ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍‌ଙ୍କ ନାଁରେ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କଲା ଇଡି।

ଆଇଏନ୍‌ଏକ୍ସ ମିଡିଆ ସ୍କାମ୍‌ ମାମଲାରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ ଇଡି ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରିଛି। ଏହି ନୋଟିସ୍‌ ପରେ ଚିଦାମ୍ବରମ୍‌ ଦେଶ ବାହାରକୁ ଯାଇ ପାରିବେ ନାହିଁ।

ଏହାସହ ସିବିଆଇର ଗୋଟେ ଟିମ୍‌ ଚିଦାମ୍ବରମଙ୍କ ଘରେ ଡେରା ପକାଇଛି।

ମଙ୍ଗଳବାର ହାଇକୋର୍ଟ ଚିଦାମ୍ବରମଙ୍କ ଜାମିନ୍‌ ଖାରଜ କରିଥିଲେ। ଯାହା ପରେ ସିବିଆଇ ଓ ଇଡି ଗିରଫ କରିବା ପାଇଁ ଚିଦାମ୍ବରମ୍‌ଙ୍କ ଘରେ ପହଞ୍ଚିଥିଲେ। କିନ୍ତୁ ଚିଦାମ୍ବରମ୍‌ ଘରେ ନଥିଲେ। ସିବିଆଇ ଟିମ୍‌ ମଙ୍ଗଳବାର ୬.୩୦ ସନ୍ଧ୍ୟାରେ ଚିଦାମ୍ବରମ୍‌ଙ୍କ ଘରେ ପହଞ୍ଚିଥିଲେ କିନ୍ତୁ ଚିଦାମ୍ବରମ୍‌ଙ୍କୁ ଘରେ ନ ପାଇ ସିବିଆଇ ଫେରିଯାଇଥିଲା। ଏବଂ ସିବିଆଇ ତାଙ୍କ ଘର ସମ୍ନାରେ ନୋଟିସ୍‌ ଲଗାଇଥିଲେ। ଯେଉଁଥିରେ ତାଙ୍କୁ ୨ ଘଣ୍ଟା ମଧ୍ୟରେ ହାଜର ହେବା ପାଇଁ ଉଲ୍ଲେଖ ଥିଲା। କିନ୍ତୁ ନୋଟିସ୍‌ ପରେ ବି ଚିତାମ୍ବର କାହିଁକି ହାଜର ହେଲେ ନାହିଁ। ସେ ଏବେ କେଉଁଠି? ତାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି।

ସମସ୍ତ ଏୟାରପୋର୍ଟରେ ଲୁକ୍‌ ଆଉଟ୍‌ ନୋଟିସ୍ ଲଗାଯାଇଛି। ତାଙ୍କୁ ଦେଶ ବାହାରକୁ ଯିବାକୁ ଅନୁମତି ଦିଆଯିବ ନାହିଁ।

ଅନ୍ୟପଟେ ଏହି ନୋଟିସ୍‌କୁ ବିରୋଧ କରିଛନ୍ତି କଂଗ୍ରେସ ନେତା। ଏହାକୁ ନେଇ ରାହୁଲ ଗାନ୍ଧି ଟୁଇଟ୍‌ କରି ଲେଖିଛନ୍ତି , ‘‘ମୋଦି ସରକାର ଇଡି ଓ ସିବିଆଇକୁ ଲଗାଇ ଚିଦାମ୍ବରମ୍‌ଙ୍କ ଛବି ଖରାପ କରିବାକୁ ଚାହୁଁଛନ୍ତି।’’

ଏହାପୂବର୍ରୁ ପ୍ରିୟଙ୍କା ଗାନ୍ଧି ବି ଟୁଇଟ କରି କହିଥିଲେ ଯେ, ସରକାର ଚିଦାମ୍ବରମ୍‌ଙ୍କ ପଛରେ ପଡ଼ିଯାଇଛି। କାରଣ ଚିଦାମ୍ବରମ୍‌ ନ ଡରି ସତ କହନ୍ତି। ଏହି ସତ୍ୟର ଳଢ଼େଇ ଜାରି ରହିବ।

୨୦୦୭ ମସିହାରେ ଚିଦାମ୍ବରମ ୟୁପିଏ ସରକାରର ଅର୍ଥମନ୍ତ୍ରୀ ଥିବା ବେଳେ ଆଇଏନ୍‌ଏକ୍ସ ମିଡିଆକୁ ୩୦୫ କୋଟି ଟଙ୍କାର ଅର୍ଥ କାରବାର ପାଇଁ କ୍ଲିଅରାନ୍ସ ଦେବାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଏନେଇ ସିବିଆଇ ଏକ ମାମଲା ରୁଜୁ କରିବା ପରେ ଇଡି ମନି ଲଣ୍ଡରିଂ ନିରୋଧୀ ଆଇନ ଅନୁଯାୟୀ ମାମଲା ରୁଜୁ କରିଥିଲା।

ଏହା ପରେ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଥିଲା ଏବଂ ସେ ଗିରଫ ମଧ୍ୟ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ଜାମିନରେ ଆସିଥିଲେ।

Comment