ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ସ୍ୱନାମଧନ୍ୟ ପ୍ରଶାସକ, ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ସ୍ୱର୍ଗତ ବିମଳ କିଶୋର ମିଶ୍ରଙ୍କ ଆଜି ୨୫ତମ ଶ୍ରାଦ୍ଧ ବାର୍ଷିକୀ। ଏହି ଅବସରରେ ଭୁବନେଶ୍ୱରସ୍ଥିତ ଇଡକଲ୍‌ ପ୍ରେକ୍ଷାଳୟରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପୂର୍ବତନ ଶାସନ ସଚିବ ତଥା ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ବିମଳ କିଶୋର ମିଶ୍ରଙ୍କ ସ୍ମୃତିଚାରଣ ସହିତ ତାଙ୍କର ଅସାଧାରଣ ଜୀବନ ଓ ସଫଳତା ବିଷୟରେ ଆଲୋକପାତ କରାଯାଇଥିଲା।

କାର୍ଯ୍ୟକ୍ରମରେ ସ୍ୱର୍ଗତ ବିମଳ କିଶୋର ମିଶ୍ରଙ୍କ ଜୀବନୀ ‘ଅବିଚଳ ବିମଳ’ ପୁସ୍ତକର ଉନ୍ମୋଚନ କରାଯାଇଥିଲା। ଏହି ପୁସ୍ତକର ରଚନା କରିଛନ୍ତି ବିମଳ କିଶୋରଙ୍କ ସାନ ପୁଅ ଶଶିକାନ୍ତ ମିଶ୍ର। ସେ ରାଜ୍ୟ ଆଇନ୍‌ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟରତ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜ୍ଞାନପୀଠ ପୁରସ୍କାର ବିଜେତା ତଥା ବିଶିଷ୍ଟ ସାହିତ୍ୟିକ ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର ଏବଂ କେନ୍ଦ୍ର ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ପଦ୍ମଭୂଷଣ ରମାକାନ୍ତ ରଥ ଯୋଗ ଦେଇଥିଲେ। ଆକାଶବାଣୀ ଓ ଦୂରଦର୍ଶନର ବରିଷ୍ଠ ସାମ୍ବାଦିକ ମଳୟ ରଞ୍ଜନ ମିଶ୍ର ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

Comment