ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ତୃଣମୂଳ ସ୍ତରରୁ ସଙ୍ଗଠନ ସଜାଡ଼ିବା ପାଇଁ ବିଜେପି କରୁଛି ଉଦ୍ୟମ।

ଶେଷ ହୋଇଛି ବିଜେପିର ସଦସ୍ୟ ସଂଗ୍ରହ ଅଭିଯାନ। ଜୁଲାଇ ୬ରୁ ଖୋର୍ଦ୍ଧାଠାରୁ ଏହି ଅଭିଯାନ ଶୁଭାରମ୍ଭ କରିଥିଲେ ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ସଦସ୍ୟ ସଂଗ୍ରହ ଅଭିଯାନ ପରେ ଏବେ ସଙ୍ଗଠନ ସଜାଡ଼ିବା ପାଇଁ ଦଳ ପ୍ରକ୍ରିୟା ଆରମ୍ଭ କରିଛି।

ଖୋର୍ଦ୍ଧାରେ ନିଜେ ଶିବରାଜ ସିଂହ ଚୌହାନ ବିଜେପିର ସଦସ୍ୟ ହୋଇଥିଲେ। ଏହାସହ ୨୫ ଜଣଙ୍କୁ ସଦସ୍ୟ କରାଇଥିଲେ। ୫୦ ଲକ୍ଷ ସଭ୍ୟ ସଂଗ୍ରହ ପାଇଁ ବିଜେପି ଲକ୍ଷ୍ୟ ରଖିଥିଲା। ଆଜି ଶେଷ ତାରିଖ ସୁଦ୍ଧା ସଭ୍ୟ ସଂଖ୍ୟା ୫୦ ଲକ୍ଷ ପାଖାପାଖି ପହଞ୍ଚିଥିବା ଦଳ ପକ୍ଷରୁ କୁହାଯାଇଛି।

ସପ୍ଟେମ୍ବର ୧୧ରୁ ୩୦ ତାରିଖ ଭିତରେ ଦଳ ବୁଥ୍‌ ସ୍ତରର ସଭାପତି ଚୟନ କରିବ। ଅକ୍ଟୋବର ୧୧ରୁ ୩୧ ଭିତରେ ମଣ୍ଡଳ ସଭାପତି ବାଛିବ ଦଳ। ଏହାପରେ ଜିଲ୍ଲା ସଭାପତି ଚୟନ କରାଯିବ।

ଡିସେମ୍ବର ୧ରୁ ୧୫ ତାରିଖ ଭିତରେ ରାଜ୍ୟ ସଭାପତି ଚୟନ କରାଯିବ। ତେବେ ରାଜ୍ୟ ସଭାପତି କିଏ ହେବେ ତାକୁ ନେଇ ଏବେଠୁ କାଉଣ୍ଟ ଡାଉନ ଆରମ୍ଭ ହୋଇଛି।

ବସନ୍ତ ପଣ୍ଡାଙ୍କୁ ପୁଣି ଥରେ ରାଜ୍ୟ ସଭାପତି କରିବା ପାଇଁ କେତେକ ନେତା ଦାବି କରୁଛନ୍ତି। ଏପଟେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ନାଁ ବି ଚର୍ଚ୍ଚା ହେଉଛି। ତୃଣମୂଳ ସ୍ତରର ନେତାମାନେ ଯାହା ନାଁ ସୁପାରିଶ କରିବେ ସେ ସଭାପତି ହେବେ ବୋଲି କୁହାଯାଉଛି।

ବିଜେପି ଗତ ସାଧାରଣ ନିର୍ବାଚନ ବେଳେ ବିଜେଡିକୁ ସବୁଠି କଡ଼ା ଟକ୍କର ଦେଇଥିଲା। ଅଧିକାଂଶ ସ୍ଥାନରେ ବିଜେପି ପ୍ରାର୍ଥୀ ଦ୍ୱିତୀୟ ସ୍ଥାନରେ ରହିଥିଲେ। ୨୦୧୪ ନିର୍ବାଚନ ତୁଳନାରେ ଏଥର ଦଳ ଭଲ ପ୍ରଦର୍ଶନ କରିଥିଲା।

୨୩ଟି ବିଧାନସଭା ଆସନ ବିଜେପି ଖାତାକୁ ଆସିଥିବା ବେଳେ ୬ଟି ଲୋକସଭା ଆସନରେ ଦଳ ବିଜୟୀ ହୋଇଥିଲା। ବିଜେପି ଏବେ ଓଡ଼ିଶା ବିଧାନସଭାରେ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇଛି।

ଆଗକୁ ଆସୁଛି ପୌର ନିର୍ବାଚନ। ଏହି ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବା ପାଇଁ ଅଣ୍ଟା ଭିଡ଼ିଛି। ବିଶେଷକରି ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ପୌର ପରିଷଦକୁ କବ୍‌ଜା କରିବା ପାଇଁ ବିଜେପି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ଏଣୁ ବିଜେପି ଏବେ ସଙ୍ଗଠନ ସଜାଡ଼ି ପୌର ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ସଜବାଜ ହେଉଛି।

Comment