ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଟିକେଟ ପାଇ ନଥିବା ନେତାଙ୍କୁ ନିଗମ ଲଡୁ। ହାରି ଯାଇଥିବା ନେତାଙ୍କୁ ପଚାରିଲେନି ନବୀନ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ୩୫ରୁ ଅଧିକ ନେତାଙ୍କୁ ବିଭିନ୍ନ ନିଗମ ଏବଂ ପରିଷଦରେ ଥଇଥାନ କରିଛନ୍ତି। ଥଇଥାନ ହୋଇଥିବା ନେତାଙ୍କ ଭିତରେ ଅଧିକାଂଶ ହେଉଛନ୍ତି ଗତ ନିର୍ବାଚନରେ ଟିକେଟ ପାଇ ନଥିବା ନେତା।

ଟିକେଟ ପାଇ ନଥିବା ନେତାଙ୍କୁ ନିଗମ ଲଡୁ ଦେଇ ନବୀନ ସେମାନଙ୍କ ମାନ ଭଞ୍ଜନ କରିଥିବା ଚର୍ଚ୍ଚା ହେଉଛି। ତେବେ ଗତ ନିର୍ବାଚନରେ ହାରିଯାଇଥିବା ନେତାଙ୍କୁ ନିଗମ ଲଡୁ ଦିଆଯିବ ବୋଲି କୁହାଯାଉଥିଲା। ହେଲେ ଥଇଥାନ ବେଳେ ନବୀନ ହାରିଯାଇଥିବା ନେତାଙ୍କୁ ପୂରା ଭୁଲି ଯାଇଥିବା ମନେହେଉଛି।

ପୁରୀ ବିଧାନସଭା ଆସନରୁ ପରାଜିତ ହୋଇଥିବା ମହେଶ୍ୱର ମହାନ୍ତି, ବ୍ରହ୍ମଗିରିରୁ ପରାଜିତ ହୋଇଥିବା ସଞ୍ଜୟ ଦାସବର୍ମା ଏବଂ କଳାହାଣ୍ଡି ଲୋକସଭା ଆସନରୁ ପରାଜିତ ହୋଇଥିବା ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ନିଗମ ଲଡ଼ୁ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ନବୀନ ଏହି ତିନି ରଥୀଙ୍କ ଭିତରୁ ଜଣକୁ ବି ନିଗମ ଲଡୁ ଦେଇ ନାହାନ୍ତି।

ମହେଶ୍ୱର ମହାନ୍ତି ପୁରୀରୁ ଏକାଧିକ ଥର ବିଧାନସଭାକୁ ଜିତି ଆସୁଥିଲେ। ହେଲେ ଚଳିତ ଥର ବିଜେପି ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀଙ୍କଠାରୁ ପରାଜିତ ହୋଇଥିଲେ ମହେଶ୍ୱର। ବିଜେଡିର ଜଣେ ବରିଷ୍ଠ ନେତା ହୋଇଥିବାରୁ ତାଙ୍କୁ କୌଣସି ନିଗମରେ ଥଇଥାନ କରାଯାଇପାରେ ବୋଲି କୁହାଯାଉଥିଲା। ହେଲେ ମହେଶ୍ୱରଙ୍କୁ କୌଣସି ନିଗମ ପଦ ଦିଆଯାଇ ନାହିଁ।

ବ୍ରହ୍ମଗିରି ବିଧାନସଭା ଆସନରୁ ଲଗାତର ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଥିବା ସଞ୍ଜୟ ଦାସବର୍ମା ନବୀନ ସରକାରରେ ମନ୍ତ୍ରୀ ଥିଲେ। ହେଲେ ତାଙ୍କୁ ଏଥର ବିଜେପି ପ୍ରାର୍ଥୀ ଥିବା ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପରାଜିତ କରିଥିଲେ। ସଞ୍ଜୟ ବିଜେଡିର ଆଗ ଧାଡ଼ିର ନେତା ଏବଂ ଦଳର ସାଧାରଣ ସମ୍ପାଦକ ଅଛନ୍ତି। ହେଲେ ତାଙ୍କୁ ବି କୌଣସି ନିଗମ ପଦ ମିଳିନାହିଁ।

କଳାହାଣ୍ଡି ଲୋକସଭା ଆସନରୁ ବିଜେଡି ଟିକେଟ ପାଇଥିବା ପୁଷ୍ପେନ୍ଦ୍ର ସିଂହଦେଓ ମଧ୍ୟ ପରାଜିତ ହୋଇଛନ୍ତି। ତାଙ୍କୁ ବିଜେପିର ରାଜ୍ୟ ସଭାପତି ବସନ୍ତ ପଣ୍ଡା ପରାଜିତ କରିଛନ୍ତି। ପୁଷ୍ପେନ୍ଦ୍ର ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା ହୋଇଥିବାରୁ ତାଙ୍କୁ ନିଗମ ଲଡୁ ମିଳିପାରେ ବୋଲି କୁହାଯାଉଥିଲା। ହେଲେ ନବୀନ ତାଙ୍କୁ ଭୁଲି ଯାଇଛନ୍ତି। କେବଳ ଟିକେଟ ପାଇ ନଥିବା ନେତାଙ୍କୁ ନିଗମ ଲଡୁ ଦିଆଯାଇଛି।

ସେହିପରି ଜୟପୁର ବିଧାନସଭା ଆସନରୁ ପରାଜିତ ହୋଇଥିବା ବରିଷ୍ଠ ନେତା ରବିନାରାୟଣ ନନ୍ଦଙ୍କୁ ବି ନବୀନ ଭୁଲି ଯାଇଛନ୍ତି। ସେ କଂଗ୍ରେସ ପ୍ରାର୍ଥୀ ତାରାପ୍ରସାଦ ବାହିନୀପତିଙ୍କଠାରୁ ଦ୍ୱିତୀୟ ଥର ପାଇଁ ପରାଜିତ ହୋଇଥିବାରୁ ନବୀନ ରବିଙ୍କୁ କୌଣସି ନିଗମ ଦାୟିତ୍ୱରେ ରଖି ନଥିବା କୁହାଯାଉଛି।

ଅନୁଭବ ପଟ୍ଟନାୟକ, ସୁଲୋଚନା ଦାସ, ସୁଲତା ଦେଓ, ଅନୁପ ସାଏ, ଚିନ୍ମୟ ସାହୁ, ଶ୍ରୀମୟୀ ମିଶ୍ର, ଅନୁପ ସାଏ, ବିଜୟ କୁମାର ନାୟକ, ପ୍ରିୟଦର୍ଶୀ ମିଶ୍ର, ସୁବାସ ସିଂହ, ଦିଲ୍ଲୀପ ତିର୍କୀ, ମାନସ ମାଡ଼କାମୀ, ଆକାଶ ଦାସ ନାୟକ ପ୍ରମୁଖ ଟିକେଟ ଆଶାୟୀ ଥିଲେ। ହେଲେ ସେମାନଙ୍କୁ ଟିକେଟ ମିଳି ନଥିଲା। ଏବେ ସେମାନଙ୍କୁ ବିଭିନ୍ନ ନିଗମ ଓ ପରିଷଦରେ ଥଇଥାନ କରାଯାଇଛି।

Comment