ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୨୪ ଘଣ୍ଟାର ହାଇଭୋଲ୍‌ଟେଜ ଡ୍ରାମା ପରେ ସାମ୍ନାକୁ ଆସିଲେ ପି ଚିଦାମ୍ବରମ୍‌।

‘‘ମୁଁ ନିର୍ଦ୍ଦୋଶ। ଆଇଏନ୍‌ଏକ୍ସ ମିଡିଆ ମାମଲାରେ ମୋର କୌଣସି ସଂପୃକ୍ତି ନାହିଁ। ମତେ ଏବଂ ମୋ’ ପରିବାରକୁ ଫସାଇ ଦେବାକୁ ଷଡ଼ଯନ୍ତ୍ର କରାଯାଇଛି। ଏ ଦେଶର ଆଇନ ବ୍ୟବସ୍ଥା ଉପରେ ମୋର ଯଥେଷ୍ଟ ଭରସା ରହିଛି’’, ୨୪ ଘଣ୍ଟାର ଡ୍ରାମାଟିକ୍‌ ମୋଡ଼ ପରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ଏହା କହିଛନ୍ତି।

୨୪ ଘଣ୍ଟାର ନାକଟବାଜି ପରେ ପି ଚିଦାମ୍ବରମ୍‌ ସାମ୍ନାକୁ ଆସିଲେ। ସିଧା ନୂଆଦିଲ୍ଲୀର କଂଗ୍ରେସ ମୁଖ୍ୟାଳୟକୁ ଆସି ସାମ୍ବାଦିକ ସମ୍ମିଳନୀ କରି ନିଜକୁ ନିର୍ଦ୍ଦୋଶ କହିଲେ ଚିଦାମ୍ବରମ୍‌।

‘’୨୪ ଘଣ୍ଟା ଧରି ଦେଶବାସୀଙ୍କୁ ବିଭ୍ରାନ୍ତ କରାଯାଉଛି। ଆମ ଗଣତନ୍ତ୍ର ସବୁବେଳେ ଅବାଧ ଏବଂ ମୁକ୍ତ। ମୋର ଗଣତନ୍ତ୍ର ଉପରେ ଭରସା ଅଛି। ତଦନ୍ତକାରୀ ସଂସ୍ଥା, ଦେଶର ବିଚାରପତିମାନେ ଆଇନର ପରିସରଭୁକ୍ତ ହୋଇ କାମ କରନ୍ତୁ। ମୁଁ ବି ଆଇନକୁ ସମ୍ମାନ ଦିଏ’’, କହିଛନ୍ତି ଚିଦାମ୍ବରମ୍‌।

ଏହି ସାମ୍ବାଦିକ ସମ୍ମିଳନୀରେ ଚିଦାମ୍ବରମ୍‌ ସିବିଆଇକୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି। ଯଦି ମୁଁ ଦୋଷୀ ତାହାଲେ ସିବିଆଇ କାହିଁକି ମୋ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିନାହିଁ ବୋଲି ଚିଦାମ୍ବରମ୍‌ ପ୍ରଶ୍ନ କରିଛନ୍ତି।

ଆଇଏନ୍‌ଏକ୍ସ ମିଡିଆ ମାମଲାରେ ପି ଚିଦାମ୍ବରମ୍‌ଙ୍କ ସଂପୃକ୍ତି ଅଭିଯୋଗ ଆସିଥିଲା। ଏନେଇ ସିବିଆଇ ଏବଂ ଇଡି ମଙ୍ଗଳବାର ରାତିରେ ଚିଦାମ୍ବରମ୍‌ଙ୍କ ବାସଭବନରେ ଚଢ଼ାଉ କରିଥିଲେ। ହେଲେ ଚିଦାମ୍ବରମ୍‌ଙ୍କୁ ନପାଇ ଫେରି ଆସିଥିଲେ।

ଚିଦାମ୍ବରମ୍‌ ଦିଲ୍ଲୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। କିନ୍ତୁ ତାଙ୍କ ଆବେଦନ ଖାରଜ ହେବା ପରେ ସେ ଆଜି ସୁପ୍ରିମକୋର୍ଟର ଦ୍ୱାରସ୍ତ ହୋଇଥିଲେ। ସୁପ୍ରିମକୋର୍ଟରେ ଏହି ମାମଲା ଶୁଣାଣି ହୋଇ ନଥିଲା।

ଶେଷରେ ଇଡି ଏବଂ ସିବିଆଇ ଚିଦାମ୍ବରମ୍‌ଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି କରିଥିଲେ। ୨୪ ଘଣ୍ଟାର ଡ୍ରାମା ପରେ ଚିଦାମ୍ବରମ୍‌ ସାମ୍ନାକୁ ଆସିଲେ ଏବଂ ନିଜକୁ ଆଇନ ହାତରେ ଟେକି ଦେଇଛନ୍ତି।

Comment