ଓଡ଼ିଶାଲାଇଭ୍ ପଲିଟିକାଲ୍‌ ବ୍ୟୁରୋ

ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କ ଗିରଫଦାରୀ ପଛରେ ଆଇନର ଦିଗ କେତେ ଅଛି ଏବଂ କେତେ ରାଜନୀତିକ ଅଭିସନ୍ଧି ଅଛି ତାକୁ ନେଇ ଚାଲିଛି ଚର୍ଚ୍ଚା।

‘‘ମୈ ନା ଖାଉଁଗା ନା ଖାନେ ଦୁଙ୍ଗା’’, ନିର୍ବାଚନ ପ୍ରଚାର ବେଳେ ଦୁର୍ନୀତି ବିରୋଧରେ ଏମିତି ଭାଷଣ ଦେଇଥିଲେ ନରେନ୍ଦ୍ର ମୋଦି।

ନିର୍ବାଚନ ଶେଷ ହେବା ପରେ ଦ୍ୱିତୀୟ ଥର ପାଇଁ ମୋଦି ପ୍ରଧାନମନ୍ତ୍ରୀ ହୋଇଛନ୍ତି। ନୂଆ ସରକାରକୁ ୩ ମାସ ପୂରଣ ହେଉ ହେଉ ଆଇଏନ୍‌ଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍‌ ଗିରଫ ହୋଇଛନ୍ତି। ଏହି ଗିରଫଦାରୀ ପଛରେ ରାଜନୀତିକ ଅଭିସନ୍ଧି ଥିବା କଂଗ୍ରେସ କହିଛି।

‘‘ନାଟକବାଜି କରି ଚିଦାମ୍ବରମ୍‌ଙ୍କୁ ଗିରଫ କରାଯାଇଛି। ଏହା ପଛରେ ରାଜନୀତିକ ଅଭିସନ୍ଧି ରହିଛି। ସୁପ୍ରିମକୋର୍ଟରେ ଜାମିନ ଆବେଦନ ଶୁଣାଣି ପୂର୍ବରୁ ଚିଦାମ୍ବରମଙ୍କୁ ଗିରଫ କରିବା ନିନ୍ଦନୀୟ’’, ଏହା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ।

କେବଳ କପିଲ ସିବଲ ନୁହନ୍ତି, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ମୋଦି ସରକାରଙ୍କୁ ସମାଲୋଚନା କରିଥିଲେ। ମୋଦି ସରକାର କ୍ଷମତାର ଅପବ୍ୟବହାର କରୁଥିବା କହିଥିଲେ ରାହୁଲ।

୨୦୧୦ରୁ ୨୦୧୯ – ବଦଳିଗଲା ସମୀକରଣ

ଉପା ସରକାର-୧ ଏବଂ ଉପା ସରକାର-୨ରେ ଯଦି କେହି ପାୱାରଫୁଲ୍‌ ମନ୍ତ୍ରୀ ଥିଲେ ତାହାଲେ ସେ ଥିଲେ ପି ଚିଦାମ୍ବରମ୍‌। ଉପା-୧ରେ ଚିଦାମ୍ବରମ୍‌ ଗୃହ ମନ୍ତ୍ରୀ ଥିବା ବେଳେ ଉପା-୨ରେ ସେ ଥିଲେ ଅର୍ଥ ମନ୍ତ୍ରୀ।

ହେଲେ ଆଜି ସମୟ ବଦଳିଛି। ଗୃହ ମନ୍ତ୍ରୀ ଥିବା ବେଳେ ଯେଉଁ ଚିଦାମ୍ବରମ୍‌ ସିବିଆଇକୁ ନିର୍ଦ୍ଦେଶ ଦେଉଥିଲେ ତାଙ୍କୁ ଆଜି ସେହି ସିବିଆଇ ଗିରଫ କରିଛି। ସବୁଠୁ ବଡ଼ କଥା ହେଉଛି ୨୦୧୧ରେ ଗୃହ ମନ୍ତ୍ରୀ ଥିବା ବେଳେ ନୂଆଦିଲ୍ଲୀରେ ସିବିଆର ନୂଆ କୋଠା ଉଦଘାଟନ କରିଥିଲେ ଚିଦାମ୍ବରମ୍‌। ହେଲେ ଆଇଏନଏକ୍ସ ମିଡିଆ ମାମଲାରେ ଗିରଫ ହୋଇଥିବା ଚିଦାମ୍ବରମ୍‌ ବୁଧବାର ରାତି ସାରା ସେହି କୋଠାରେ ରହିଥିଲେ।

ଚିଦାମ୍ବରମ୍‌ ଗୃହ ମନ୍ତ୍ରୀ ଥିବା ବେଳେ ସେହାରାବୁଦ୍ଦିନ ଫେକ୍‌ ଏନ୍‌କାଉଣ୍ଟର ମାମଲାରେ ଗିରଫ ହୋଇଥିଲେ ଅମିତ ଶାହ। କିନ୍ତୁ ଏବେ ସମୟ ସ୍ରୋତରେ ସବୁ ବଦଳିଛି। ଅମିତ ଶାହ ମୋଦି-୨ ସରକାରରେ ଗୃହ ମନ୍ତ୍ରୀ ହୋଇଛନ୍ତି। ଆଉ ଚିଦାମ୍ବରମ୍‌ ଗିରଫ ହୋଇଛନ୍ତି। ଏହାକୁ ରାଜନୀତିକ ସଂଯୋଗ କୁହାଯାଉଛି।

