ଓଡ଼ିଶାଲାଇଭ ବ୍ୟୁରୋ

ଏବେ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଛି। ଏହା ଉପରୁ ଲୋକଙ୍କ ନଜର ହଟାଇବା ପାଇଁ ମୋଦୀ ସରକାର ଚିଦାମ୍ବରଙ୍କୁ ଗିରଫ କରାଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।

ଆଇଏନ୍‌ଏକ୍ସ ମିଡ଼ିଆ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଗିରଫ କରାଯାଇଛି। ଚିଦାମ୍ବରମଙ୍କ ଗିରଫଦାରୀକୁ ନେଇ ମୋଦୀ ସରକାରଙ୍କ ଉପରେ ପ୍ରବଳ ବର୍ଷିଛି କଂଗ୍ରେସ। ଏଥିପାଇଁ ମୋଦୀ ସରକାର ଓ ବିଜେପି ଉପରେ ବିଭିନ୍ନ ଆରୋପ ଲଗାଇଛି ଦଳ।

‘‘ଚିଦାମ୍ବରମଙ୍କ ଗିରଫଦାରୀ ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ। ବିନା କୌଣସି ପ୍ରମାଣରେ ରାତିଅଧିଆ ତାଙ୍କୁ ଗିରଫ କରାଗଲା। ଯାହା ବିଜେପିର ରାଜନୈତିକ ଆକ୍ରୋଶକୁ ସ୍ପଷ୍ଟ କରୁଛି। ମୋଦି ସରକାର ସିବିଆଇ ଓ ଇଡିର ଦୂରୁପୋଯୋଗ କରୁଛି‘‘, ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି  କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେଓ୍ୱାଲା।

ସେ ଆହୁରି କହିଛନ୍ତି, ‘‘ ଏବେ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଛି। ବିଭିନ୍ନ ଇଣ୍ଡଷ୍ଟ୍ରି ବନ୍ଦ ହେଉଛି। ମୋଦି ସରକାର ରୋଜଗାର ଯୋଗାଇବାରେ ଅସଫଳ ହୋଇଛନ୍ତି।  ଏଥିପାଇଁ  ଲୋକଙ୍କ ଅସନ୍ତୋଷ ବଢ଼ିଛି। ଏହା ଉପରୁ ନଜର ହଟାଇବା ପାଇଁ ବିଜେପି ଏପରି କରିଛି।’’

ବୁଧବାର ରାତିରେ ଚିଦାମ୍ବରମ ଗିରଫ ହୋଇଛନ୍ତି। ଗିରଫ ହେବା ଫରେ ଗତକାଲି ସିବିଆଇ କାର୍ଯ୍ୟାଳୟରେ ରାତି କାଟିଛନ୍ତି ଚିଦାମ୍ବରମ। ଦିଲ୍ଲୀସ୍ଥିତ ସିବିଆଇ ଅଫିସରେ ସୁରକ୍ଷା ବଢ଼ାଇ ଦିଆଯାଇଛି। ଅଫିସକୁ ଘେରି ରହିଛନ୍ତି ଦିଲ୍ଲୀ ପୋଲିସ। ଆଜି ଅପରାହ୍‌ଣ ୨ଟାରେ ତାଙ୍କୁ ସିବିଆଇ ସ୍ପେଶାଲ କୋର୍ଟରେ ହାଜର କରାଯିବ।

Comment