଖିବାକୁ ମିଳି ନଥିଲା ତାହା ଏହି ପଞ୍ଚମ ପାଳି ସରକାରରେ ଦେଖିବାକୁ ମିଳିଛି। ନୂଆ ସରକାର ଆରମ୍ଭ ହେବାର ତିନି ମାସ ଭିତରେ ତିନି ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀ ଗୋଟିଏ ଦିନରେ ଅଲଗା ଅଲଗା ଦାୟିତ୍ୱ ନେଇଛନ୍ତି।

ଅସିତ ତ୍ରିପାଠୀ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଥିବା ବେଳେ ଆଦିତ୍ୟ ପ୍ରସାଦ ପାଢ଼ୀ ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେହିପରି ସୁରେଶ ମହାପାତ୍ର ଉନ୍ନୟନ କମିଶନର ଭାବେ ଦାୟିତ୍ୱ ନେଇଛନ୍ତି।

ସ୍ୱାଧୀନତା ଦିବସ ପୂର୍ବଦିନ ମୁଖ୍ୟ ଶାସନ ସଚିବ ଥିବା ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ରାଜ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର। ସ୍ୱାଧୀନତା ଦିବସରେ ଉନ୍ନୟନ କମିଶନର ଏବଂ ଗୃହ ବିଭାଗର ସଚିବ ଥିବା ୧୯୮୬ ବ୍ୟାଚ୍‌ର ଆଇଏଏସ୍ ଅଫିସର ଅସିତ ତ୍ରିପାଠୀଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଦିଆଯାଇଥିଲା।

ଉନ୍ନୟନ କମିଶନର ଏବଂ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ସଭାପତି ଭାବେ ସୁରେଶ ମହାପାତ୍ରଙ୍କୁ ଦାୟିତ୍ୱ ଦେଇଥିଲେ ସରକାର। ଏହି ତିନି ଜଣ ବରିଷ୍ଠ ଅଫିସର ନୂଆ ଦାୟିତ୍ୱ ଗ୍ରହଣ କରିଛନ୍ତି।

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି, ‘‘ପ୍ରଶାସନ କିପରି ଲୋକାଭିମୁଖି ହେବ ସେ ଉପରେ ଗୁରୁତ୍ୱ ଦିଆଯିବ। ମୁଖ୍ୟମନ୍ତ୍ରୀଙ୍କ ୫ଟି ମନ୍ତ୍ରଙ୍କୁ ଅଧିକ ଗୁରୁତ୍ୱ ଦିଆଯିବ। ଅଧିକ ନିଯୁକ୍ତି ସୁଯୋଗ କିପରି ସୃଷ୍ଟି ହେବ ତା’ ଉପରେ ବିଶେଷ ଧ୍ୟାନ ରହିବ। ଶିଳ୍ପ ଏବଂ ଭିତ୍ତିଭୂମିକା ବିକାଶ ଉପରେ ଅଧିକ ଫୋକସ୍‌ ରହିବ।’’

ସୁରେଶ ମହାପାତ୍ର କହିଛନ୍ତି, ‘‘ଭିତ୍ତିଭୂମି ଓ ସାମାଜିକ ସୁରକ୍ଷା କ୍ଷେତ୍ରରେ ଲାଗୁ ହୋଇଥିବା ଯୋଜନାକୁ ଗୁରୁତ୍ୱ ଦିଆଯିବ। ସବୁ ଅଞ୍ଚଳର ବିକାଶ ଫୋକସ୍‌ରେ ରହିବ। ଏହାସହ ଶ୍ରୀମନ୍ଦିରର ବିକାଶ ପାଇଁ ଆସୁଥିବା ପ୍ରସ୍ତାବକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରାଯିବ।’’

ଏପଟେ ରାଜ୍ୟର ସପ୍ତମ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ନେଇଥିବା ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ପାଇଁ ପୌର ନିର୍ବାଚନ ବଡ଼ ଚାଲେଞ୍ଜ ହେବ। ୨୦୧୫ରୁ ସେ ଏଯାବତ୍‌ ରାଜ୍ୟ ନିର୍ବାଚନ କମିଶନର ଥିଲେ।

ପ୍ରଶାସନିକ ସ୍ତରରେ ନବୀନ ବଡ଼ ଧରଣର ଅଦଳ ବଦଳ କରିବା ପରେ ଆଇପିଏସ୍‌ ସ୍ତରରେ ବି ଅଦଳ ବଦଳ କରିଛନ୍ତି। ନିକଟରେ ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ବଦଳାଇବା ପରେ ଏବେ ପୋଲିସ କମିଶନରଙ୍କୁ ବଦଳାଇଛନ୍ତି। ପୋଲିସ ଡିଜି ଭାବେ ବି କେ ଶର୍ମା ଦାୟିତ୍ୱ ନେଇଥିବା ବେଳେ ପୋଲିସ କମିଶନର ଭାବେ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ନିଯୁକ୍ତ କରାଯାଇଛି। ଏହାସହ ୧୩ ଜିଲ୍ଲାର ଏସ୍‌ପିଙ୍କୁ ମଧ୍ୟ ବଦଳାଇଛନ୍ତି ନବୀନ ସରକାର।

ପଞ୍ଚମ ପାଳିରେ ନବୀନ ପ୍ରଶାସନିକ ସ୍ତରରେ ଯେଉଁଭଳି ଅଦଳ ବଦଳ କରୁଛନ୍ତି ତାହା ଆଗାମୀ ଦିନରେ ଲୋକମାନଙ୍କ ପାଇଁ କିଭଳି ଲାଭବାନ ହେଉଛି ତାହା ଅପେକ୍ଷା କରି ଦେଖିବାର କଥା।

Comment