‘‘ଚିଦାମ୍ବରମ୍‌ ସବୁବେଳେ ଆଇନର କଥା କହୁଥିଲେ। ଏବେ ଆଇନ ତା’ କାମ କରୁଛି। ଆଇନ ଉପରେ କାହିଁକି ଆଙ୍ଗୁଠି ଉଠାଉଛି କଂଗ୍ରେସ। ଆଇନକୁ ତା’ କାମ କରିବାକୁ ଦିଆଯାଉ’’, କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର।

ଆଇନ ଆଗରେ ହାତ ଟେକିଲେ ଚିଦାମ୍ବରମ୍‌

ଗତ ମଙ୍ଗଳବାର ସନ୍ଧ୍ୟାରୁ ବୁଧବାର ସନ୍ଧ୍ୟା ଯାଏଁ ଚିଦାମ୍ବରମ୍‌ଙ୍କୁ ନେଇ ଏକ ହାଇଭୋଲଟେଜ ଡ୍ରାମା ଚାଲିଲା। ଦିଲ୍ଲୀ ହାଇକୋର୍ଟରୁ ଜାମିନ ଆବେଦନ ଖାରଜ ହେବା ପରେ ଖବର ଆସିଲା ଯେ ଚିଦାମ୍ବରମ୍‌ଙ୍କ ପତ୍ତା ମିଳୁନି। ସିବିଆଇ ଏବଂ ଇଡି ତାଙ୍କ ଘରେ ରେଡ୍‌ କରି ନିରାଶ ହୋଇ ଫେରିଲେ।

ବୁଧବାର ବି ସେହି ସମାନ ଖବର ଆସିଲା। ସୁପ୍ରିମକୋର୍ଟରେ ଜାମିନ ଆବେଦନ ଶୁଣାଣି ହୋଇ ନପାରିବାରୁ ଚିଦାମ୍ବରମ୍‌ ସାମ୍ନାକୁ ଆସିଥିଲେ। କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଆଇନ ପାଖରେ ହାତ ଟେକି ଦେଇଥିଲେ।

‘‘ଆଇନ ଏବଂ ଦେଶର ସମ୍ବିଧାନ ପ୍ରତି ମୋର ଯଥେଷ୍ଟ ସମ୍ମାନ ଅଛି। ଆଇନକୁ ମୁଁ ସବୁବେଳେ ବିଶ୍ୱାସ କରେ। ତଦନ୍ତକାରୀ ସଂସ୍ଥା ମଧ୍ୟ ଆଇନ ଅନୁଯାୟୀ କାମ କରିବା ଉଚିତ୍‌’’, କହିଥିଲେ ଚିଦାମ୍ବରମ୍‌।

ପାଚେରୀ ଡେଇଁ ଚିଦାମ୍ବରମ୍‌ଙ୍କୁ ଗିରଫ

ସାମ୍ବାଦିକ ସମ୍ମିଳନୀ ସାରି ଚିଦାମ୍ବରମ୍‌ ନିଜ ଘରକୁ ଯାଇଥିଲେ। ତାଙ୍କ ପଛେ ପଛେ ସିବିଆଇର ଏକ ଟିମ୍‌ ତାଙ୍କ ଘର ପାଖରେ ପହଞ୍ଚିଲା। ହେଲେ ତାଙ୍କ ଗେଟ୍‌ ଖୋଲା ଯାଇ ନଥିବାରୁ ସିବିଆଇ ଅଧିକାରୀ ପାଚେରୀ ଡେଇଁ ଘରେ ପଶିଥିଲେ ଏବଂ ଚିଦାମ୍ବରମଙ୍କୁ ଗିରଫ କରିଥିଲେ। ରାତି ସାରା ଚିଦାମ୍ବରମ୍‌ ସିବିଆଇ ହେପାଜତରେ ରହିଥିଲେ। ଗୁରୁବାର ସିବିଆଇ ଚିଦାମ୍ବରଙ୍କୁ ମାରାଥନ ଜେରା କରିଥିଲା। ଶେଷରେ ସିବିଆଇ କୋର୍ଟରେ ହାଜର କରିଥିଲା।

ସିବିଆଇ କୋର୍ଟରେ ଚିଦରମ୍ବରମଙ୍କୁ ରିମାଣ୍ଡରେ ନେବାକୁ ଚାହିଁଲା। ହେଲେ ବରିଷ୍ଠ ଓକିଲ କପିଲ ସିବଲ ଏବଂ ମନୁ ସିଂଘବୀ ଏହାର ବିରୋଧ କରି ଯୁକ୍ତି ବାଢ଼ିଥିଲେ। ଶେଷରେ କୋର୍ଟ ଚିଦାମ୍ବରମଙ୍କୁ ଜାମିନ ଆବେଦନ ଖାରଜ କରି ସିବିଆଇକୁ ରିମାଣ୍ଡ ଅନୁମତି ଦେଇଛନ୍ତି।

ଗତ ମଙ୍ଗଳବାରଠୁ ଚିଦାମ୍ବରମ୍‌ଙ୍କୁ ନେଇ ଜାତୀୟ ରାଜନୀତିରେ ହଟଚମଟ ସଅଷ୍ଟି ହୋଇଛି। କଂଗ୍ରେସ ଏହାକୁ ରାଜନୀତିକ ଅଭିସନ୍ଧି କହୁଛି। ମୋଦି ସରକାରଙ୍କୁ ଟାର୍ଗେଟ କରୁଛି। କିନ୍ତୁ ଏ ସମ୍ପର୍କରେ ମୋଦି ଏବଂ ଶାହ ମୁହଁ ଖୋଲି ନାହାନ୍ତି। ତେବେ କଂଗ୍ରେସ ଯେଉଁ ଅଭିଯୋଗ ଆଣୁଛି ଏହା ପଛରେ କେତେ ସତ ରହିଛି ତାହା ଅପେକ୍ଷା କରି ଦେଖିବାର କଥା।

Comment